ସାବଧାନ! ସାପ ଦେଲେଣି ଅଣ୍ଡା, କେତେବେଳେ ବି ନେଇପାରେ ଜୀବନ

ମେ’ରୁ ଜୁଲାଇ ବେଶି ବିପଦ, ଗତ ବର୍ଷ ଯାଇଛି ୨୩ମୁଣ୍ଡ

ଅନୁଗୁଳ : ଅନୁଗୁଳ ବ୍ଲକ୍‌ ଗଡ଼ତରାସ ଗାଁର ଭୋଗଲା ଗୋଚ୍ଛାୟତ। ଗତବର୍ଷ ଜୁଲାଇ ମାସରେ ଏକ ବିଷଧର ସାପ କାମୁଡ଼ାର ସେ ଶିକାର ହେଲେ। କିନ୍ତୁ, ଡାକ୍ତରଖାନା ଗଲେ ନାହିଁ, କି ସାପ ବିଷନାଶକ ଔଷଧ ନେଲେ ନାହିଁ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁ ମନ୍ଦିରରେ ଅଧିଆ ପଡ଼ିଲେ। ଫଳ ଏୟା ହେଲା, କେଇ ଘଣ୍ଟା ପରେ ଦେହ ସାରା ବିଷ ଚରିଗଲା। ଭୋଗଲାଙ୍କ ଜୀବନ ଗଲା। ଇଏ କେବଳ ଭୋଗଲାଙ୍କ କଥା ନୁହେଁ, ଗାଁଗହଳିର ପ୍ରାୟ ଲୋକ ସାପ କାମୁଡ଼ିଲେ ଏପରି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଛନ୍ତି। ଝଡାଫୁଙ୍କା, ଗୁଣି ଗାରେଡ଼ି ଉପରେ ଅଗାଧ ବିଶ୍ୱାସ କରି ଜୀବନକୁ ମରଣ ମୁହଁକୁ ଠେଲି ଦେଉଛନ୍ତି।

ଆରମ୍ଭ ହୋଇଗଲାଣି ବର୍ଷାଋତୁ। ସାପ ଦେଲେଣି ଅଣ୍ଡା। ଆରମ୍ଭ ହୋଇଗଲାଣି ସେମାନଙ୍କ ଘୂରି ବୁଲିବାର ସମୟ। ଅନ୍ଧାର ରାତିରେ ଚଲାବୁଲା ଏବଂ ଚଟାଣରେ ଶୋଉଥିବା ଲୋକମାନେ ସତର୍କ ନହେଲେ କେତେବେଳେ ବି ଏହାର ଶିକାର ହୋଇ ଜୀବନ ଯାଇପାରେ। ଗତବର୍ଷ ଅନୁଗୁଳ ଜିଲ୍ଲାରେ ଶହ ଶହ ଲୋକ ଏ ବିପଦରେ ପଡ଼ିଥିଲେ। ସରକାରୀ ଭାବେ ଯଦିଓ ଗତବର୍ଷର ସର୍ପଘାତଜନିତ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇନାହିଁ, କିନ୍ତୁ ବେସରକାରୀ ଭାବେ ଏ ସଂଖ୍ୟା ୨୦ରୁ ଅଧିକ। ୨୦୨୦ ମସିହା ମେ, ଜୁନ ଓ ଜୁଲାଇ ପ୍ରମୁଖ ତିନି ମାସ ମଧ୍ୟରେ ଗଣମାଧ୍ୟମ ତଥ୍ୟ ମୁତାବକ, ଜିଲ୍ଲାରେ ପ୍ରାୟ ୨୩ଜଣଙ୍କର ସାପ କାମୁଡାଜନିତ ମୃତ୍ୟୁ ହୋଇଥିଲା। ତଥ୍ୟ ମୁତାବକ, ପାଖାପାଖି ୭୦ ପ୍ରତିଶତ ଲୋକଙ୍କୁ ଶୋଇବା ସମୟରେ ହିଁ ବିଷଧର ସାପ କାମୁଡ଼ିଥାଏ। ରାତିରେ ଚଟାଣରେ ଶୋଉଥିବା ସମୟରେ ହିଁ ଅଧିଂକାଶ ଲୋକଙ୍କୁ ସାପ କାମୁଡ଼ି ଥାଏ।

ସମ୍ବନ୍ଧିତ ଖବର