ଭରତପୁର କୋଇଲା ଖଣିରେ ଉଦ୍ଧାର କାର୍ଯ୍ୟ ଚତୁର୍ଥ ଦିନରେ : ଏବେ ବି ଜଣେ ଶ୍ରମିକ ନିଖୋଜ

ହାତ ଓ ପେଟର ଅଂଶ ଉଦ୍ଧାର , ସୁରକ୍ଷା ଦାବିରେ ଖଣି ବନ୍ଦ ଆନ୍ଦୋଳନ ତୃତୀୟ ଦିନରେ, ଭରତପୁର ଖଣି ପରିଚାଳକ ନିଲମ୍ବିତ

ତାଳଚେର : ଏମ୍‌ସିଏଲର ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ଉଦ୍ଧାର କାର୍ଯ୍ୟ ଆଜି ଚତୁର୍ଥ ଦିନ ଅତିକ୍ରମ କରିଛି। ମାଟି ଓ କୋଇଲା ଗଦା ତଳେ ଚାପି ହୋଇ ରହିଥିବା ଜଣେ ଶ୍ରମିକ ଏବେ ବି ନିଖୋଜ ଅଛନ୍ତି। କେବଳ ହାତ ଖଣ୍ଡ ଓ ପେଟର କିଛି ଅଂଶ ଛଡ଼ା ଆଉ କିଛି ଉଦ୍ଧାର କରିବାକୁ ସକ୍ଷମ ହୋଇ ନାହିଁ ଉଦ୍ଧାରକାରୀ ଦଳ।

ଆଜି ମଧ୍ୟ ଦୁର୍ଘଟଣା ସ୍ଥଳରେଏନ୍‌ଡିଆରଏଫ ଟିମ୍‌, ଖଣି ଉଦ୍ଧାରକାରୀ ଦଳ ଓ ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକଙ୍କ ସମେତ ବରିଷ୍ଠ ଖଣି ଅଧିକାରୀ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ତେବେ ଆଜି ଦିନତମାମ କସରତ ପରେ ଉଦ୍ଧାରକାରୀ ଦଳ ଜଣେ ମଣିଷର କଟା ହାତ ଓ ପେଟର କିଛି ଅଂଶକୁ ଉଦ୍ଧାର କରିଥିଲେ ମଧ୍ୟ ନିଖୋଜ ସୁରକ୍ଷା କର୍ମୀ ଲକେଇପଶି ଗ୍ରାମର ରମେଶ ଦାସଙ୍କ ପତ୍ତା ପାଇ ପାରିନାହାନ୍ତି। ଅନ୍ୟପକ୍ଷରେ ମୃତ ଶ୍ରମିକମାନଙ୍କ ପରିବାରକୁ ସହାୟତା ଓ ନିଯୁକ୍ତି, ଖଣିରେ କାର୍ଯ୍ୟରତ ଶ୍ରମିକଙ୍କୁ ସୁରକ୍ଷା ଓ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ପକ୍ଷରୁ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। କ୍ରମାଗତ ତିନି ଦିନ ଧରି ସମସ୍ତ କୋଇଲା ଖଣିଗୁଡିକରେ ଉତ୍ପାଦନ ଓ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିବା ଫଳରେ ବିଭିନ୍ନ କଳକାରଖାନାରେ ଜାଳେଣି ସଂକଟ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। ବିଜେପି ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏହି ଆନ୍ଦୋଳନର ନେତୃତ୍ବ ନେଇଛନ୍ତି।

ସୂଚନାଯୋଗ୍ୟ, ଭରତପୁର କୋଇଲା ଖଣିରେ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ଶହେ ଫୁଟ୍ ଉଚ୍ଚର ଏକ ମାଟି ଓ କୋଇଲା ଗଦା ହଠାତ୍‌ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଚାରିଜଣ ଶ୍ରମିକ ଚାପି ହୋଇ ରହିଥିଲେ। ବୁଧବାର ଜଣେ ଶ୍ରମିକ ଓ ଶୁକ୍ରବାର ଆଉ ଦୁଇଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଭରତପୁର ଖଣି ପରିଚାଳକ ନିଲମ୍ବିତ

ତାଳ‌େଚର : ଭରତପୁର କୋଇଲା ଖଣି ଦୁର୍ଘଟଣା ପ୍ରସଙ୍ଗରେ ଏମ୍‌ସିଏଲ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି ଏମ୍‌ସିଏଲ୍‌ ସିଏମ୍‌ଡି ଭରତପୁର ଖଣି ପରିଚାଳକ ଭି କେ ସିଂଙ୍କୁ ନିଲମ୍ବିତ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ଓ ଠିକ ରୂପେ କାର୍ଯ୍ୟ ସଂପାଦନା କରି ନ ଥିବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଏକ ପ୍ରେସ୍ ବିବୃତିରେ ଏମ୍‌ସିଏଲ୍ ପକ୍ଷରୁ କୁହାଯାଇଛି। ଏମ୍‌ସିଏଲର ତାଳଚେରଠାରେ ଥିବା ପ୍ରବନ୍ଧକଗଣ, ପ୍ରଶାସନ ଓ ଉଦ୍ଧାରକାରୀ ଦଳର ସହାୟତାରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି ବୋଲି ଏମ୍‌ସିଏଲ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର