ଭୁବନେଶ୍ୱର ହେଉଛି ଭାରତର ହକି କ୍ୟାପିଟାଲ: ନରିନ୍ଦର ବାତ୍ରା

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ମଙ୍ଗଳବାର ଉଦ୍‌ଘାଟନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟନ ହେବା ପରେ ଇଣ୍ଟରନ୍ୟାସନାଲ ହକି ଫେଡେରେସନର ସଭାପତି ଡ. ନରିନ୍ଦର ବାତ୍ରା ଭୁବନେଶ୍ୱରକୁ ଭାରତର ହକି କ୍ୟାପିଟାଲ ବୋଲି କହିଛନ୍ତି। କଳିଙ୍ଗ ଷ୍ଟାଡିୟମ ବିଶ୍ୱର ଶ୍ରେଷ୍ଠ ଷ୍ଟାଡିୟମ ତାଲିକାରେ ସ୍ଥାନ ପାଇଛି। ହକି ବିଶ୍ୱକପ୍‌ ପାଇଁ ଓଡ଼ିଶା ସଫଳ ଆୟୋଜନ କରିଛି ବୋଲି ସେ କହିଛନ୍ତି।

ଓସ୍କାର ପୁରସ୍କାର ବିଜେତା ଏ ଆର ରେହମାନ୍‌ ଦର୍ଶକପୂର୍ଣ୍ଣ କଳିଙ୍ଗ ଷ୍ଟାଡିୟମ୍‌ର ଆଥଲେଟିକ୍‌ ଗ୍ରାଉଣ୍ଡରେ ନିଜର ପ୍ରସ୍ତୁତି ଦେଇଛନ୍ତି। ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣରେ ‘ଜୟ ହିନ୍ଦ୍‌, ଜୟ ଇଣ୍ଡିଆ’ ଗାନରେ ସମାରୋହର ଆୟାଜନସ୍ଥଳ କମ୍ପି ଉଠିଛି।

ହକି ବିଶ୍ୱକପର ଅଫିସିଆଲ ସଙ୍ଗ ବ୍ୟତୀତ ବଲିଉଡ ଫିଲ୍ମ ସଙ୍ଗୀତ ଏବଂ ଶାସ୍ତ୍ରୀୟ ସଂଗୀତକୁ ମଧ୍ୟ ରେହମାନ୍‌ ପ୍ରସ୍ତୁତ କରିଛନ୍ତି। ଉଦ୍‌ଘାଟନୀ ସମାରୋହରେ ଏକ ହଜାରରୁ ଅଧିକ କଳାକାର ନିଜର ପ୍ରସ୍ତୁତି ଦେଇଥିବା ବେଳେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟକୁ ଏଥିରେ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି।

ରଂଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଉଦ୍‌ଘାଟିତ ହୋଇଥିବା ସମାରୋହର ଅନ୍ୟତମ ଆକର୍ଷଣ ବଲିଉଡ ଅଭିନେତା ଶାହରୁଖ ଖାନ୍‌ ଏବଂ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ମଂଚରେ ଉପସ୍ଥିତ ହେବା ପରେ ଦର୍ଶକମାନେ ମଧ୍ୟ ନାଚି ଉଠିଥିଲେ।

ବିଶ୍ୱର ୧୬ଟି ଶ୍ରେଷ୍ଠ ଟିମ୍‌କୁ ନେଇ ନଭେମ୍ବର ୨୮ରୁ ଆରମ୍ଭ ହେଉଥିବା ହକି ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଘାଟନ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିବା ଟିମ୍‌ଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି। ସେହିଭଳି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର ମଧ୍ୟ ହକି ବିଶ୍ୱକପକୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର