ସାହିତ୍ୟ ଅକାଦେମି ପକ୍ଷରୁ ବିନୋଦ ନାଏକ ଜନ୍ମ ଶତବାର୍ଷିକୀ : ‘ପ୍ରକୃତି-ମହାପ୍ରକୃତି, ପ୍ରେମ-ପ୍ରେମୋତ୍ତରର ସମ୍ମିଶ୍ରଣ କବି ବିନୋଦ ନାୟକ’

ସମ୍ବଲପୁର : ବିନୋଦ ଚନ୍ଦ୍ର ନାୟକ ହେଉଛନ୍ତି ପ୍ରକୃତି-ମହାପ୍ରକୃତି ତଥା ପ୍ରେମ-ପ୍ରେମୋତ୍ତରର ସମ୍ମିଶ୍ରଣ କବି। କବିଙ୍କ ଜନ୍ମ ଶତବାର୍ଷିକୀ ଅବସରରେ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଜିଏମ ବିଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା। ନିଜ ବକ୍ତବ୍ୟରେ ସେ କହିଛନ୍ତି ବିନୋଦ ଚନ୍ଦ୍ର ନାଏକ ସମାଲୋଚିତ, କିନ୍ତୁ ବ୍ରହ୍ମାଣ୍ଡୀୟ କବି। ମହାଦୃଷ୍ଟି, ମହାଅନୁଭବରେ ସେ ମାଟିରୁ ଆକାଶ ଯାଏ ତାଙ୍କର ଚେତନା ପରିବ୍ୟାପ୍ତ। ସାହିତ୍ୟକୁ ବାମାବାଦ କିମ୍ବା ଦକ୍ଷିଣାବାଦ ନୁହେଁ ବରଂ ପ୍ରଗତିଶୀଳତାର କାନ୍‌ଭାସରେ ଦେଖାଯିବା ଉଚିତ।

ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ବିଜୟାନନ୍ଦ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଏମ୍‌ୟୁର ପିଜି କାଉନସିଲ ଅଧ୍ୟକ୍ଷ ଡ.ସଦନ ପାଲ ସମ୍ମାନିତ ଅତିଥି ଥିଲେ। ଡ. ପ୍ରଦୀପ ପଣ୍ଡା ଭିତ୍ତିପ୍ରବନ୍ଧ ଉସ୍ଥାପନ କରିଥିଲେ। ସାହିତ୍ୟ ଅକାଦେମିର କାର୍ଯ୍ୟକ୍ରମ ଅଧିକାରୀ ମିହିର ସାହୁ ସ୍ବାଗତ ଭାଷଣ ଏବଂ ଓଡ଼ିଆ ବିଭାଗୀୟ ମୁଖ୍ୟ ଡ.ବିଶ୍ବବିଦ୍ୟାଳୟ ଅଧ୍ୟାପକ ଲମ୍ବୋଦର ସାହୁ ଧନ୍ୟବାଦ ଦେଇଥିଲେ। ଏହାପରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାଏକଙ୍କ ସଭାପତିତ୍ବରେ ଆୟୋଜିତ ପ୍ରଥମ ଅଧିବେଶନରେ ଅଧ୍ୟାପକ ଅଖିଳ ବିଶ୍ବାଳ, ଡ.ଅଶୋକ ମହାପାତ୍ର ଏବଂ ଡ.ଶ୍ୟାମ ଭୋଇ ବିନୋଦ ନାୟକଙ୍କ ସାହିତ୍ୟର ବିଭିନ୍ନ ଦିଗ ଉପରେ ପ୍ରବନ୍ଧ ପାଠ କରିଥିଲେ। ଦ୍ବିତୀୟ ଅଧିବେଶନ କେନ୍ଦ୍ର ସାହିତ୍ୟ ଅକା‌େଦମିର ପୂର୍ବତନ ସଚିବ ଅଶ୍ବିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଏଥିରେ ପ୍ରଫେସର ସନ୍ତୋଷ ରଥ ବିନୋଦ ନାଏକଙ୍କ ଶବ୍ଦ, ଭାଷା-ଶୈଳୀ, ସାହିତ୍ୟିକ ଗୌରୀଦାସ ପ୍ରଧାନ ବିନୋଦ ନାଏକଙ୍କ ସ୍ଥାନୀୟତା ଏବଂ କେତୋଟି ଚିଠି ନେଇ ପ୍ରବନ୍ଧ ପାଠ କରିଥିଲେ। ଅଧ୍ୟାପକ ମନୋଜ ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର