ଏମ୍ସରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ଉପକୃତ‌ ହୋଇଛନ୍ତି ୭୧୨୪ ରୋଗୀ

ଟୋକନ୍ ପ୍ରଦାନରେ ବିଳମ୍ବ ଯୋଗୁଁ ନାକେଦମ୍ ହେଉଥିଲେ, ଆଉ ଏକ ପୋର୍ଟାଲ ଖୋଲିବା ପରେ ସ୍ଥିତିରେ ସୁଧାର

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏଯାଏ ଏମ୍ସର ୭୧୨୪ ରୋଗୀ ଲାଭାନ୍ବିତ ହୋଇଛନ୍ତି। ୨୦୧୯ ମସିହା ଜୁଲାଇ ମାସ ୧ ତାରିଖରୁ ଏମ୍ସରେ କାର୍ଯ୍ୟକାରୀ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ଏଥିରେ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ରାସନ୍‌କାର୍ଡଧାରୀଙ୍କୁ ଔଷଧ, ଡାଏଲିସିସ୍‌, କେମୋଥେରାପି ସହିତ ସମସ୍ତ ପ୍ରକାର ପରୀକ୍ଷା ପାଇଁ ରୋଗୀଙ୍କୁ କୌଣସି ପ୍ରକାର ଖର୍ଚ କରିବାକୁ ପଡ଼େନାହିଁ। ୨ ବର୍ଷ ମଧ୍ୟରେ ଏହି ଯୋଜନାରେ ରାଜ୍ୟ ସରକାର ଏମ୍ସକୁ ୧୪ କୋଟି ଟଙ୍କା ଦେଇଥିବା ଏମ୍ସ ପକ୍ଷରୁ କୁହାଯାଇଛି। ଗରିବ ରୋଗୀଙ୍କୁ ନିଃଶୁଳ୍କ ସେବା ବ୍ୟବସ୍ଥା ଉପଲବ୍ଧ ପାଇଁ ଡାକ୍ତରଖାନାରେ ସ୍ବତନ୍ତ୍ର ଡେସ୍କ ରହିଛି। ଜଣେ ସ୍ବାସ୍ଥ୍ୟମିତ୍ରଙ୍କୁ ନିଯୁକ୍ତି ଦିଆଯାଇଥିଲା। ରୋଗୀ ରାସନ କାର୍ଡ ସହିତ ଆବଶ୍ୟକ ଦସ୍ତାବିଜ ଦାଖଲ କରିଥା’ନ୍ତି।

ମାତ୍ର ଏଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ନେବା ପାଇଁ ଦୈନିକ ପ୍ରାୟ ୬୦ରୁ ଅଧିକ ରୋଗୀ ଧାଡ଼ି ଲଗାନ୍ତି। ସକାଳ ୧୦ଟାରୁ ୫ଟା ମଧ୍ୟରେ ଜଣେ ବ୍ୟକ୍ତିଙ୍କ ପାଇଁ ଏତେ ସଂଖ୍ୟକ ରୋଗୀଙ୍କ ଦସ୍ତାବିଜ ନେଇ ପୋର୍ଟାଲରେ ଦାଖଲ କରିବାକୁ ଅନେକ ସମୟ ଲାଗିଯାଏ। ଏଥିପାଇଁ ୨ରୁ୩ ଦିନ ମଧ୍ୟ ରୋଗୀଙ୍କ ସମ୍ପର୍କୀୟ ଧାଡ଼ିରେ ଛିଡ଼ା ହେବାକୁ ପଡ଼େ।

ଅନ୍ୟପକ୍ଷରେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜଣେ କିଡ୍‌ନି ରୋଗୀଙ୍କ ପାଇଁ ୬ଟି ଡାଏଲିସିସ୍‌ ପାଇଁ ଅନୁମୋଦନ ଦିଆଯାଉଛି। ଯାହା ୨ ସପ୍ତାହରେ ସରିଯାଉଛି। ରୋଗୀଙ୍କ ସମ୍ପର୍କୀୟଙ୍କୁ ପୁନର୍ବାର ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି। କିଡନି ରୋଗୀଙ୍କ ଡାଏଲିସିସ ପାଇଁ ସ୍ବତନ୍ତ୍ର ପ୍ୟାକେଜ କିମ୍ବା ଏଭଳି ବ୍ୟବସ୍ଥା ହୁଅନ୍ତା ଯେଉଁଠି ସେ ଏକାସହିତ ୨ ମାସ ଡାଏଲିସିସ୍‌ ନେଇ ପାରନ୍ତେ। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି। ଏମ୍ସରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହାର ସୁବିଧା ନେବା ପାଇଁ ରୋଗୀ ଏବଂ ସମ୍ପର୍କୀୟ ଯେଉଁଭଳି ନାକେଦମ୍‌ ହେଉଛନ୍ତି, ଏଥିପ୍ରତି ଉଭୟ ଏମ୍ସ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ଦୃଷ୍ଟିଦେବାକୁ ରୋଗୀମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର