ମୋ ଖୁସି ପାଇଁ କରିଥିଲା ରାଜ୍ୟସ୍ତରୀୟ କବି ସମ୍ମିଳନୀ : ଧୃବଚରଣ ପଟ୍ଟନାୟକ

ଜଗତସିଂହପୁର ଟାଉନ୍ : ସ୍ୱର୍ଗତ ବିଜୟ ପଟ୍ଟନାୟକଙ୍କ ବାପା ବିଶିଷ୍ଟ ସାହିତ୍ୟିକ ଧୃବଚରଣ ପଟ୍ଟନାୟକ ସାହିତ୍ୟ ମନସ୍କ । ବିଭିନ୍ନ ସଭାସମିତିରେ ସେ ସକ୍ରିୟ । ଲେଖା ଲେଖିରେ ରୁଚି ରହିଛି । ତେବେ ୨୦୧୭ ମସିହାରେ ନିଜ ଗାଁରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ କରିଥିଲେ ବିଜୟ । ସାରା ରାଜ୍ୟରୁ ଶହ ଶହ କବି/କବୟିତ୍ରୀ ଯୋଗ ଦେଇଥିଲେ ।

ଧୁମ୍ ଧାମ୍‌ରେ ଆଡମ୍ବରପୂର୍ଣ୍ଣ ଭାବେ ସମ୍ମିଳନୀ କରାଯାଇଥିଲା । କେବଳ ବାପାଙ୍କ ଖୁସି ପାଇଁ ବିଜୟ ଏଭଳି କରିଥିଲେ । ଆଜି ତାଙ୍କର ଦେହାନ୍ତ ଖବର ପାଇବା ପରେ ଏ କଥା ମନେ ପକାଇ ବାପା ଧୃବ ଚରଣ କହୁଥିଲେ ମୋ ପୁଅ ହୀରା ଖଣ୍ଡ । ମୋ ଖୁସି ପାଇଁ କରିଥିଲା ରାଜ୍ୟସ୍ତରୀୟ କବି ସମ୍ମିଳନୀ ।

ମୋ ବାପାଙ୍କୁ ଆଉ ନିଅନି
ମୋ ବାପାଙ୍କୁ ନିଅନି । ରୁହ.. ଆଉ ଟିକେ ରୁହ… । ମୋ ବାପାଙ୍କୁ ଟିକେ ଶେଷ ଥର ପାଇଁ ଦେଖି ନିଏ । ଆଖିରେ ଆଖିଏ ଲୁହ, ଛାତି ଭିତରେ ଭରା କୋହ ଧରି ବିଜୟ ପଟ୍ଟନାୟକଙ୍କ ମରଶରୀର ନିକଟରେ ଏମିତି କହୁଥିଲେ ଝିଆରି ସୋମନ ପଟ୍ଟନାୟକ । ସାନ ଭାଇ ଅଜୟ ପଟ୍ଟନାୟକଙ୍କ ଝିଅ ହୋଇଥିଲେ ବି ବିଜୟ ନିଜ ଝିଅଠାରୁ ବି ଅଧିକ ଗେହ୍ଲା କରିଥିଲେ । ୨୨ ଦିନରୁ ଅଧିକ ସମୟ ସୋମନ ତାଙ୍କ ପାଖେ ପାଖେ ରହିଥିଲେ । ଏମିତିକି ଆମ୍ଭୁଲାନ୍ସ ଓ ଶେଷରେ ମଶାଣିକୁ ମଧ୍ୟ ଯିବାକୁ ପଛାଇ ନଥିଲେ । ଜୁଇକୁ ନେବା ସମୟରେ ତାଙ୍କ ଅଧର୍ଯ୍ୟ ପଣ ସମସ୍ତଙ୍କୁ କନ୍ଦେଇ ଥିଲା।

ତା ଆଗରୁ ମତେ କାହିଁକି ମରଣ ନହେଲା
ତା ଆଗରୁ ବିଧାତା ମତେ କାହିଁକି ନେଇ ଗଲାନି । ମୋ ପୁଅ ବଦଳରେ ମୁଁ ମରିଯାଇଥାନ୍ତି । କଣ ମୁଁ ଦୋଷ କରିଥିଲି ମୋ ଆଖି ଆଗରେ ମୋ ପୁଅ ଚାଲି ଗଲା। ଭାବିଥିଲି ତା କାନ୍ଧରେ ମଶାଣିକୁ ଯିବି……. । ହେ ମୋ ପୁଅ….. କୁଆଡେ ଗଲା। ଏଇ କଥା ପଦକ ବାରମ୍ବାର କହି ଆଖିରୁ ଲୁହ ଗଡ଼ାଉଥିଲେ ମା ପ୍ରତିଭା ପଟ୍ଟନାୟକ। ବୟସର ଅପରହ୍ନରେ ଏଭଳି ଦୁଃଖକୁ ସହ୍ୟ କରି ପାରୁ ନଥିଲେ । ପୁଅର ମର ଶରୀର ଆସିବା କ୍ଷଣି ଘରୁ ବାହାରକୁ ଚାଲି ଆସିଥିଲେ ବାପା-ମା।

ଗାଁକୁ ଭୁଲି ନଥିଲେ ବିଜୟ
ଭୁବନେଶ୍ୱରରେ ପ୍ରତିଷ୍ଠିତ । ଓଡିଆ ସମ୍ବାଦ ଶିଳ୍ପର ବଡ଼ ଚେହେରା । ମାନ ସମ୍ମାନ କେଉଁଥିରେ ବି କିଛି କମ୍ ନଥିଲା । ସହରର ଭିଡ଼ ଓ ଚାକଚକ୍ୟ ଦୁନିଆ ଭିତରେ ସେ କେବେ ହେଲେ ଗାଁକୁ ଭୁଲି ନଥିଲେ । ଗାଁ ପ୍ରତି ତାଙ୍କ ଥିଲା ଅହେତୁକ ଆବିଳତା । ଫୁରୁସତ ମିଳିଲେ ଗାଁକୁ ଆସି ରହୁଥିଲେ । ଗାଁ ଲୋକଙ୍କ ଭଲ ମନ୍ଦ ବୁଝୁଥିଲେ। ଗାଁର କେହି ଦୁଃଖରେ ପଡ଼ିଥିବା ଜାଣିଲେ ତାଙ୍କୁ ଅକୁଣ୍ଠରେ ସହଯୋଗର ହାତ ବଢ଼ାଉଥିଲେ। ଝିଅ ବାହାଘର ହେଉ କିମ୍ବା ଚିକିତ୍ସା ପାଇଁ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଉଥିଲେ। ଖାସ୍ ଏଥି ପାଇଁ ଗାଁରେ ବିଜୟ ପଟ୍ଟନାୟକଙ୍କର ନିଆରା ପରିଚୟ ରହିଛି । ଆଜି ତାଙ୍କ ଆବର୍ତ୍ତମାନରେ ତାଙ୍କ ସ୍ମୃତିକୁ ମନେ ପକାଇ ଗାଁ ଝୁରୁଛି ।

ଗାଁରେ ଧର୍ମାନୁଷ୍ଠାନ ଗଢ଼ି ପାଉଥିଲେ ଆନନ୍ଦ
ଆଧ୍ୟାତ୍ମିକ ଚେତନାବାଦୀ ଥିଲେ ବିଜୟ ପଟ୍ଟନାୟକ । ଗାଁରେ ଧର୍ମାନୁଷ୍ଠାନ ଗଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ ଶ୍ରୀ ଶିରିଡ଼ି ସାଇ ମନ୍ଦିର, ଜଗନ୍ନାଥ ମନ୍ଦିର, ତ୍ରିନାଥ ମନ୍ଦିର, ଭାଗବତ ଘର ସବୁ ତାଙ୍କ ପ୍ରଚେଷ୍ଠା ଓ ଆର୍ଥିକ ସାହଯ୍ୟରେ ପୂର୍ଣ୍ଣାଙ୍ଗ ହୋଇଛି । ଗାଁରେ ସନ୍ଧ୍ୟା ସମୟରେ ଲୋକମାନଙ୍କୁ ଏକାଠି କରିବାକୁ ଭାଗବତ ଘର କରିଛନ୍ତି । ଏହା ଛଡ଼ା ବିଭିନ୍ନ ପୂଜା ପାର୍ବଣରେ ସେ ଅକୁଣ୍ଠ ଚିତ୍ତରେ ସହଯୋଗ କରୁଥିଲେ । ତାଙ୍କ ଭଳି ପରୋଉପକାରୀ ମଣିଷ ମିଳିବେ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।

ସମ୍ବନ୍ଧିତ ଖବର