ବିଳମ୍ବିତ ରାତ୍ରିରେ ସ୍ୱର୍ଗଦ୍ୱାରରୁ ବିଜୁ ପଟ୍ଟନାୟକ ସ୍ମୃତି ପୀଠକୁ ଉଚ୍ଛେଦ କରିଲା ପ୍ରଶାସନ

ପୁରୀ: ଶ୍ରୀମନ୍ଦିରର ଚତୁଃପାର୍ଶ୍ଵରୁ ଆଜି ବି ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ପ୍ରଶାସନ ସ୍ୱର୍ଗଦ୍ୱାରରୁ ବିଜୁ ପଟ୍ଟନାୟକ ସ୍ମୃତି ପୀଠକୁ ଉଚ୍ଛେଦ କରିଥିବା ଜଣାଯାଇଛି । ସ୍ୱର୍ଗଦ୍ୱାରର ଆଧୁନିକୀରଣ ପାଇଁ ବିଜୁ ପଟ୍ଟନାୟକ ସ୍ମୃତି ପୀଠକୁ ହଟାଇବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

ସ୍ୱର୍ଗଦ୍ୱାର ଉଚ୍ଛେଦ ଆରମ୍ଭ ହୋଇଥିବା ବେଳେ ଅପ୍ରୀତିକର ପରିସ୍ଥିତିକୁ ନଜର ରଖି ରାତିଅଧିଆ ଏଭଳି କରାଯାଇଥିବା କୁହାଯାଉଛି । ସ୍ବର୍ଗଦ୍ୱାର ବିକାଶ ପାଇଁ ହୋଇଥିବା ସମୀକ୍ଷା ବୈଠକ ପରେ ବିଜୁ ସମାଧିକୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ । ନବୀନ କହିଥିଲେ ଯେ, ବିଜୁବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି । ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା, ତାହା ଏବେ ଓଡ଼ିଶାବାସୀଙ୍କ ସେବାରେ ଲାଗିବ।

ସୂଚନାଯୋଗ୍ୟ, ୧୯୯୭ ଏପ୍ରିଲ ୧୭ରେ ବିଜୁ ପଟ୍ଟନାୟକଙ୍କର ଦେହାନ୍ତପରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଆଉ ପରବର୍ତ୍ତୀ ସମୟରେ ସ୍ୱର୍ଗଦ୍ୱାରର ପ୍ଲଟ ନମ୍ବର ୧୪୫୨ ଓ ୧୪୫୫ ମଧ୍ୟରେ ବିଜୁ ବାବୁଙ୍କର ସମାଧି ତିଆରି କରାଯାଇଥିଲା । ତେବେ ପୁରୀ ସମେତ ସ୍ୱର୍ଗଦ୍ୱାରର ସୌନ୍ଦର୍ଯ୍ୟକରଣ ପାଇଁ ଯେତେବେଳେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଲେ, ସେତେବେଳେ ବିଜୁଙ୍କ ସମାଧି ଉଚ୍ଛେଦ କରିବାକୁ ମଧ୍ୟ ଦାବି ଉଠିଥିଲା। କେତେକ ସଙ୍ଗଠନ ପକ୍ଷରୁ ଏହି ଦାବି ଉଠିଥିବା ବେଳେ ଏହାକୁ କିଛି ସଙ୍ଗଠନ ବିରୋଧ ମଧ୍ୟ କରିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏହି ବିବାଦର ଅନ୍ତ ଘଟାଇଥିଲେ।

ସମ୍ବନ୍ଧିତ ଖବର