ପୁରୀକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ

ପୁରୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ
ଓଡ଼ିଶାର ୫୦ ହଜାର ଗାଁକୁ ଇଣ୍ଟର୍‌ନେଟ୍‌ ସୁବିଧା ଲକ୍ଷ୍ୟ
ପୁରୀ-କୋଣାର୍କ ରେଳପଥ ପାଇଁ ଚାଲିଛି ଡିପିଆର ପ୍ରସ୍ତୁତି

ପୁରୀ : ଶ୍ରୀକ୍ଷେତ୍ରକୁ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ାଇବାକୁ ଭିତ୍ତିଭୂମି ପ୍ରସ୍ତୁତ ହେଉଛି । ଏପରିକି ପୁରୀରୁ କୋଣାର୍କକୁ ରେଳ ସଂଯୋଗ ପାଇଁ ବିଭାଗୀୟସ୍ତରରେ ଡିପିଆର୍‌ ପ୍ରସ୍ତୁତି ଚାଲିଛି। ପୁରୀ ଠାରେ ‘ ଜନ ଆଶୀର୍ବାଦ ଯାତ୍ରା’ର ଶୁଭାରମ୍ଭ ପାଇଁ ଆସିଥିବା‌ ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହା କହିଛନ୍ତି।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର ସରକାର ଯେଉଁ ୭ ବିଭାଗ ଦାୟିତ୍ବ ଓଡ଼ିଶାର ନେତାଙ୍କୁ ଦେଇଛନ୍ତି, ତାହା ଓଡ଼ିଶାର ଜନସାଧାରଣଙ୍କ ଜୀବନଶୈଳୀ ସହ ଜଡ଼ିତ। ଏଥିରୁ କେନ୍ଦ୍ର ସରକାରଙ୍କ ଓଡ଼ିଶା ବିକାଶ ନୀତି ସ୍ପଷ୍ଟ ହେଉଛି। କରୋନା କାଳରେ ଇଣ୍ଟରନେଟ୍‌ର ଆବଶ୍ୟକତା ସମସ୍ତେ ଅନୁଭବ କରିଛନ୍ତି। ଏଥିପାଇଁ ଓଡ଼ିଶାର ଘରେ ଘରେ ଇଣ୍ଟରନେଟ୍‌ ପହଞ୍ଚାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶାର ୫୦ହଜାର ଗାଁର ସାଢ଼େ ୪ କୋଟି ଲୋକଙ୍କ ଘରେ ଇଣ୍ଟରନେଟ୍‌ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ୭୫ ସପ୍ତାହରେ ୭୫ ବନ୍ଦେ ଭାରତ ଏକ୍ସପ୍ରେସ ସହ ସାରା ଦେଶକୁ ଯୋଡ଼ିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ସେ କହିଛନ୍ତି।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ‌କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଯେ ୨୦୧୩ ଶ୍ରୀଗୁଣ୍ଡିଚା ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆ ଭାଷାରେ ‌ସମ୍ବୋଧନ କରିଥିଲେ। ଏଥିରୁ ସ୍ପଷ୍ଟ ଯେ ଓଡ଼ିଆ ଭାଷା ବିଜେପିର ପ୍ରିୟ ଭାଷା। ସ୍ଥାନୀୟ ସରକାରଙ୍କ ଓଡ଼ିଆ ବିଶ୍ବବିଦ୍ୟାଳୟର ପରିକଳ୍ପନା ସ୍ବାଗତଯୋଗ୍ୟ। ଏ ଉପରେ ମୁଁ ଅନୁଧ୍ୟାନ ଆରମ୍ଭ କରିଛି। ରାଷ୍ଟ୍ରୀୟ ଖସଡ଼ା ଅନୁଯାୟୀ, ଏବେ ୧୪ଟି ଇଞ୍ଜିନିୟରିଂ କଲେଜରେ ୫ଟି ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଭଳି କଷ୍ଟ ଭାଷାକୁ ପଢ଼ାଇବା ଆରମ୍ଭ ହୋଇଛି। ଆଗାମୀ ଦିନରେ ମେଡିକାଲ୍‌ ହେଉ ଅବା ଇଞ୍ଜିନିୟରିଂ, ସବୁକୁ ଆଞ୍ଚଳିକ ଭାଷାରେ ପଢ଼ାଇବାକୁ ଯୋଜନା କରାଯାଉଛି। ଓଡ଼ିଆ ଭାଷାରେ ମହାପ୍ରଭୁଙ୍କ ସମ୍ପର୍କରେ ହେଉ କିମ୍ବା ଚିଲିକା ଉପରେ, ଆମ ଓଡ଼ିଆ ସାହିତ୍ୟିକମାନେ ଅନେକ ଐତିହ୍ୟସିକ ଗାଥା ଉଲ୍ଲେଖ କରିଛନ୍ତି। ମାଣିକ ଗଉଡ଼ୁଣୀର କାହାଣୀ‌ ହେଉ କିମ୍ବା କାଞ୍ଚି ବିଜୟ କଥା, ସବୁକୁ ଓଡ଼ିଆ ଭାଷାରୁ ଅନ୍ୟ ସର୍ବଭାରତୀୟ ଭାଷାରେ ଅନୁବାଦ କରିବାକୁ ଯୋଜନା କରାଯାଇଛି। ଓଡ଼ିଆ ଭାଷା ସର୍ବାଗ୍ରେ ରହିବ। ଭାରତ ସରକାର ଓଡ଼ିଆ ବିଶ୍ବବିଦ୍ୟାଳୟର ବିକାଶ କ୍ଷେତ୍ରରେ ଯଥାସମ୍ଭବ ସହଯୋଗ ଯୋଗାଇଦେବ‌େ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର