ବିଜେଡିର ୨୩ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ : କ’ଣ କହିଲେ ଦଳର ନେତା

ଭୁବନେଶ୍ବର : ବିଜୁ ଜନତା ଦଳରେ ନାହିଁ ସାମ୍ପ୍ରଦାୟିକ ଭେଦଭାବ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍, ପଞ୍ଜାବୀ ଓ ହିନ୍ଦୁ ସମସ୍ତେ ଦଳର କର୍ମୀଭାବେ ସହଯୋଗ କରିଆସିଛନ୍ତି। ଯେଉଁଥିପାଇଁ ରାଜ୍ୟରେ ପଞ୍ଜମ ଥର ପାଇଁ ଲୋକେ ଦଳକୁ ସରକାର ଗଢ଼ିବାର ସୁଯୋଗ ଦେଇଛନ୍ତି। ଆଜି ଦଳୀୟ କାର୍ଯ୍ୟାଳୟରେ ୨୩ ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସରେ ଏପରି ଦାବି କରିଛନ୍ତି ବିଜେଡି ଉପସଭାପତି, ସାଧାରଣ ସମ୍ପାଦକ ଓ ବିଧାୟକ।

ଅନ୍ୟମାନଙ୍କ ଠାରୁ ବିଜେଡି ନିଆରା
ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ, ୨୦୦୦ ମସିହା ପୂର୍ବରୁ ରାଜ୍ୟ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିଲା। ସାଢ଼େ ଚାରିକୋଟି ଲୋକଙ୍କ ପ୍ରିୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହନ୍ତି ତାକୁ କାର୍ଯ୍ୟରେ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି। ମହିଳା ସଶକ୍ତିକରଣ ନେଇ ସବୁ ଦଳ ବୟାନବାଜି କରନ୍ତି। ଆଜିକୁ ୩୦ ବର୍ଷ ତଳେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପଞ୍ଚାୟତ ସ୍ତରରେ ପ୍ରଥମେ ମହିଳାଙ୍କୁ ୫୦% ସ୍ଥାନ ସଂରକ୍ଷଣ ଦେଇ ସାରା ଦେଶରେ ଆଦର୍ଶ ସୃଷ୍ଟି କରିଥିଲେ। ନବୀନ ବାବୁ ସେଇ ନୀତି ଓ ଆଦର୍ଶକୁ ବଜାୟ ରଖିବା ସହ ସାଧାରଣ ନିର୍ବାଚନରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ନେଇ ବିଧାନସଭାରେ ସଂକଳ୍ପ ପାରିତ କରାଇଲେ। ଯେଉଁଥିପାଇଁ ବିଜେ଼ଡି ସଭାପତିଙ୍କୁ ଦେଶ ଓ ବିଦେଶରୁ ପ୍ରଶଂସାର ସୁଅ ଛୁଟିଥିଲା। ଦଳର ସାମାଜିକ ପ୍ରତିବଦ୍ଧତା ନିଆରା। ଜୀବନବିନ୍ଦୁ ପରି ରକ୍ତଦାନ କାର୍ଯ୍ୟକ୍ରମ ଅନ୍ୟ କୌଣସି ରାଜନୈତିକ ଦଳରେ ଦେଖିବାକୁ ମିଳେନି ବୋଲି ଶ୍ରୀ ମିଶ୍ର କହିଥିଲେ।

ଦଳ ପ୍ରତିଷ୍ଠା ଦିନ ଜ୍ଞାନ ପଟ୍ଟନାୟକ ଆଶୀର୍ବାଦ ଦେଇଥିଲେ
ସାଂସଦ ତଥା ଦଳର ଅନ୍ୟତମ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ, ୨୨ ବର୍ଷ ତଳେ ନବୀନ ନିବାସରେ ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ସେତେବେଳେ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମାତା ଜ୍ଞାନ ପଟ୍ଟନାୟକ ନବୀନ ନିବାସ କୋଠାର ଉପର ମହଲାରେ ଠିଆ ହୋଇ ଆଶୀର୍ବାଦ ଦେଇଥିଲେ। ସେବେଠୁ ଦଳ ରାଜ୍ୟବାସୀଙ୍କ ବିଶ୍ବାସ ଜିତିପାରିଛି। ବହୁ ଝଡ଼ଝଞ୍ଜା ଦେଇ ଦଳ ଗତି କରିଥିଲେ ଆଜିର ଦିନରେ ଲୋକଙ୍କ ଶ୍ରଦ୍ଧା ଓ ବିଶ୍ବାସ ଯୋଗୁଁ ଦଳର ସଭ୍ୟ ସଂଗ୍ରହ ସଂଖ୍ୟା ପ୍ରାୟ ୧ କୋଟିରେ ପହଞ୍ଚିଲାଣି। କ୍ଷମତାରେ ଥାଇ ବି ତ୍ୟାଗ କିପରି କରାଯାଏ ତାର ବଳିଷ୍ଠ ଉଦାହରଣ ମୁଖ୍ୟମନ୍ତ୍ରୀ ଦେଇଛନ୍ତି। ନିକଟରେ ପୁରୀର ସ୍ବର୍ଗଦ୍ବାରରେ ଥିବା ବିଜୁ ବାବୁଙ୍କ ସମାଧି ସ୍ଥଳକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇ ସେ ତ୍ୟାଗର ଉଦାହରଣ ସୃଷ୍ଟି କରିଛନ୍ତି। ସାରାଦେଶ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଥିବାବେଳେ ପ୍ରଥମ ବ୍ୟକ୍ତି ଭାବେ ଶ୍ରୀ ପଟ୍ଟନାୟକ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ଯୋଡ଼ିବା ପାଇଁ ଯୁକ୍ତି ବାଢ଼ିଥିବା ଶ୍ରୀ ଆଚାର୍ଯ୍ୟ ନିଜ ଅଭିଭାଷଣରେ କହିଥିଲେ।

କେନ୍ଦ୍ର ଆଭିମୁଖ୍ୟ କଥା ଠାରିଲେ ଅଶୋକ
କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ଆଭିମୁଖ୍ୟ ସଂପର୍କରେ ଠାରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, ରେଳ କ୍ଷେତ୍ରରେ ୨୦ ହଜାର କୋଟି ନେଉଛନ୍ତି, ୩ ହଜାର କୋଟି ଦେଉଛନ୍ତି। କ୍ଲିନ ଏନର୍ଜିରେ ସେସ୍ ଆଦାୟ କରୁଛନ୍ତି। ଓଡ଼ିଶା ପ୍ରଦୂଷଣ ସହୁଛି। କିନ୍ତୁ ସେସରୁ ଓଡ଼ିଶାରୁ ଟଙ୍କାଟିଏ ବି ମିଳୁନାହିଁ। କେନ୍ଦ୍ରର ଆଭିମୁଖ୍ୟ କଣ ସେ ନେଇ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ସେ ଆଲୋକପାତ କରନ୍ତୁ।

ଅଶୋକ ପଣ୍ଡାଙ୍କ ନାମ ଭୁଲ କହିଲେ ଅନନ୍ତ
ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା କହୁକହୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପେଣ୍ଡା ବୋଲି କହିପକାଇଲେ। ଏହାକୁ ନେଇ ସଭାରେ ପରସ୍ପର ପରସ୍ପର ମୁହଁକୁ ଚାହିଁଥିଲେ। ବିଧାୟକ ଶ୍ରୀ ଜେନାଙ୍କ ଏପରି ଉଚ୍ଚାରଣ ଶୁଣି ଗଣମାଧ୍ୟମ ପ୍ରତିନିଧି ଓ କିଛି କର୍ମୀ ମନ୍ତ୍ରୀଙ୍କର ଏପରି ନୂଆ ସାଙ୍ଗିଆ କେବେ ହେଲା ସେ ନେଇ ଚର୍ଚ୍ଚା କରିଥିଲେ। ସେହିଭଳି ପୁରୀ ସାଂସଦ ପିନାକୀ ମିଶ୍ର ଅନୁପସ୍ଥିତ ଥିଲେ ହେଁ, ଶ୍ରୀ ଜେନା ତାଙ୍କୁ ସଭାମଞ୍ଚକୁ ଆମନ୍ତ୍ରଣ କରିଥିଲେ।

ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁଶାନ୍ତ କୁମାର ରାଉତ, ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସ ବର୍ମା, ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ଅମରେଶ ଜେନା ମଞ୍ଚାସୀନ ଥିବାବେଳେ ମଞ୍ଚତଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ , ଦଳର ଅନ୍ୟତମ ଉପସଭାପତି ବିମ୍ବାଧର କୁଅଁରଙ୍କ ସମେତ ପୂର୍ବତନ ବିଧାୟକ ଓ ନେତା ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ବସିଥିଲେ।

ସମ୍ବନ୍ଧିତ ଖବର