ଧର୍ମେନ୍ଦ୍ରଙ୍କୁ ବିଜେଡିର ୨୦ଟି ପ୍ରଶ୍ନ : ଉଜ୍ଜ୍ବଳା ଯୋଜନା, ଧାନର ଏମ୍‌ଏସ୍‌ପି ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠିଲା

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପରେ ଓଡ଼ିଶା ସରକାର ସହଯୋଗ କରୁ ନ ଥିବା ନେଇ କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ ଅଭିଯୋଗ କଲା ‌ପରେ ବିଜେଡି ତାହାର ଜବାବ ରଖିଛି। ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ କେନ୍ଦ୍ର ମନ୍ତ୍ରୀଙ୍କୁ ୨୦ଟି ପ୍ରଶ୍ନ କରା‌ଯାଇଛି। ଏହାର ଜବାବ ଦେବାକୁ ବିଜେଡି ଆହ୍ବାନ ଦେଇଛି।

ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଆଇଟି ସେଲ ମୁଖ୍ୟ ତଥା ଦଳର ମୁଖପାତ୍ର ଅମର ପଟ୍ଟନାୟକ କହିଲେ, ଉଜ୍ଜ୍ବଳା ଯୋଜନାରେ କେତେ ଜଣ ହିତାଧିକାରୀ ସାମିଲ ହୋଇଛନ୍ତି ଓ କେତେ ଜଣ ଗ୍ୟାସଚୁଲା ଓ ସିଲିଣ୍ଡର ପାଇଛନ୍ତି? କେତେ ଜଣ ପ୍ରଥମ ରିଫିଲ ଓ ଦ୍ବିତୀୟ ରିଫଲ କରିଛନ୍ତି? ଏହାର ତାଲିକା କେନ୍ଦ୍ରମନ୍ତ୍ରୀ େଵବସାଇଟରେ କାହିଁକି ଏ ଯାଏ ଦେଇନାହାନ୍ତି ? ବିଜେଡି ପାଖରେ ଥିବା ତଥ୍ୟ ଅନୁଯାୟୀ ୮୦ ପ୍ରତିଶତ ହିତାଧିକାରୀ ସମ୍ବଳ ଅଭାବରୁ ଦ୍ବିତୀୟ ରିଫିଲ ନେଇପାରିନାହାନ୍ତି। କେନ୍ଦ୍ରାପଡ଼ା ଓ ରାଜନଗରରେ ଭ୍ରଷ୍ଟାଚାର ହୋଇଥିବା କେନ୍ଦ୍ରମନ୍ତ୍ରୀ ନିଜେ ସ୍ବୀକାର କରିଥିଲେ। ଏବେ ସେ ଭ୍ରଷ୍ଟାଚାର ବିଷୟରେ କିଛି କହୁନାହାନ୍ତି କି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହା ଜଣାଉନାହନ୍ତି। ୨୦୧୪ରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୨ ଡଲାର ଥିଲା। ଏବେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୫୮ ଡଲାରରେ ପହଞ୍ଚିଲାଣି। କିନ୍ତୁ ଏବେ ବି ସେହି ୧୧୨ ଡଲାର ହିସାବରେ ଆମେ ଡିଜେଲ ଓ ପେଟ୍ରୋଲ କିଣୁଛୁ। ପେଟ୍ରୋଲିୟମ ଉତ୍ପାଦରୁ ତୈଳ କମ୍ପାନିଙ୍କୁ ଯେଉଁ ଲାଭ ମିଳୁଛି ସେହି ଟଙ୍କାରେ ବିଜେପିର କ୍ୟାମ୍ପେନିଂ କରାଯାଉଛି। ଏହା ଉପରେ କେନ୍ଦ୍ରମନ୍ତ୍ରୀ ଉତ୍ତର ରଖିବାକୁ ବିଜେଡି ଦାବି କରିଛି।

ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ୪ ଲେନ ବିଶିଷ୍ଟ ଜାତୀୟ ରାଜପଥ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ୪ ବର୍ଷ ଲାଗିଗଲା। ବର୍ଷାବେଳେ ରାଜଧାନୀର ବାଣୀବିହାର ଓ ଆଚାର୍ଯ୍ୟବିହାର ଅଞ୍ଚଳରେ କିପରି ପାଣି ଜମେ ତାକୁ ରାଜଧାନୀବାସୀ ଭଲଭାବେ ଅନୁଭବ କରିଛନ୍ତି। ସେହିପରି କୋଲ ରୟାଲଟି ରିଭିଜନ୍ ୨୦୧୫ରୁ କରାଯାଇନି। ରୟାଲଟି ସଂଶୋଧନ ନ ହେବାରୁ ପ୍ରତି ବର୍ଷ ୨ ହଜାର କୋଟି ଟଙ୍କା ଓଡ଼ିଶା କ୍ଷତି ସହୁଛି। ଆଇଓସିଏଲ ପ୍ରକଳ୍ପ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ପାରାଦୀପରେ ଶୁଭ ଦିଆଯାଇ ୟୁପିଏ ସରକାର ସମୟରେ ଶେଷ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ’ଣ ଅବଦାନ ଥିଲା ବୋଲି ବିଜେଡି ପ୍ରଶ୍ନ କରିଛି। ସ୍ବାମୀନାଥନ କମିଟି ରିପୋର୍ଟ ଆଧାରରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବାକୁ ବିେଜଡି ବାରମ୍ବାର ଦାବି କରିଆସୁଛି। ଏଥିପାଇଁ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା। ଖୋଦ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗକୁ ଦିଲ୍ଲୀ ପର୍ଯ୍ୟନ୍ତ ମଧ୍ୟ ନେଇଛନ୍ତି। ହେଲେ ଏମଏସପି ୨୯୩୦ ଟଙ୍କା କାହିଁକି କରାଯାଇନି ?

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ମହାନଦୀ ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ କଣ ତାହା ଓଡ଼ିଶାବାସୀଙ୍କୁ ସ୍ପଷ୍ଟ ଭାବେ ଜଣା। ଯେତେବେଳେ ମହାନଦୀ ଉପରେ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରିଚାଲିଲେ ସେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାକୁ ସମର୍ଥନ କରିଚାଲିଲେ। ଫଳରେ ଓଡ଼ିଶା ହକ ପାଇବା ପାଇଁ ସୁପ୍ରିମକୋର୍ଟ ଯିବାକୁ ପଡ଼ିଲା। ସେହିପରି ପୋଲାଭରମ ପ୍ରକଳ୍ପରେ ମାଲକାନଗିରି ଜିଲ୍ଲା କ୍ଷତିଗ୍ରସ୍ତ ହେଉଥିବା ଜାଣି ମଧ୍ୟ ଆନ୍ଧ୍ର ପ୍ରଦେଶକୁ ହଜାର ହଜାର କୋଟି ଟଙ୍କା ବିଜେପି ସରକାର ଦେଇଛି। ଏସବୁ ପ୍ରଶ୍ନର ଉତ୍ତର କେନ୍ଦ୍ରମନ୍ତ୍ରୀ ଦେବା ଦରକାର। ଏହାସହିତ ବ୍ରାହ୍ମଣୀରେ ଦ୍ବିତୀୟ ପୋଲ, ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଟି ହସ୍ପିଟାଲ, ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ୮ଟି କେନ୍ଦ୍ରୀୟ ଯୋଜନା ବନ୍ଦ କରିବା ସହ ୩୩ଟି ଯୋଜନାରେ କେନ୍ଦ୍ରୀୟ ଅଂଶଧନ କମାଇବା ନେଇ ବିଜେଡି ଟାର୍ଗେଟ କରିଛି। ଖାଲିସେତିକି ନୁହେଁ, କ୍ଲିନ୍ ଏନର୍ଜି ସେସ, ରେଳବାଇ, ରାଜ୍ୟ ସରକାରଙ୍କ ଆହାର ଯୋଜନାରେ କେନ୍ଦ୍ର ସରକାରଙ୍କ ଅବଦାନକୁ ନେଇ ଦଳ ପ୍ରଶ୍ନ ଉଠାଇଛି।

ସମ୍ବନ୍ଧିତ ଖବର