ବିଜେଡି ଅହିଂସାରେ ବିଶ୍ବାସ କରେ: ଡକ୍ଟର ସସ୍ମିତ

ପରାଜୟ ଭୟରେ ରାଜ୍ୟ ବିଜେପି ଏମିତି କାଣ୍ଡ ଭିଆଉଛି

ରାଉରେକଲା: ପରାଜୟ ଭୟରେ ରାଜ୍ୟ ବିଜେପି ରକ୍ତମୁଖା ହୋଇଛି। ଦଳ ଯେଉଁ ଚିନ୍ତାଧାରା ନେଇ ଚାଲୁଛି ସେଥିରେ ଗଣମାଧ୍ୟମ ଆଦୌ ସୁରକ୍ଷିତ ନୁହେଁ। ଦେଶର ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଗଣମାଧ୍ୟମ ପ୍ରତିନିଧି ସୁରକ୍ଷିତ ନୁହନ୍ତି। ବିଜେଡି ସବୁବେଳେ ହିଂସାର ବିଶ୍ବାସ କରେ। ଆଜି ରାଉରକେଲାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଏହି କଥା କହିଛନ୍ତି। ସେ କହିଛନ୍ତି, ବିଜେଡି ସବୁବେଳେ ଅହିଂସାରେ ବିଶ୍ୱାସ କରେ। ନିର୍ବାଚନ ପରାଜୟ ଭୟରେ ବିଜେପି ରକ୍ତମୁଖା ହୋଇଛି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ କରୁଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ବିଜୟ ଆଡକୁ ଅଗ୍ରସର ହେଉଛି। ବିଜେପି ହାରିବ ବୋଲି ବିଜେଡିକୁ ଗାଳିଦେବା ସହିତ ହିଂସାକାଣ୍ଡ କରୁଛି। ପିପିଲିରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା ତାହା ସମସ୍ତେ ଦେଖିଛନ୍ତି।

ପାରଳାଖେମୁଣ୍ଡିରେ ବିଜେଡି ସମର୍ଥିତ ଜଣେ ସରପଞ୍ଚଙ୍କ ଉପରେ ବିଜେପି କର୍ମୀ ମରଣାନ୍ତକ ଆକ୍ରମଣ କରିଥିଲେ। ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଛନ୍ତି। ବିଜେପୁରରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଡ୍ରାଇଭରଙ୍କୁ ବିଜେପିକର୍ମୀମାନେ ସଂଘବଦ୍ଧ ଭାବେ ହତ୍ୟା କରିଥିଲେ। କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସରକାରୀ କର୍ମଚାରୀଙ୍କ ହାତ ଭାଙ୍ଗିବା ସହିତ ମରଣାନ୍ତକ ଆକ୍ରମଣ କଲେ। ଅଦାଲତରୁ ମଧ୍ୟ ଜାମିନ ଆଣିଲେ। ବିଜେପି ଏ ମାମଲାରେ ନିରବ। ବିଜେପି ସାଂସଦ ଜୁଏଲ ଓରାମ ମହିଳାଙ୍କ ସହିତ ଅସଦାଚରଣ କଲେ। ହେଲେ ମହିଳାଙ୍କ ସୁରକ୍ଷା କଥା କହୁଥିବା ରାଜ୍ୟ ବିଜେପି କିନ୍ତୁ ଏ ମାମଲାରେ ମୁହଁ ଖୋଲୁନାହିଁ। ବିଜେପି ହିଂସାକୁ ପ୍ରଶୟ ଦେଇଥିବାରୁ ବିଗତ ଦିନରେ ବାରମ୍ବାର ନିର୍ବାଚନ ହାରୁଛି। ଯଦି ବିଜେପି ହିଂସାତ୍ମକ ଆଚରଣ ପରିବର୍ତ୍ତନ ନକରେ ଓଡିଶାବାସୀ ନିର୍ବାଚନରେ ପରାଜୟର ରାସ୍ତା ଦେଖାଇ ତେବେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ହିଂସାକୁ ପ୍ରଶୟ ଦେଇଥିବାରୁ ବିଜେପି ବିଗତ ଦିନରେ ବାରମ୍ବାର ନିର୍ବାଚନ ହାରିଛନ୍ତି। ବିଜେପିର ନେତା ଓ କ୍ୟାଡରମାନେ ହିଂସାତ୍ମକ ନ ହେଇ ଗଣତନ୍ତ୍ରର ଏହି ମହାପର୍ବରେ ଶାନ୍ତିଶୃଙ୍ଖଳାର ସହ ସାମିଲ ହୁଅନ୍ତୁ ବୋଲି ଡକ୍ଟର ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର