ଅଗଷ୍ଟରେ ସ୍ୱାଭାବିକ ସମୟ ପର୍ଯ୍ୟନ୍ତ ଖୋଲା ରହିବ ବ୍ୟାଙ୍କ୍‌

ଏସ୍‌ଏଲ୍‌ବିସି ଆବାହକଙ୍କ ସମେତ ସବୁ ଜିଲ୍ଲାପାଳଙ୍କୁ ଅର୍ଥ ବିଭାଗର ନିର୍ଦ୍ଦେଶ
ଶତପ୍ରତିଶତ କର୍ମଚାରୀରେ ଚାଲିବ ୫ରୁ କମ୍‌ କର୍ମଚାରୀ ଥିବା ଶାଖା

ଭୁବନେଶ୍ୱର : ଚଳିତ ମାସ ପହିଲାରୁ ୩୧ ତାରିଖ ପର୍ଯ୍ୟନ୍ତ ସ୍ବାଭାବିକ ଅବଧି ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ବ୍ୟାଙ୍କ ଖୋଲାରହିବ। ଏଥିପାଇଁ ଆଜି ରାଜ୍ୟ ଅର୍ଥ ବିଭାଗ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ୍‌ କମିଟିର ଆବାହକ ୟୁକୋ ବ୍ୟାଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଏସପି, ଭୁବନେଶ୍ବର ଓ କଟକ ଡିସିପିଙ୍କୁ ଚିଠି ଲେଖି ଜଣାଇ ଦେଇଛି। ସାମିଜିକ ଦୂରତା ଅନୁପାଳନ ପୂର୍ବକ ୫୦% କର୍ମଚାରୀରେ ବ୍ୟାଙ୍କ ଚାଲିବ। କିନ୍ତୁ ଯେଉଁ ଛୋଟ ବ୍ୟାଙ୍କ ଶାଖାରେ ୫ ଜଣରୁ କମ ସଂଖ୍ୟକ କର୍ମଚାରୀ ଥିବେ, ସେସବୁ ବ୍ୟାଙ୍କ ଶାଖା ଶତପ୍ରତିଶତ କର୍ମଚାରୀରେ ଚାଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

କରୋନା ସଂକ୍ରମଣକୁ ଦେଖି ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ଜୁଲାଇ ୩୧ ତାରିଖରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଲୋକମାନଙ୍କୁ ବ୍ୟାଙ୍କିଂ ସେବା ପାଇବାରେ ଯେପରି ଅସୁବିଧା ନ ହୁଏ, ସେଥିପାଇଁ ବ୍ୟାଙ୍କ ଖୋଲିବା ଅବଧିକୁ ସ୍ବାଭାବିକ କରାଯାଇଛି। ରାଜ୍ୟରେ ଥିବା ସମସ୍ତ ସରକାରୀ ବ୍ୟାବସାୟିକ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ଆର୍‌ଆର୍‌ବି, ଓଡ଼ିଶା ସମବାୟ ବ୍ୟାଙ୍କ, କ୍ଷୁଦ୍ର ଆର୍ଥିକ ସଂସ୍ଥା ଓ ବୀମା କମ୍ପାନିଗୁଡ଼ିକ ସମସ୍ତ କାର୍ଯ୍ୟ ଦିବସରେ ସ୍ବାଭାବିକ ସମୟ ପର୍ଯ୍ୟନ୍ତ ଖୋଲା ରହିବ। ଏସବୁ ବ୍ୟାଙ୍କରେ ସାମାଜିକ ଦୂରତା ରକ୍ଷା ନିୟମ ପାଳନ କରାଯିବା ସହ କର୍ମଚାରୀ ଓ ଗ୍ରାହକ ମୁହଁରେ ମାସ୍କ୍‌ ପିନ୍ଧି ବ୍ୟାଙ୍କକୁ ଆସିବେ। ଏହାସହିତ କର୍ମଚାରୀ ଓ ଗ୍ରାହକଙ୍କୁ ଭୂତାଣୁ ପ୍ରତିହତ କରିବା ପାଇଁ ବିଶୋଧନ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି।

ସେହିପରି ଚଳିତ ମାସରେ ରାଜ୍ୟରେ ଥିବା ସମସ୍ତ କ୍ଲିୟରିଂ ହାଉସ୍‌, ବ୍ୟାଙ୍କ୍ କଣ୍ଟ୍ରୋଲିଂ ଅଫିସ୍‌, ରାଜ୍ୟରେ ଥିବା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ଼ (ସେବି), ବୀମା କମ୍ପାନିର କଣ୍ଟ୍ରୋଲିଂ ଅଫିସ୍‌ ଓ ଆରବିଆଇ ଅଫିସ୍‌ ୫୦% କର୍ମଚାରୀରେ କାର୍ଯ୍ୟ କରିବେ। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ଼ (ସେବି) ଦ୍ବାରା ଅନୁମତି ପ୍ରାପ୍ତ ପୁଞ୍ଜି ଓ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ମଧ୍ୟ ସ୍ବାଭାବିକ ଅବଧି ପର୍ଯ୍ୟନ୍ତ ଖୋଲା ରହିବ। ନଗଦ ଯୋଗାଣ କମ୍ପାନି, ଏଟିଏମ୍‌ ରକ୍ଷଣାବେକ୍ଷଣ କରୁଥିବା ସଂସ୍ଥା ଓ ଏନ୍‌ପିସିଆଇ କର୍ମଚାରୀମାନେ ସ୍ବାଭାବିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିପାରିବେ। ସବୁ ବ୍ୟାଙ୍କର ବିଜିନେସ୍‌ କରେଜପଣ୍ଡେଣ୍ଟ (ବିସି) ଓ ସିଏସ୍‌ପିମାନେ ନିୟମିତ ବ୍ୟାଙ୍କିଂ ସେବା ଲୋକମାନଙ୍କ ପାଖରେ ପହଞ୍ଚାଇବେ। ଏନ୍‌ବିଏଫ୍‌ସି କିମ୍ବା ଆର୍‌ବିଆଇ ନିୟନ୍ତ୍ରିତ ଆର୍ଥିକ ସଂସ୍ଥା ଓ ବୀମା କମ୍ପାନିମାନଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଗଦ ରାଶି ପାଇଁ ଫୋନ୍‌ କଲ୍‌ କରିଥିବା ବରିଷ୍ଠ ନାଗରିକମାନଙ୍କୁ ବ୍ୟାଙ୍କ କର୍ମଚାରୀ, ପୋଷ୍ଟାଲ୍‌ କର୍ମଚାରୀମାନେ ସ୍ବାଭାବିକ ବ୍ୟାଙ୍କିଂ ସମୟ ଭିତରେ ସେମାନଙ୍କ ଘରକୁ ଯାଇ ସେବା ପ୍ରଦାନ କରିବେ। କିନ୍ତୁ ସଂକ୍ରମଣ ପ୍ରତିହତ ପାଇଁ ମୁହଁରେ ମାସ୍କ୍‌ ପିନ୍ଧିବା ସହ ହାତକୁ ବାରମ୍ବାର ସାନିଟାଇଜରରେ ବିଶୋଧନ କରିବା ବାଧ୍ୟତାମୂଳକ କରାଯାଇଛି। ଏହାସହିତ ଭୂତାଣୁ ସଂକ୍ରମଣ ଠାରୁ ସୁରକ୍ଷିତ ରହିବା ପାଇଁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା କାର୍ଯ୍ୟାଳୟଗୁଡ଼ିକ ନିୟମିତ ବ୍ୟବଧାନରେ ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦାରଖ କରାଯିବ। ଆବଶ୍ୟକ ସ୍ଥଳେ, ଜିଲ୍ଲା ପ୍ରଶାସନ କିମ୍ବା ମହାନଗର ନିଗମ ଓ ପୁଲିସ ପ୍ରଶାସନ ଏଥିରେ ପରିବର୍ତ୍ତନ କରିପାରିବେ ବୋଲି ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

ସମ୍ବନ୍ଧିତ ଖବର