ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ନିଲମ୍ବିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ। ପରିଷଦକୁ ଓଡ଼ିଶା ସମବାୟ ସମିତି ନିବନ୍ଧକ ଚିନ୍ମୟ କୁମାର କବି ନିଲମ୍ବିତ କରିଛନ୍ତି। ବ୍ୟାଙ୍କର ସ୍ବାର୍ଥକୁ ଉପେକ୍ଷା କରି ପରିଷଦ ଅନେକ ଅନିୟମିତତା ଓ ବେନିୟମ କାର୍ଯ୍ୟ କରିଥିବା ଦର୍ଶାଇ ନିବନ୍ଧକ ଓଡ଼ିଶା ସମବାୟ ସମିତି ଆଇନ ୧୯୬୨ର ଧାରା ୩୨ର ଉପଧାରା (୭) ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପରିଷଦର ନିଲମ୍ବନ ସମୟତକ ଜିଲ୍ଲାପାଳଙ୍କୁ ବ୍ୟାଙ୍କର ପରିଚାଳନା ଦାୟିତ୍ବ ଦିଆଯାଇଛି। ପରିଷଦ ଉପରେ ରାଜ୍ୟ ବ୍ୟାଙ୍କର ଏପରି କାର୍ଯ୍ୟାନୁଷ୍ଠାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ତେବେ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ନିଯୁକ୍ତିକୁ ନେଇ ଉଠିଥିବା ବିବାଦକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି। ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ନିର୍ବାଚିତ ହୋଇ ଆସିବା ପରେ ଗତ ୨୧ ତାରିଖରେ ପୂର୍ବତନ ମୁଖ୍ୟ ନିର୍ବାହୀ ଅଧିକାରୀ ସୁରେଶଚନ୍ଦ୍ର ଦାସଙ୍କୁ ସେହି ପଦରେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ମହାପ୍ରବନ୍ଧକ ବଟକେଶ୍ବର ମଲ୍ଲିକଙ୍କୁ ସୁନ୍ଦରଗଡ଼ ବ୍ୟାଙ୍କ ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ। ଏହା ସହ ପରିଚାଳନା ପରିଷଦର ନିଯୁକ୍ତିକୁ ଅଗ୍ରାହ୍ୟ କରି ବଟକେଶ୍ବର ମଲ୍ଲିକ ହିଁ ନିର୍ବାହୀ ଅଧିକାରୀ ଦାୟିତ୍ବ ତୁଲାଇବେ ବୋଲି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ୨୩ ତାରିଖରେ ପୁଣି ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ପରିଷଦ ଏହାକୁ ଝୁଲାଇ ରଖିଥିଲା।

ସମ୍ବନ୍ଧିତ ଖବର