ରକ୍ତ ଚାଉଳ ଚୋବାଉଛନ୍ତି ବିଜେପି ନେତା: ବିଜେଡି

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପରେ ବି ବିଜେଡି ନେତାଙ୍କ କାଉଣ୍ଟର ଆଟାକ୍‌ ଜାରି ରହିଛି। ଗତକାଲି ବିଜେଡି ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ଶାହଙ୍କ ଅଭିଯୋଗର ଦୃଢ଼ ଜବାବ ଦେଇଥିଲେ। ଏହାପରେ ଆଜି ପୁଣିଥରେ ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ବିଜେପି ଅଧ୍ୟକ୍ଷଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଶ୍ରୀ ନାୟକ କହିଛନ୍ତି ଯେ ଓଡ଼ିଶାର ସ୍ଥିତି, ଗତି ଓ ପ୍ରଗତି ସମ୍ପର୍କରେ ବିଜେପି ଅଧ୍ୟକ୍ଷଙ୍କର କୌଣସି ଧାରଣା ନାହିଁ। ଓଡ଼ିଶାର ନେତାମାନେ ମଧ୍ୟ ତାଙ୍କୁ ଓଡ଼ିଶା ସମ୍ପର୍କରେ ସଠିକ୍‌ ସୂଚନା ଦେଇନାହାନ୍ତି। ଓଡ଼ିଶା ଗସ୍ତ ସମୟରେ ସେ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ମତ ଓ ମନ୍ତବ୍ୟ ଦେଇ ନିଜ ଦଳର କର୍ମୀଙ୍କୁ ସାମୟିକ ଉତ୍ସାହିତ କରିଥାଇ ପାରନ୍ତି, କିନ୍ତୁ ତା’ର କୌଣସି ପ୍ରଭାବ ରାଜ୍ୟବାସୀଙ୍କ ଉପରେ ପଡ଼ିବ ନାହିଁ। ଓଡ଼ିଶାକୁ ସ୍ୱତନ୍ତ୍ରପାହ୍ୟା ରାଜ୍ୟ ମାନ୍ୟତା, କେବିକେକୁ ସ୍ୱତନ୍ତ୍ର ଅନୁଦାନ, ବିଭିନ୍ନ ଜନହିତକର ଯୋଜନାରୁ ଅର୍ଥ କାଟିବା, ସ୍ୱାମୀନାଥନ୍‌ କମିସନଙ୍କ ସୁପାରିସକୁ କାର୍ଯ୍ୟକାରୀ କରି ଚାଷୀଙ୍କୁ ନ୍ୟାୟ ପ୍ରଦାନ, ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଏବିଷୟରେ ଶ୍ରୀ ଶାହ ପଦୁଟିଏ ପାଟି ଖୋଲିନାହାନ୍ତି। ପେଟ୍ରୋଲ, ଡିଜେଲ୍‌ ଓ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ବିଷୟରେ କିଛି ନକହିବା ବିଜେପି ନେତାଙ୍କର ଓଡ଼ିଶା ପ୍ରତି ମତି-ଗତି ସ୍ପଷ୍ଟ ବାରି ହୋଇପଡୁଛି ବୋଲି ଶ୍ରୀ ନାୟକ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ବର୍ଷକୁ ଥରେ ଅଧେ ଆସି ଓଡ଼ିଶାର ଉନ୍ନତି ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଛାତି ଫଟାଇ କାନ୍ଦିବାର ଛଳନା କରୁଛନ୍ତି। ଏକ ପ୍ରଗତିଶୀଳ ଲୋକପ୍ରିୟ ସରକାରଙ୍କୁ ତାତ୍ସଲ୍ୟ କରିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ‘ଆୟୁଷ୍ମାନ’ ଯୋଜନକୁ ଜବରଦସ୍ତ ଲଦି ଦେଇ ରାଜନୈତିକ ଫାଇଦା ଉଠାଇବା ପାଇଁ କେନ୍ଦ୍ର ସରକାର ଯେଉଁ ଷଡ଼ଯନ୍ତ୍ର କରିଥିଲେ, ତାହା ଫସର ଫାଟିଯିବାରୁ ବିଜେପି ଏବେ ରକ୍ତ ଚାଉଳ ଚୋବାଉଛି। ଶ୍ରୀ ଶାହଙ୍କ ଭାଷା, ଭାବ ଓ ଭଙ୍ଗୀରେ ଅସହାୟତା ଏବଂ ହତାଶାଭାବ ସ୍ପଷ୍ଟ ବାରି ହେଉଛି। ବିଜେଡି ସରକାର ଲୋକଙ୍କ ସରକାର ଓ ଲୋକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ। ଏଥିରୁ କେହି ବିଚ୍ୟୁତ କରିପାରିବେ ନାହିଁ। କେନ୍ଦ୍ରୀୟ ବିଜେପି ନେତା ବାରମ୍ବାର ଓଡ଼ିଶାରେ ଓଡ଼ିଶା ଆସିଲେ ମଧ୍ୟ ତା’ର କୌଣସି ପ୍ରଭାବ ରାଜ୍ୟ ଉପରେ ପଡିବ ନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ସମଗ୍ର ରାଜ୍ୟରେ ବିଜେପୁର ବିଜୟର ପ୍ରତିଚ୍ଛବି ଦେଖିବାକୁ ମିଳିବ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର