ମୁଣ୍ଡ ବିଗାଡ଼ୁଛନ୍ତି କାର୍ପଟଦାର : ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢୁଛି, ବିଦ୍ରୋହୀ ଭାବେ ଉଭା ହୋଇପାରନ୍ତି

୧୨୦ ଆସନରେ ଚିନ୍ତା ବଢ଼ିଲାଣି

ଭୁବନେଶ୍ବର : ରାଜନଗର ଆସନରୁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ ଧ୍ରୁବ ସାହୁ। ଏବେ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବ ନେତା ଦୁର୍ଗାଶିଷ ମହାନ୍ତି ଓ ନିଶିକାନ୍ତ ପ୍ରଧାନ ମଧ୍ୟ ଏହି ଆସନ ଉପରେ ନଜର ପକାଇ ଲବି ଚଳାଇଛନ୍ତି।

ପାଟକୁରା ଆସନରେ ଲଗାତାର ଭାବେ ବିଜୟ ଲାଭ କରି ଆସୁଛନ୍ତି ବିଧାୟକ ବେଦ ପ୍ରକାଶ ଅଗ୍ରଵାଲ। ସେ ଆସନରେ ଏଥର ଖଦି ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡାଙ୍କୁ ଦଳ ବିଶ୍ୱାସକୁ ନେବ କି? ନା ଛାମୁଆ ସଂଗଠନ ମୁଖିଆ ହିସାବରେ ଅମରେଶ ପତ୍ରିଙ୍କୁ ଅଗ୍ରାଧିକାର ଦିଆଯିବ?

ଯାଜପୁର ଜିଲ୍ଲାର ବରୀ ଆସନରେ କ୍ରମାଗତ ୪ ଥର ନିର୍ବାଚନ ଜିତିଲେଣି ଦେବାଶିଷ ନାୟକ। ମହିଳା ନେତ୍ରୀ ସୁଲତା ଦେଓ, ସୁଲୋଚନା ଦାସ, ରାଜ୍ୟ ସଂପାଦକ ବିଜୟ ନାୟକଙ୍କୁ ଦଳ କିପରି ମନାଇବ?

କେବଳ ଏହି ତିନିଟି ନିର୍ବାଚନମଣ୍ଡଳୀ ନୁହେଁ, ୧୪୭ ବିଧାନସଭା ଆସନ ମଧ୍ୟରୁ ପାଖାପାଖିି ୧୨୦ଟି ଆସନରେ ବିଜେଡିର ଏକାଧିକ ନେତା ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବାରୁ ଏବେ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଚାପ ବଢିବାରେ ଲାଗିଛି। ଏମିତି ଯେ ଯିଏ ଟିକେଟ ପାଇବନି ବୋଲି ସାମାନ୍ୟ ଆଭାସ ପାଉଛନ୍ତି, ସେ ମୁହଁ ଫୁଲାଉଛନ୍ତି। ବିଦ୍ରୋହୀ ଭୂମିକାରେ ଉଭା ହେେବ ବୋଲି ମଧ୍ୟ ପରୋକ୍ଷରେ ଧମକ ଦେଉଛନ୍ତି। ଏହାକୁ ନେଇ ବିଜେଡିର ଶୀର୍ଷସ୍ତରରେ କମ୍ପନ ସୃଷ୍ଟି ହେଲାଣି।

ତେବେ କୌତୂହଳର କଥା ହେଉଛି, ଏମାନଙ୍କ ମଧ୍ୟରୁ କେତେଜଣଙ୍କୁ ଟିକେଟ୍‍ ବଟିକା ଖୁଆଇ ସାରିଥିବା ନେତାମାେନ ଆଉ କେହି ନୁହନ୍ତି, ବରଂ ବିଜେଡିର କାର୍ପଟଦାର େଗାଷ୍ଠୀ। ଦଳରେ ନିଜ ନିଜର ପତିଆରା ବଢାଇବା ପାଇଁ ପୃଥକ୍‍ ପୃଥକ୍‍ ଗୋଷ୍ଠୀ କରି ଏହି ନେତାମାନେ ବର୍ଷ ବର୍ଷ ଧରି ରଣନୀତି ଚଳାଇ ଆସୁଛନ୍ତି। କାହାକୁ ବିଧାନସଭା ଆଶା ଦେଖାଇଛନ୍ତି, କାହାକୁ ଲୋକସଭା। ଏବେ େସସବୁ ସୁପ୍ରିମୋଙ୍କ ରାସ୍ତାରେ କଣ୍ଟା ସାଜିଲେଣି। ଏଇମାନଙ୍କୁ ସାମ୍ନାରେ ରଖି କାର୍ପଟଦାର ଗୋଷ୍ଠୀ ମଧ୍ୟ ଦଳ ସାମ୍ନାରେ ନିଜ ପାଇଁ ବଡ଼ ଧରଣର ମୂଲଚାଲ କରିବାକୁ ପାଗ ଭିଡୁଥିବା ନେଇ ଚର୍ଚ୍ଚା େଜାର ଧରିଛି।

ନିଜ ନିଜ ଆସନରେ ଆଶାୟୀ ଭାବେ କାର୍ପଟଦାର ଗୋଷ୍ଠୀ କାହାକୁ ମୁଣ୍ଡ ଟେକିବାକୁ ସୁଯୋଗ ଦେଇନାହାନ୍ତି।

ଅଥଚ ଅବିଭକ୍ତ ପୁରୀ, କଟକ ଠାରୁ ଆରମ୍ଭ କରି କଳାହାଣ୍ଡି ଯାଏ, ସବୁଠାରେ ସେମାନଙ୍କର ଗ୍ରହଣୀୟତା ଓ ପତିଆରାକୁ ସାବ୍ୟସ୍ତ କରିବା ପାଇଁ କିନ୍ତୁ ନିଜ ନିଜ ଛାଇ ତିଆରି କରିବାରେ ଲାଗିଛନ୍ତି। କିଛି େକ୍ଷତ୍ରରେ ସେମାନଙ୍କ ଅନୁଗତଙ୍କୁ ଧରି ଗୁଣିଆ େହାଇ ଲାଗୁଛନ୍ତି, ଡାଆଣି େହାଇ ଝାଡୁଛନ୍ତି। ଜିଲ୍ଲାର ଆଭ୍ୟନ୍ତରୀଣ ରାଜନୀତିରେ ମଧ୍ୟ ବାରମ୍ୱାର କେଁ ପୂରାଉଛନ୍ତି। ଏହି କାରଣରୁ ସ୍ଥାନୀୟ ଅଞ୍ଚଳର ବିଧାୟକ-ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି େହଉଥିବା ଅଭିେଯାଗ ନୂଆ ନୁେହଁ।

ସିଧା ସିଧା କହିବାକୁ ଗଲେ, କାର୍ପଟଦାରଙ୍କ ହାତ ଖସିଗଲେ, ବିଜେଡିରେ ବିଦ୍ରୋହୀ ପ୍ରାର୍ଥୀଙ୍କ ସଂଖ୍ୟା ଆଶାତୀତ ଭାବେ କମିଯିବ େବାଲି ରାଜନୈତକି ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି। ଏହି ମହଲର କହିବା କଥା ହେଉଛି, ବିଜେଡିରେ ଜିତିବାର ସୁଯୋଗ ଥିବା କାରଣରୁ ଅଧିକ ନେତା ଆଶାୟୀ ହେବା ସ୍ୱାଭାବିକ। କିନ୍ତୁ କାର୍ପଟଦାରମାନଙ୍କ ଅଭୟ ଆଶୀର୍ବାଦ ପାଇ ଏହି ଆଶାୟୀ ଏବେ ପାଚେରି ଭଳି ଦଳର ବିଜୟ ରାସ୍ତାରେ ବାଟ ଓଗାଳିଲେଣି ।

ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ବିଜେଡି ନିର୍ବାଚନ ପରିଚାଳନା ଦାୟିତ୍ୱ ସୁପ୍ରିମୋ କାହାକୁ ଦେବେ, ତାହା ଏବେ ବି ଅସ୍ପଷ୍ଟ ରହିଛି। ବାରମ୍ୱାର ଧୋକା ଖାଇବା ପରେ ସମ୍ଭବତଃ ମୁଖିଆ କୌଣସି ନିର୍ଦିଷ୍ଟ ନେତାଙ୍କ ଉପରେ ଭରସା କରିପାରୁନାହାନ୍ତି। ଏଣୁ ଜିଲ୍ଲା ଵାରି କାମ ବଣ୍ଟାଯାଇଛି ଓ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟକୁ ମୂଳ ରିପୋର୍ଟ ଭାବେ ଗ୍ରହଣ କରାଯାଉଛି। ହେଲେ ଏ କ୍ଷେତ୍ରରେ ବି କେଁ ଉଠିଲାଣି। ଉପକୂଳ ଓ ଉତ୍ତର ଓଡ଼ିଶାରେ କ୍ଷମତାଶାଳୀ ଗୋଷ୍ଠୀ ପର୍ଯ୍ୟବେକ୍ଷକମାନଙ୍କ ଉପରେ ଏତେ ମାତ୍ରାରେ ଚାପ ପ୍ରୟୋଗ କରୁଛନ୍ତି ଯେ ଏହାକୁ ନେଇ ସୃଷ୍ଟି ହେଉଥିବା ଅଶାନ୍ତି ତୃଣମୂଳସ୍ତରଯାଏ ଭେଦିଲାଣି। ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ଯଦି ବେଳହୁଁ ନ ଚେତିବେ, ପଞ୍ଚାୟତ ନିର୍ବାଚନ ଭଳି ବିରୋଧୀ ଏଥିରୁ ଫାଇଦା ନେବେ। ଏକଥାକୁ ଏଡାଇ ଦେଇ ହେବ ନାହିଁ।

ଉଲ୍ଲେଖଯୋଗ୍ୟ, କାର୍ପଟଦାର େଗାଷ୍ଠୀଙ୍କ ନିର୍ବାଚନମଣ୍ଡଳୀକୁ ବାଦ ଦେଲେ ପୁରୀ ଠାରୁ ରାଉରକେଲା ଯାଏ, ମୟୂରଭଂଜ ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ପ୍ରାୟ ସବୁ ବିଧାନସଭା ନିର୍ବାଚନମଣ୍ଡଳୀରେ ସମାନ୍ତରାଳ ସଂଗଠନ ଗଢିଉଠିଛି। ଏହି ସଂଗଠନକୁ ଏହି େଗାଷ୍ଠୀ ନିଜ ସମର୍ଥନ ବଳରେ ଦ୍ରୁମରେ ପରିଣତ କରିସାରିଛନ୍ତି। ଏେବ ଏମିତି ଶତାଧିକ ଆସନରେ ଟିକେଟ୍‍ ଆଶାୟୀଙ୍କୁ ଦଳ ଥଇଥାନ କରିବ ନା ଅନ୍ୟ କୌଣସି ସୂତ୍ର ପ୍ରୟୋଗ କରି ବୁଝାଇ ସୁଝାଇ କାମରେ ଲଗାଇବ, ତାହା ଏବେ ନେତୃତ୍ୱ ପାଇଁ ବଡ ଧରଣର ଚ୍ୟାଲେଞ୍ଜ ସୃଷ୍ଟି କଲାଣି ।

ସମ୍ବନ୍ଧିତ ଖବର