ଯାତ୍ରୀବାହୀ ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ନୂଆପଡ଼ା: ରବିବାର ସକାଳ ୯ଟା ପରେ ୩୫୩ ନମ୍ବର ଜାତୀୟ ରାଜପଥର ଖରିଆର ରୋଡ୍‌ ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତି ହେଉଛନ୍ତି ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଚାଳକ। ଏପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିନାହିଁ।

ପ୍ରାପ୍ତ ସୂଚନା ଅନୁସାରେ, ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାୟପୁରରୁ ‘ସିଜି ୦୪ଇ୧୬୮୬’ ନମ୍ବରବିଶିଷ୍ଟ ଏକ ଯାତ୍ରୀବାହୀ ବସ୍‌ କଳାହାଣ୍ଡିର ମହାଲିଙ୍ଗ ଅଭିମୁଖେ ଯାଉଥିଲା। ଏହି ସମୟରେ ନୂଆପଡ଼ା ପଟରୁ ‘ଓଡି୨ଡି୬୭୨’ ନମ୍ବରବିଶିଷ୍ଟ ପ୍ଲାଟିନା ବାଇକ୍‌ ଚଳାଇ ଜଣେ ବ୍ୟକ୍ତି ଖରିଆର୍‌ ରୋଡ୍‌ ଆଡ଼େ ଯାଉଥିଲେ। ଦ୍ରୁତ ବେଗରେ ଆସୁଥିବା ଉକ୍ତ ବସ୍‌ଟି ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ବାଇକ୍‌ ସହ ସାମ୍ନାସାମ୍ନି ଧକ୍କା ଖାଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିଲା।

ନୂଆପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବାଇକ୍‌ ଆରୋହୀଙ୍କ ଶବ ଓ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରିଛି। ଦୁର୍ଘଟଣା ଘଟାଇଥିବା ବସ୍‌କୁ ନୂଆପଡ଼ା ଥାନାରେ ଅଟକ ରଖିବା ସହ ପୁଲିସ ଘଟଣାର ତଦନ୍ତ ଚଳାଇଛି। ବସ୍‌ର ଡ୍ରାଇଭର୍‌ ଓ ହେଲ୍‌ପର୍‌ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର