କଂଗ୍ରେସର ହରତାଳ ‘ଜୋକ୍’ରେ ପରିଣତ ହୋଇଛି: ବିଜେଡି

ହରତାଳ ବିଫଳତା ଉଭୟ କଂଗ୍ରେସ ଓ ବିଜେପି ପାଇଁ ସତର୍କଘଣ୍ଟି
ମହିଳା ଅପରାଧ ପ୍ରସଙ୍ଗରେ ରାଜନୀତିକୁ ଲୋକଙ୍କ ପ୍ରତ୍ୟାଖ୍ୟାନ

ଭୁବନେଶ୍ୱର : ଓଡ଼ିଶା କଂଗ୍ରେସର ହରତାଳ ଏକ ‘ଜୋକ୍’ରେ ପରିଣତ ହୋଇଛି। କୋଭିଡ ମହାମାରୀ ସମୟରେ ଓଡ଼ିଶା ବିଜେପି ଦ୍ୱାରା ପ୍ରାୟୋଜିତ ଓଡ଼ିଶା କଂଗ୍ରେସର ଏହି ହରତାଳ ୪.୫ କୋଟି ଲୋକଙ୍କ ପାଇଁ ଏକ ନିଷ୍ଠୁରତା ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର।

କଂଗ୍ରେସର ହରତାଳକୁ ଜବାବ ଦେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀ ପାତ୍ର କହିଛନ୍ତି ଯେ କଂଗ୍ରେସ ଦଳର କାଁ ଭାଁ କର୍ମୀ ଆଜିର ହରତାଳ ପାଇଁ ବାହାରକୁ ଆସିଥିଲେ। ଏଥିରୁ ଜଣାପଡୁଛି ଯେ ସେମାନେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କିମ୍ବା ହରତାଳରେ ଖୁସି ନାହାନ୍ତି। କଂଗ୍ରେସ ଏଥିରୁ କୌଣସି ଶିକ୍ଷା ଗ୍ରହଣ କରି ନାହିଁ ଏବଂ ମହିଳାଙ୍କ ସହ ଜଡ଼ିତ ଜଘନ୍ୟ ଅପରାଧ ଉପରେ ରାଜନୀତି ଜାରି ରଖିଛି। ଏଥି ପାଇଁ ଓଡ଼ିଶାର ଲୋକ ସେମାନଙ୍କୁ ନାପସନ୍ଦ କରିବା ସହିତ ଲଗାତାର ଭାବେ ପ୍ରତ୍ୟାଖ୍ୟାନ କରି ଚାଲିଛନ୍ତି। ଓଡ଼ିଶାବାସୀ ବିଜେପି ପ୍ରାୟୋଜିତ ଓଡ଼ିଶା କଂଗ୍ରେସର ହରତାଳକୁ ସମର୍ଥନ କରିନାହାନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହା ଦେଖା ଯାଇଛି ଯେ କଂଗ୍ରେସର ସ୍ଥିତି ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ପାଉଛି, କାରଣ ଏହା ଲୋକମାନଙ୍କ ସମସ୍ୟାକୁ ନେଇ ନୁହେଁ ବରଂ ବିଜେପିର ବି-ଟିମ୍ ଭାବରେ କାର୍ଯ୍ୟ କରୁଛି। ୧୩୬ ବର୍ଷର ପୁରୁଣା କଂଗ୍ରେସ ଦଳ ଏତେ ତଳକୁ ଖସିଯିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଶ୍ରୀ ପାତ୍ର କହିଛନ୍ତି।

ବିଜେଡି ପକ୍ଷରୁ ଆହୁରି କୁହାଯାଇଛି ଯେ ଆଜିର ହରତାଳ ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାନ ହେବା ଉଭୟ କଂଗ୍ରେସ ଓ ବିଜେପି ପାଇଁ ଏକ ସତର୍କ ଘଣ୍ଟି। ଯଦି ଆପଣ ମହିଳାଙ୍କ ସହ ଜଡ଼ିତ ସମ୍ବେଦନଶୀଳ ଅପରାଧ ଘଟଣାକୁ ନେଇ ରାଜନୀତି ଜାରି ରଖନ୍ତି, ତେବେ ଓଡ଼ିଶାର ଲୋକମାନେ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିବେ। ଯେତେବେଳେ ରାହୁଲ ଗାନ୍ଧୀଙ୍କ ସମେତ ଦିଲ୍ଲୀର ସମଗ୍ର କଂଗ୍ରେସ ନେତୃତ୍ୱ ଇନ୍ଧନ ମୂଲ୍ୟ ବୃଦ୍ଧି, ଏଲପିଜି ରନ୍ଧନ ଗ୍ୟାସ, କୃଷକ ପ୍ରସଙ୍ଗ ଆଦି ଉପରେ ଚିତ୍କାର କରୁଛନ୍ତି, ସେତେବେଳେ ଓଡ଼ିଶା କଂଗ୍ରେସ ଏହି ସବୁ ପ୍ରସଙ୍ଗରେ ନିରବ ଥିବା ଜଣାପଡୁଛି। ଆଜି ହରତାଳର ବିଫଳତା ପ୍ରମାଣ କରିଛି ଯେ ଓଡ଼ିଶା କଂଗ୍ରେସ ଓଡ଼ିଶା ଲୋକଙ୍କ ପାଇଁ ଅପ୍ରାସଙ୍ଗିକ ହୋଇପଡ଼ିଛି। ଓଡ଼ିଶା କଂଗ୍ରେସ ମଧ୍ୟରେ ଅନେକ ଗୋଷ୍ଠୀ ଅଛନ୍ତି ଏବଂ ପ୍ରତ୍ୟେକ ଗୋଷ୍ଠୀ ଓଡ଼ିଶା ବିଜେପି ଦ୍ୱାରା ଅଲଗା ଅଲଗା ଭାବେ ପ୍ରାୟୋଜିତ ହୋଇଥିବା ଜଣାପଡ଼ିଛି। ଏହା ନ୍ୟାୟ ପାଇଁ ସଂଗ୍ରାମ ନୁହେଁ; ପିସିସି ସଭାପତି ପଦବି ପାଇଁ ଏହା ଓଡ଼ିଶା କଂଗ୍ରେସ ମଧ୍ୟରେ ହେଉଥିବା ଲଢ଼େଇ ବୋଲି ବିଜେଡି ମୁଖପାତ୍ର ଶ୍ରୀ ପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ମୁଖପାତ୍ର ଏଲିନା ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର