ଶ୍ରୀଶ୍ରୀ ହରିବଳଦେବ ଜୀଉ ଜଗନ୍ନାଥ ମନ୍ଦିରର ହେବ ଉନ୍ନତୀକରଣ, ସ୍ପର୍ଶ ଦେବା କାର୍ଯ୍ୟ ଆରମ୍ଭ

୧୦ ମାସ ମଧ୍ୟରେ କାମ ସରିବା ନେଇ ଆଶା, ପ୍ରଥମ ଦିନରେ ଭଙ୍ଗାଗଲା ମନ୍ଦିର ଆଗରେ ଥିବା ଧ୍ୟାନ ମନ୍ଦିର

ବାରିପଦା: ୨ୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିର ଉନ୍ନତୀକରଣ କାର୍ଯ୍ୟ ଆଜି ଆରମ୍ଭ ହୋଇଛି। ପ୍ରଥମ ଦିନରେ ମନ୍ଦିର ସାମ୍ନାରେ ଥିବା ଧ୍ୟାନ ମନ୍ଦିର ଭଙ୍ଗାଯାଇଛି। ଏହି କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ଚଳିତ ଜାନୁୟାରୀ ୮ରେ ବାରିପଦା ଗସ୍ତରେ ଆସି ୫କୋଟିର ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ। ଏଥିନିମନ୍ତେ ଗତ ନଭେମ୍ବର ୧୬ରେ ଓଡ଼ିଶା ବ୍ରିଜ୍ ଏଣ୍ଡ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ୍ ପକ୍ଷରୁ ୪ କୋଟି ୫ ଲକ୍ଷ ୨୪ ହଜାର ୭୭୬ ଟଙ୍କାର ଟେଣ୍ଡର ଡକାଯାଇଥିଲା । ଆଜି ଟେଣ୍ଡର ନେଇଥିବା ଠିକା ସଂସ୍ଥା ପକ୍ଷରୁ କାର୍ଯ୍ୟ ଆରମ୍ଭ କରିଛି। ଜିଲ୍ଲା ପ୍ରଶାସନ ସହଯୋଗରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି।

ପ୍ରାଥମିକ ପର୍ଯ୍ୟାୟରେ ହରିବଳଦେବଜୀଉ ମନ୍ଦିରର ପୁନଃସଂରକ୍ଷଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ବାରୋପ କରାଯାଇଛି। ମନ୍ଦିର ସମ୍ମୁଖରେ ଥିବା ରାଜାରାଜୁଡ଼ା ଅମଳର ନାଗରା ଭାଡ଼ି ଓ ବଡ଼ଦାଣ୍ଡକୁ ଲାଗିଥିବା ରଥ ଗୋଦାମକୁ ଭଙ୍ଗାଯିବାର ନିଷ୍ପତି ନିଆଯାଇଛି। ଏହି ଦୁଇ ସ୍ଥାନରେ ବହୁତଳପ୍ରାସାଦବିଶିଷ୍ଟ ବହୁମୁଖୀ ସେବାକେନ୍ଦ୍ର ନିର୍ମାଣ ହେବାର ନିଷ୍ପତି ହୋଇଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ୍ ପ୍ରକାଶ କରିଛନ୍ତି। ଏହି ବହୁତଳ ବିଶିଷ୍ଟ ସେବାକେନ୍ଦ୍ରରେ ମନ୍ଦିର କାର୍ଯ୍ୟାଳୟ ସମେତ ଏଠାକୁ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବିଶ୍ରାମସ୍ଥଳ ଆଦି ନିର୍ମାଣ ହେବ। ସେହିପରି ସେବାୟତଙ୍କ ପାଇଁ ମଧ୍ୟ ଏଠାରେ ଏକ କାର୍ଯ୍ୟାଳୟ ଗୃହ ଯୋଗାଇଦିଆଯିବ। ନାଗରା ଭାଡ଼ିରେ ସେବାନୀତି କରିବା ପାଇଁ ବାସ କରୁଥିବା ଏକ ପରିବାରକୁ ମଧ୍ୟ ଉକ୍ତ ସେବାକେନ୍ଦ୍ରରେ ଏକ କୋଠରୀ ଯୋଗାଇଦିଆଯିବ। ସେହିପରି ମନ୍ଦିର ଭିତର ବେଢ଼ାରେ ଆଲୋକୀକରଣ ସହିତ ମନ୍ଦିରକୁ ରଙ୍ଗ ଦିଆଯିବ।

 

ସେହିପରି ନୂତନ ଭୋଗ ଦୋକାନ ଆଦି ନିର୍ମାଣ କରାଯିବ। ଏହି କାର୍ଯ୍ୟ ଆଗାମୀ ୧୦ ମାସ ମଧ୍ୟରେ ସରିବା ନେଇ ଆଶାବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ବାଜ। ସେହିପରି ମନ୍ଦିର ବିକାଶ ବେଳେ ଏହାର ମୌଳିକତା ନଷ୍ଟ କରାଯିବନାହିଁ। ଏହି ବିକାଶ ଦ୍ବାରା ୨ୟଶ୍ରୀକ୍ଷେତ୍ର ବାରିପଦାର ସୌନ୍ଦର୍ଯ୍ୟ ବହୁଗୁଣିତ ହେବା ନେଇ ଉପଜିଲ୍ଲାପାଳ ତଥା ମନ୍ଦିର ପ୍ରଶାସକ ମୁଖ୍ୟ ଅନ୍ବେଷା ରେଡ୍ଡୀ ପ୍ରକାଶ କରିଛନ୍ତି। ସେହିପରି ମଡ୍ୟୁଲାର୍ କିଚେନ୍ ଢାଞ୍ଚାରେ ରୋଷଘର, ଭକ୍ତଙ୍କ ପାଇଁ ଯାତ୍ରୀନିବାସ, ପାନୀୟ ଜଳର ସୁବନ୍ଦୋବସ୍ତ ସହିତ ଶୌଚାଳୟ କମ୍ପ୍ଲେକ୍ସ୍, ବାରିପଦା ସହର ପ୍ରବେଶ ପଥରେ ୨ୟ ଶ୍ରୀକ୍ଷେତ୍ରକୁ ସ୍ବାଗତ କରି ଏକ ନୂତନ ସ୍ବାଗତ ଫାଟକ ସ୍ଥାପିତ ହେବା ନେଇ ଯୋଜନା ରହିଥିବା ଜଣାପଡ଼ିଛି।

ଧ୍ୟାନ ମନ୍ଦିର ଉଚ୍ଛେଦ ନେଇ ଆପତ୍ତି ଜଣାଇଲେ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓ

ଆଜି ଆରମ୍ଭ ହୋଇଥିବା ଶ୍ରୀ ହରିବଳଦେବଜୀଉ ମନ୍ଦିର ଉନ୍ନତୀକରଣ କାର୍ଯ୍ୟ ଅବସରରେ ମୁଖ୍ୟମନ୍ଦିର ଠିକ୍ ସାମ୍ନାରେ କାହିଁ କେଉଁ ଅମଳରୁ ଥିବା ଧ୍ୟାନ ମନ୍ଦିରକୁ ଉଚ୍ଛେଦ କରାଯାଇଛି। ଏନେଇ ଆପତ୍ତି ଉଠାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ। ଏହା ଏକପ୍ରକାର ହେରିଟେଜ୍ ସାଇଟ୍ ଥିଲା। ଧ୍ୟାନ ମନ୍ଦିର ସ୍ଥାପନା ହେବା ପରେ ହିଁ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ବୈଦ୍ୟନାଥ ଭଞ୍ଜଦେଓଙ୍କ ସମେତ ଆହୁରି ଅନେକ ପ୍ରମୁଖ ବ୍ୟକ୍ତିତ୍ବଙ୍କ ଏହା ସ୍ମୃତି ସ୍ଥଳ ଥିଲାବୋଲି ପ୍ରବୀଣ ପ୍ରକାଶ କରିଛନ୍ତି। ମାତ୍ର ଏହାର ସଂରକ୍ଷଣ କରିବା ପରିବର୍ତ୍ତେ ଭାଙ୍ଗିଦେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସେ କହିଛନ୍ତି। ପୁରୁଣା ଲୋକମାନେ ଏହାକୁ ସମାଧି ସ୍ଥଳ ଭାବେ ବିବେଚନା କରିଥାଆନ୍ତି। କେହିକେହି ଏଠାରେ ପୂର୍ବକାଳନରେ ମୁନି ଋଷିମାନେ ଧ୍ୟାନ କରୁଥିବା କୁହନ୍ତି। ମାତ୍ର ଏହି କ୍ଷୁଦ୍ର ମନ୍ଦିରସମୂହରେ କେହି ବ୍ୟକ୍ତି ବସି ଧ୍ୟାନ କରିବା ସମ୍ଭବ ନୁବହେଁ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର