ପୂର୍ବତଟ ରେଳବାଇ ବିଭାଜନକୁ ବିରୋଧ : ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି

ପୁରୀ : ରେଳ ବିଭାଗକୁ ବାର୍ଷିକ ୨୦ହଜାର କୋଟି ଟଙ୍କାର ରାଜସ୍ବ ଦେଉଥିବା ପୂର୍ବତଟ ରେଳବାଇକୁ କେନ୍ଦ୍ର ସରକାର ରାଜନୈତିକ ସ୍ବାର୍ଥସାଧନ ପାଇଁ ଦୁଇଭାଗ କରି ଦେଇଛି। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପାଇଁ ଓଡ଼ିଶାର ସ୍ବାର୍ଥକୁ ଅଣଦେଖା କରାଯାଇଛି। କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ଆଭିମୁଖ୍ୟର ଏହା ଆଉ ଏକ ଉଦାହରଣ। ଏହି ବିଭାଜନକୁ ଦୃଢ଼ ବିରୋଧ କରିଛି ବିଜୁ ଜନତା ଦଳ। ପ୍ରତିବାଦରେ ଆସନ୍ତାକାଲିଠାରୁ ଆନ୍ଦୋଳନ ଡାକରା‌ ଦେଇଛି।

ଭୁବ‌ନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ଣ ୧୦ଟାରୁ ବିଜୁ ଜନତା ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେବେ ବୋଲି ବିଜେଡି ରାଜ୍ୟ ସାଧାରଣ ସଂପାଦକ ସଂଜୟ ଦାସବର୍ମା କହିଛନ୍ତି। ପୁରୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସବର୍ମା କହିଛନ୍ତି, ବହୁ ‌ସଂଗ୍ରାମ ପରେ ଓଡ଼ିଶା ପାଇଁ ପୂର୍ବତଟ ରେଳବାଇ ଗଠନ କରାଯାଇଥିଲା। କେନ୍ଦ୍ର ସରକାର ଚକ୍ରାନ୍ତ କରି ଏହାର ୱାଲଟିୟର ଡିଭିଜନକୁ ଅଲଗା କରି ଦେଇଛି। ନୂଆ କରି ଦକ୍ଷିଣତଟ ରେଳବାଇ ଗଠନ କରି ବିଶାଖାପାଟଣାଠାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଖୋଲିଛି ଓ ୱାଲଟିୟର ଡିଭିଜନର ପ୍ରମୁଖ ଅଂଶ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଛି।

ବିେଜଡି କହିଛି, କେନ୍ଦ୍ର ସରକାର ୱାଲଟିୟର ଡିଭିଜନର ପ୍ରମୁଖ ଅଂଶ ନବଗଠିତ ଦକ୍ଷିଣତଟ ରେଳବାଇ ସହ ମିଶାଇ ଓଡ଼ିଶାରେ ପୂର୍ବତଟ ରେଳବାଇର ରେଳ ସେବାକୁ ଦୁର୍ବଳ କରିଦେବାକୁ ‌ଚକ୍ରାନ୍ତି କରିଛି। ଏପରି କରି ଓଡ଼ିଶାରେ କେବଳ ଯାତ୍ରୀସେବା ନୁହେଁ, ବ୍ୟାବସାୟିକ ସେବାକୁ ବି ଠପ୍ କରିଦେବାକୁ ଯୋଜନା ଚାଲିଛି। ଓଡ଼ିଶାର ଅଧିକାରକୁ ଛଡ଼ାଇ ନିଆଯାଉଛି। ଦେଶର ସବୁଠୁ ବଡ଼ ଡିଜେଲ୍ ଇଂଜିନ୍ ସେଡ୍ ଓ ଇଲେକ୍ଟ୍ରିନ୍ ଇଂଜିନ୍ ସେଡ୍ ପୂର୍ବତଟ ରେଳବାଇ ଅଧୀନସ୍ଥ ଭାଇଜାଗରେ ରହିଛି। ୱାଗନ୍ ରକ୍ଷଣା‌ବେକ୍ଷଣ ସୁବିଧା ବି ଭାଇଜାଗରେ ଉପଲବ୍ଧ। କେନ୍ଦ୍ର ସରକାର ପୂର୍ବତଟ ରେଳବାଇ ଅଧୀନସ୍ଥ ଏହି ଡିଭିଜନକୁ ଦକ୍ଷିଣତଟ ରେଳବାଇ ସହ ମିଶ୍ରଣ ଫଳରେ ଓଡ଼ିଶାର ରେଳସେବା ଅସୁବିଧାରେ ପଡ଼ିବା ସ୍ବାଭାବିକ। ଯଦ୍ବାରା ପୂର୍ବତଟ ରେଳବାଇ ଅନ୍ୟ ରେଳବାଇ ଉପରେ ନିର୍ଭର କରିବ, ଓଡ଼ିଶାର ଯାତ୍ରୀସେବା ଓ ବ୍ୟବସାୟ ବାଧାପ୍ରାପ୍ତ ହେବ। ନିଜର ଦକ୍ଷତା ବଳରେ ଓଡ଼ିଶା ସରକାର ପୂର୍ବତଟ ରେଳବାଇକୁ ଦେଶରେ ରେଳସେବା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇ ପାରିଥିଲା। କିନ୍ତୁ କେନ୍ଦ୍ର ସରକାର ଏହି ଅସହିଷ୍ଣୁତା ମନୋଭାବ ନିନ୍ଦନୀୟ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

ବିେଜଡି କହିଛି, ପୂର୍ବତଟ ରେଳବାଇକୁ ବିଭାଜନ ନକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ର ସରକାରଙ୍କ ରେଳ ବିଭାଗକୁ ଚିଠି କରି କରିଛନ୍ତି। ବିକଳ୍ପ ପ୍ରସ୍ତାବ ବି ଦେଇଛନ୍ତି। ତଥାପି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଏହାକୁ ଅଣଦେଖା କରିଛନ୍ତି। ଏହାର ପ୍ରତିବାଦରେ ବିଜେଡି ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତର ଆଗରେ ଆସନ୍ତାକାଲି ବିକ୍ଷୋଭ ପ୍ରଦର୍ଶନ କରୁଛି। ତଥାପି ଯଦି ଦାବି ପୂରଣ ନହୁଏ, ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ। ରାଜ୍ୟବ୍ୟାପୀ ଆନ୍ଦୋଳନକୁ ମୁଣ୍ଡ ଟେକିବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

ସମ୍ବନ୍ଧିତ ଖବର