୩ରେ ଗଞ୍ଜାମ, ୫ରେ ଚିଲିକା ପକ୍ଷୀଗଣନା

ବ୍ରହ୍ମପୁର: ଆସନ୍ତା ଜାନୁଆରି ମାସରୁ ଗଞ୍ଜାମ ସମେତ ସମଗ୍ର ରାଜ୍ୟରେ ବନ୍ୟପ୍ରାଣୀ, ପକ୍ଷୀ ଗଣନା ପର୍ଯ୍ୟାୟ କ୍ରମେ ଆରମ୍ଭ ହେବ। ଏଥିଲାଗି ବନବିଭାଗ ପକ୍ଷରୁ ତାରିଖ ଘୋଷଣା ସହିତ ପ୍ରସ୍ତୁତି ମଧ୍ୟ ହୋଇଛି। ଆସନ୍ତା ଜାନୁଆରି ୩ତାରିଖରେ ଗଞ୍ଜାମ ଜିଲ୍ଲାରେ ପକ୍ଷୀ ଗଣନା କରାଯିବ। ଜିଲ୍ଲାର ବ୍ରହ୍ମପୁର, ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ବନମଣ୍ଡଳ ଇଲାକରେ ଥିବା ପ୍ରମୁଖ ଜଳାଶୟରେ ଏହି ପକ୍ଷୀ ଗଣନା ହେବ। ଆସନ୍ତା ୫ତାରିଖରେ ଏସିଆ ମହାଦେଶର ବୃହତ୍ତମ ଲବଣାକ୍ତ ହ୍ରଦ୍‌ ଚିଲିକାରେ ପକ୍ଷୀ ଗଣନା ହେବ ବୋଲି ସୂଚନା ମିଳିଛି।

ଗତ ବର୍ଷ ବ୍ରହ୍ମପୁର ବନମଣ୍ଡଳର ବିଭିନ୍ନ ଜଳାଶୟକୁ ୭୨ଟି ପ୍ରଜାତି ୧୨ହଜାର ୩୩୨ ପକ୍ଷୀ ଆସିଥିଲେ। ସେଥି ମଧ୍ୟରେ ଏସିଆନ୍‌ ଓପନ୍‌ ବିଲ୍‌ ଡକ୍‌ ୧୯୦୫ଟି, ଲିଟ୍‌ଲ ଏଗ୍‌ନେଟ୍‌ ୭୮୫, କମନ୍‌ କୁଟ୍‌ ୬୨୩ଟି, ଲିଟ୍‌ଲ କନମେଣ୍ଟ ୧୧୯୫ଟି, ଇଣ୍ଡିଆନ୍‌ ପଣ୍ଡ୍‌ ହର୍ଣ୍ଣ ୧୨୬୦ଟି ଆସିଥିବା ଜଣା ପଡ଼ିଥିଲା ସେହିପରି ଜାନୁଆରି ୯ତାରିଖରୁ ୧୧ତାରିଖ ଯାଏ ଘୋଡ଼ାହାଡ ନଦୀ ଓ ଘୋଡ଼ହାଡ ଡ୍ୟାମ୍‌ରେ କୁମ୍ଭୀର ଗଣନା କରାଯିବ। ଘୋଡହାଡ଼ରେ ୨୦୧୯ରେ ୫୮ଟି ମଗର ପ୍ରଜାତିର କୁମ୍ଭୀର ଥିଲେ। ୨୦୨୦ ଗଣନା ବେଳେ ଏହି ସଂଖ୍ୟା ବୃଦ୍ଧି ୬୫ରେ ପହଞ୍ଚିଥିଲା। ସେହିପରି ଜାନୁଆରି ୧୭ରେ ବ୍ରହ୍ମପୁର ବନମଣ୍ଡଳ ଅର୍ନ୍ତଗତ ପ୍ରୟାଗୀ ଠାରୁ ପାତି ସୁନାପୁର ପର୍ଯ୍ୟନ୍ତ ୫୪କିମି ଉପକୂଳରେ ଡଲ୍‌ଫିନ୍‌ ଗଣନା କରାଯିବ।

୨୦୧୯ ଗଣନା ବେଳେ ୨୯ଟି ଡଲଫିନ୍‌ ଦୃଶ୍ୟମାନ ହୋଇଥିଲେ। କିନ୍ତୁ ୨୦୨୦‌ ଗଣନା ବେଳେ ପ୍ରତିକୂଳ ପାଗ ଯୋଗୁଁ ଗୋଟିଏ ବି ଡଲଫିନ୍‌ ଦେଖାଯାଇ ନ ଥିଲେ। ସେହିପରି ଆସନ୍ତା ଫେବ୍ରୁଆରି ୨୮ତାରିଖରେ ଦକ୍ଷିଣ ଘୁମୁସର, ଉତ୍ତର ଘୁମୁସର ଏବଂ ବ୍ରହ୍ମପୁର ଘୁମୁସର ବନମଣ୍ଡଳରେ କୃଷ୍ଣସାର ମୃଗ ଗଣନା କରାଯିବ। ଗତ ଗଣନା ଅନୁଯାୟୀ ବ୍ରହ୍ମପୁର ଡିଭିଜନ୍‌ରେ ସମୁଦାୟ ୨୪୭୫ଟି କୃଷ୍ଣସାର ରହିଛନ୍ତି। ସେଥିରେ ୩୧୬ଟି ଅଣ୍ଡିରା, ୧୭୮୧ଟି ମାଇ ଓ ୩୭୮ଟି ଯୁବ କୃଷ୍ଣସାର ଥିବା ଜଣାପଡ଼ିଛି। ସେହିପରି ଦକ୍ଷିଣ ଘୁମୁସର ଡିଭିଜନ୍‌ରେ ୪୧୧୪ କୃଷ୍ଣସାର ଓ ଉତ୍ତର ଘୁମୁସରରେ ୨୮୬ ଟି କୃଷ୍ଣସାର ରହିଥିବା ଜଣାପଡ଼ିଛି।। ଜିଲ୍ଲାର ୩ଟି ଯାକ ବନମଣ୍ଡଳରେ ସମୁଦାୟ ୬୮୭୫ଟି କୃଷ୍ଣସାର ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅଲିଭ୍‌ରିଡ଼୍‌ଲେଙ୍କ ପ୍ରଥମ ପସନ୍ଦ ଋଷିକୁଲ୍ୟା ମୁହାଣ ଓ ଗଞ୍ଜାମ ଉପକୂଳରେ ଅଲିଭ୍‌ରିଡ଼୍‌ଲେଙ୍କ ଆଗମନ ପ୍ରତିବର୍ଷ ବୃଦ୍ଧି ପାଉଛି। ଗତବର୍ଷ ପ୍ରଥମ ଥର ଲାଗି ଦିନରେ ମଧ୍ୟ ଅଲିଭ୍‌ରିଡ଼୍‌ଲେ ଗଣ ଅଣ୍ଡଦାନ କରିଥିଲେ। ଏଥିସହ ୩ଲକ୍ଷ ୨୩ହଜାର ଅଲିଭ୍‌ରିଡ଼୍‌ଲେ ଅଣ୍ଡା ଦେଇଥିଲେ। ଚଳିତ ବର୍ଷ ଅଲିଭ୍‌ରିଡ଼୍‌ଲେ ସଙ୍ଗମ୍‌ ଋତୁ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର