ହତ୍ୟା କରି ହାଟଡିହିରେ ଲୁଚିଥିଲେ ବଙ୍ଗୀୟ ଅପରାଧୀ, ଧରିଲା ପଶ୍ଚିମବଙ୍ଗ ପୁଲିସ

ହାଟଡିହି: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଶ୍ଚିମବଙ୍ଗ ମୁର୍ସିଦାବାଦ୍‌ ଜିଲ୍ଲା ବେଲତାଙ୍ଗ ଥାନା ଡାଳୁଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ହାଣି ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ପରେ ତିନି ଅଭିଯୁକ୍ତ ଗାଁ ଛାଡ଼ି ଆସି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ସୋସୋ ଥାନା ଅଞ୍ଚଳରେ ଲୁଚି ରହିଥିଲେ। ଆଜି ପଶ୍ଚିମବଙ୍ଗ ପୁଲିସ ଆସି ସେମାନଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଏମ୍‌ଡି ଗୁଲାମ ମୁର୍ତ୍ତାଜା, ତା’ର ଭାଇ ମୁସ୍ତଫିଜ ରହେମାନ ଓ ଗୁଲଜାରୀ ସେକ୍‌। ସମସ୍ତଙ୍କୁ ପଶ୍ଚିମବଙ୍ଗ ନିଆଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ବେଲତାଙ୍ଗ ଥାନା ଡାଳୁଆ ଗ୍ରାମରେ ୧୦ ଦିନ ତଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେ. ମୁସରତ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ହାଣି ହତ୍ୟା କରାଯାଇଥିଲା। ଏନେଇ ବେଲତାଙ୍ଗ ଥାନାରେ କେସ ନମ୍ବର ୫୦୯/୨୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ହତ୍ୟାକାଣ୍ଡ ପରେ ତିନି ଅଭିଯୁକ୍ତ ଏମ୍‌ଡି ଗୁଲାମ ମୁର୍ତ୍ତାଜା, ମୁସ୍ତଫିଜ ରହମାନ ଓ ଗୁଲଜାରୀ ସେକ୍‌ ଫେରାର ହୋଇଯାଇଥିଲେ। ସେମାନେ ଓଡ଼ିଶା ପଳାଇ ଆସିଥିଲେ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ସୋସୋ ଥାନା ଅନ୍ତର୍ଗତ ବରାଙ୍ଗରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ରହୁଥିଲେ। ଏକ ଠିକାସଂସ୍ଥା ଅଧୀନରେ ଶ୍ରମିକ ଭାବେ କାମ କରୁଥିଲେ। ଅଭିଯୁକ୍ତଙ୍କ ଫୋନ୍‌ ଟ୍ରାକିଂ କରି ପଶ୍ଚିମବଙ୍ଗ ପୁଲିସ ସେମାନଙ୍କ ସୁରାକ ପାଇଯାଇଥିଲା।

ବେଲତାଙ୍ଗ ଥାନାର ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଅତନୁ ଦାସ, ଏସ୍‌ଆଇ ଗୋବିନ୍ଦ, ଏଏସ୍‌ଆଇ ସମ୍ପିତୋ ପ୍ରମୁଖ ଗତକାଲି ସୋସୋ ଥାନାରେ ପହଞ୍ଚିଥିଲେ। ସେମାନେ ଗତକାଲି ଏକ ସ୍କର୍ପିଓ ଗାଡ଼ିର ନମ୍ବର ପ୍ଲେଟ୍‌ରେ କାଦୁଅ ବୋଳି ଦିନସାରା ସ୍ଥାନୀୟ ଅଞ୍ଚଳରେ ଘୂରି ବୁଲିବା ସହ ଅଭିଯୁକ୍ତଙ୍କୁ ଠାବ କରିଥିଲେ। ରାତିରେ ସୋସୋ ପୁଲିସ ସହଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସୋସୋ ଥାନା ଏସ୍‌ଆଇ ଏସ୍‌କେ ରାଉତରାୟ, ଏଏସ୍‌ଆଇ କେସି ସାମଲ ପଶ୍ଚିମବଙ୍ଗ ପୁଲିସକୁ ସହଯୋଗ କରିଥିଲେ। ଅଭିଯୁକ୍ତଙ୍କ ଗିରଫ କରି ପ୍ରଥମେ ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନାକୁ ନିଆଯାଇଥିଲା। ସେଠାରୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ହାଟଡିହି କୋର୍ଟରେ ହାଜର କରାଯାଇ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ନିଆଯାଇଛି।

ସମ୍ବନ୍ଧିତ ଖବର