ବ୍ରହ୍ମପୁର: ଯାତ୍ରା ଅଭିନେତାଙ୍କ ଛୁରାଘାତରେ ସହ ଅଭିନେତା ଆହତ

ବ୍ରହ୍ମପୁର: ଆଜି ପ୍ରତ୍ୟୁଷରେ ଏକ ଗଣନାଟ୍ୟ ପ୍ରତିଷ୍ଠାନର ଜଣେ ଅଭିନେତାଙ୍କ ଛୁରିକାଘାତରେ ଅନ୍ୟ ଜଣେ ଅଭିନେତା ଆହତ ହୋଇଛନ୍ତି।

ସ୍ଥାନୀୟ ଅଞ୍ଚଳରେ ଆଜି ସକାଳେ ପାର୍ବତୀ ଗଣନାଟ୍ୟ ଦ୍ୱାରା ମଞ୍ଚସ୍ଥ ନାଟକ ଶେଷ ହେବା ପରେ ରୁମ୍‌କୁ ଯିବା ବାଟରେ ୨୫ ବର୍ଷିୟ ଅଭିନେତା ସୁଶାନ୍ତ ସାହୁ ଏବଂ ସଞ୍ଜୟ ବେହେରାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। କଜିଆ ବଢ଼ି ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା ଏବଂ ଉତ୍‌କ୍ଷିପ୍ତ ସୁଶାନ୍ତ ନିଜ ବ୍ୟାଗ୍‌ରୁ ଏକ ଛୁରି କାଢ଼ି ସଞ୍ଜୟଙ୍କ ଛାତି ଓ ପିଠିରେ ଭୁଷି ପକାଇଥିଲେ।

ଚିକିତ୍ସା ପାଇଁ ଆହତ ସଞ୍ଜୟଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଡାକ୍ତରଖାନା ନିଆଯାଇଥିଲା। ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି।

ସମ୍ପୃକ୍ତ ଯାତ୍ରା ପ୍ରତିଷ୍ଠାନର ପରିଚାଳକ ଗୌତମ ସ୍ୱାଇଁ ସୁଶାନ୍ତଙ୍କ ନାମରେ ହିଞ୍ଜିଳିକାଟୁ ଥାନରେ ଏଫ୍‌ଆଇଆର୍‌ ଦେଇଛନ୍ତି। ଭଦ୍ରକ ଜିଲ୍ଲା ଅନ୍ତର୍ଗତ କୁମାରପୁର ନିବାସୀ ସୁଶାନ୍ତଙ୍କୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର