ଓକିଲ ସଂଘ ନିର୍ବାଚନ: ପ୍ରକାଶ ମହାନ୍ତି ସଭାପତି,ନୃସିଂହ ମହାନ୍ତି ସଂପାଦକ ନିର୍ବାଚିତ

ମାଲକାନଗିରି: ଶନିବାର ମାଲକାନଗିରି ପୌର ନିର୍ବାଚନ ଗଣତି ଜୋର ଧରିଥିବା ବେଳେ ସେପଟେ ବାର ଆସୋସିଏସନ ପାଇଁ ମଧ୍ୟ ନିର୍ବାଚନ ଚାଲିଥିଲା।ସଭାପତି ପଦବୀ ପାଇଁ ପ୍ରକାଶ ମହାନ୍ତି ଏବଂ କୋଷାଧ୍ୟକ୍ଷ ପଦବୀ ପାଇଁ ବିଭୁତି ଭୁଷଣ ବେହେରା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଶନିବାର ସଂପାଦକ ଏବଂ ସହ ସଂପାଦକ ପଦବୀ ପାଇଁ ଆଜି ନିର୍ବାଚନ ହୋଇଥିଲା। ତେବେ ସଂପାଦକ ପଦବୀ ପାଇଁ ଲମ୍ବଦୋର ତୁର୍କୁ ଏବଂ ନୃସିଂହ ଚରଣ ମହାନ୍ତିଙ୍କ ମଧ୍ୟରେ ଟକ୍କର ହେଉଥିବା ବେଳେ  ଉପସଭାପତି ପଦବୀ ପାଇଁ ତିନି ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ଯାଞ୍ଚ ସମୟରେ ଏହି ତିନି ଜଣ କଟିଯାଇଥିଲେ। ଏହାର କାରଣ ହେଲା ଦୀର୍ଘ ୨୦ ବର୍ଷ ଓକିଲାତି କରିଥିବା ଓକିଲମାନେ ହିଁ ଏହି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିପାରିବେ।

ସେହିପରି ଯୁଗ୍ମ ସଂପାଦକ ପାଇଁ ରାଜେଶ ପଟନାୟକ ଏବଂ ହିରୋଜ କୁମାର ପାଣିଗ୍ରାହୀ ମଧ୍ୟରେ ଲଢେଇ ହୋଇଥିଲା।ସଂପାଦକ ପଦବୀରେ ନୃସିଂହ ଚରଣ ମହାନ୍ତି ବିଜୟୀ ହୋଇଥିବା ବେଳେ ଯୁଗ୍ମ ସଂପାଦକରେ ରାଜେଶ ପଟନାୟକ ବିଜୟୀ ହୋଇଥିଲେ।ତେବେ ଚଳିତ ନିର୍ବାଚନରେ କେହି ଉପସଭାପତି ପାଇଁ ଲଢେଇ କରିନଥିବାରୁ ଏଥର ବାର ଆସୋସିଏସନରେ ବିନା ଉପସଭାପତିରେ କାମ ଚାଲିବ।ବିଜୟୀ ଓକିଲମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ମିଳୁଛି।

ସମ୍ବନ୍ଧିତ ଖବର