ବିଜେପୁର ଉପନିର୍ବାଚନ : ଚର୍ଚ୍ଚାରେ ସୁଶାନ୍ତଙ୍କ ଭବିଷ୍ୟବାଣୀ

ବରଗଡ଼ : ବିଜେପୁରରେ ବିଜେଡି ବିଜୟୀ ହୋଇଥିଲେ ହେଁ ଏତେ ବଡ଼ ଭୋଟ୍‌ ବ୍ୟବଧାନ‌ର ବିଜୟ ମିଳିବ ବୋଲି ଆ‌କଳନ କରିନଥିଲା। ଦଳ ଅତିବେଶୀରେ ୬୦-୬୫ ହଜାର ଭୋଟ୍‌ ବ୍ୟବଧାନରେ ବିଜୟ ମିଳିବ ବୋଲି ହିସାବ ଲଗାଇଥିଲା ଦଳ। ତେବେ ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂ ଦଳ ୧.୨୦ ଲକ୍ଷ ଭୋଟ୍‌ ଟପିବ ବୋଲି ଭବିଷ୍ୟବାଣୀ କରିଥିଲେ। ଭୋଟ ବ୍ୟବଧାନ ତାଙ୍କ ଅନୁମାନକୁ ମଧ୍ୟ ଟପି ଯାଇଛି। ଗତ ଉପନିର୍ବାଚନ ଭଳି ଏଥର ମଧ୍ୟ ସୁଶାନ୍ତ ଶ୍ରେୟ ପାଇବା କଥା ବୋଲି ତାଙ୍କ ସମର୍ଥକମାନେ ସୋସିଆଲ୍‌ ମିଡିଆରେ ଖୋଲା ଟିପ୍ପଣୀ କରୁଛନ୍ତି। ଗତ ଉପନିର୍ବାଚନରେ ତାଙ୍କୁ ମନ୍ତ୍ରୀପଦ (ଶକ୍ତି ବିଭାଗ) ପୁରସ୍କାର ସ୍ବରୂପ ମିଳିଥିଲା। ଏଥର ବିଜେପୁର ଉପନିର୍ବାଚନର ପ୍ରାରମ୍ଭିକ ପ୍ରକ୍ରିୟାଠାରୁ ଆରମ୍ଭ କରି ପ୍ରଚାରର ଶେଷ ମୁହୂର୍ତ୍ତ ଯାଏ ଶ୍ରୀ ସିଂଙ୍କ ସକ୍ରିୟ ଭୂମିକା ଦେଖିବାକୁ ମିଳିଥିଲା। ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡିରେ ସାମିଲ କରାଇବା। ରୀତାଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ନିର୍ବାଚନ ମଣ୍ଡଳୀର ନିରପେକ୍ଷ ବ୍ଲକ ଗାଇସିଲାଟ୍‌ରେ ବିଜେଡିର ଦବ୍‌ଦବା ରଖିବା ପ୍ରଭୃତିରେ ମନ୍ତ୍ରୀ ଶ୍ରୀ ସିଂଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ଚର୍ଚ୍ଚା ହୁଏ। ନିର୍ବାଚନ ପୂର୍ବରୁ ଶ୍ରୀ ସିଂ ନିଶ୍ଚିତ ବିଜୟ ନେଇ ଦମ୍ଭୋକ୍ତି କରିଥିଲେ। ୨୦୦୯ରୁ କ୍ରମାଗତ ଭାବେ ଭଟଲି ଆସନରୁ ବିଜୟୀ ହୋଇଥିବା ଶ୍ରୀ ସିଂଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମେ ଦଳର ଚାଷୀ ସେଲ୍‌ ଆବାହକ ନିଯୁକ୍ତ କରିଥିଲେ। ତାଙ୍କ ତତ୍ୱାବଧାନରେ ସୋହେଲାରେ ବିରାଟ ଚାଷୀ ସମାବେଶ ହୋଇଥିଲା। ଯାହାଫଳରେ ସେ ମୁଖ୍ୟମନ୍ତ୍ରୀ ପ୍ରିୟପାତ୍ର ସାଜିଥିଲେ। ସଫଳ ସୋହେଲା ସମାବେଶ ପରେ ୨୦୧୬ରେ ତାଙ୍କୁ ବରଗଡ଼ ଜିଲ୍ଲା ପ୍ଲାନିଂ କମିଟି ଅଧ୍ୟକ୍ଷ ଭାବେ ପୁରସ୍କୃତ କରାଗଲା। ଏହାପରେ ଶ୍ରମମନ୍ତ୍ରୀ ପଦ। ପୁଣି ଶକ୍ତି ବିଭାଗ ଏବଂ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ। ୨୦୦୯ ମସିହାରେ ଭଟଲିରୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ଟିକଟ୍‌ ଚୂଡ଼ାନ୍ତ ହୋଇଥିଲା। ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁଶାନ୍ତଙ୍କ ସମର୍ଥକମାନେ ବିରାଟ ବାଇକ ରାଲିରେ ମାଡ଼ି ଆସୁଥିଲେ। ରାଲି ବରଗଡ଼ ପହଂଚିବା ପୂର୍ବରୁ ତାଙ୍କୁ ଭଟଲିରୁ ପ୍ରାର୍ଥୀ କରାଯିବା ସଂପର୍କରେ ଘୋଷଣା କରାଗଲା ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରେଢ଼ାଖୋଲରୁ ଲଢ଼ିବାକୁ ପଡ଼ିଲା। ସେହି ଦିନରୁ ସୁଶାନ୍ତ ପଶ୍ଚିମ ଓଡ଼ିଶାର ରାଜନୀତିରେ ତାଙ୍କର ସୁଦୃଢ଼ ପାଦ ଜମାଇଛନ୍ତି।

ସମ୍ବନ୍ଧିତ ଖବର