ନୂଆ ରଣନୀତି ପାଇଁ ବିଜେଡିର କସରତ

୨୦ରେ ରାଜ୍ୟ କାର୍ଯ୍ୟକାରିଣୀ, ୨୧ରେ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ
୧୮ରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ବର : ଆସନ୍ତା ୨୦ ତାରିଖରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ୨୧ ତାରିଖରେ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ। ଆଜି ବିଜେଡିର ବରିଷ୍ଠ ନେତାମାନେ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଡାକି ଏହି ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ଆସନ୍ତା ଡିସେମ୍ବର ୨୬ ତାରିଖ ଦିନ ବିଜେଡିର ପ୍ରତିଷ୍ଠା ଦିବସ। ଦଳକୁ ୨୩ ପୂରି ୨୪ ଚାଲିବ। ତେଣୁ ଏଥର ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀ, ପୌରାଞ୍ଚଳ ଏବଂ ବ୍ଲକ୍‌ସ୍ତରରେ କୋଭିଡ୍ କଟକଣା ଭିତରେ ପ୍ରତିଷ୍ଠା ଦିବସ ପାଳନ ପାଇଁ ସ୍ଥିର ହୋଇଛି।

ବିଜେଡି ବରିଷ୍ଠ ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଏବଂ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ ଦଳର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।

ବିଜେଡି ପକ୍ଷରୁ କୁହାଯାଇଛି ଯେ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଆଜି ଓଡ଼ିଶାର ବୃହତ୍ତମ ଓ ଭାରତବର୍ଷରେ ଏକ ନମ୍ବର ଆଞ୍ଚଳିକ ଦଳରେ ପରିଣତ ହୋଇଛି। ୨୬ ତାରିଖରେ ଦଳର ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ କାର୍ଯ୍ୟକାରିଣୀ ବୈଠକ ଏବଂ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏଥିରେ ଦଳର ସାଙ୍ଗଠନିକ ବିଷୟଠାରୁ ଆରମ୍ଭ କରି ରାଜନୈତିକ ଓ ଅର୍ଥନୈତିକ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରସ୍ତାବ ଆସିବ। ଏଥିସହ ଦଳର ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ରୂପରେଖ ପ୍ରସ୍ତୁତ ହେବ ଏବଂ ଏ ସମ୍ପର୍କରେ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯିବା ସହ ଆଗାମୀ ଦିନ ପାଇଁ ଦଳର ରଣକୌଶଳ ନିର୍ଦ୍ଧାରଣ କରାଯିବ। ବିଭିନ୍ନ ଦୃଷ୍ଟିକୋଣରୁ ଏହି ଦୁଇ ଦିନିଆ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ନେତାମାନେ କହିଥିଲେ।

ସେହିପରି ୩୨ଟି ସାଙ୍ଗଠନିକ ଜିଲ୍ଲାରେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯିବ। ସଭ୍ୟ ସଂଗ୍ରହଠାରୁ ଆରମ୍ଭ କରି ତୃଣମୂଳସ୍ତରରେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସଂକ୍ରାନ୍ତରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯିବ।

ସେପଟେ ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୧୮ ତାରିଖ ଦିନ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବ। ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୧୦ଟାରେ ଏହି ବୈଠକରେ ରାଜ୍ୟ ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି, ଉପସଭାପତି, ସାଧାରଣ ସଂପାଦକ, ସଂପାଦକ, ଯୁଗ୍ମ ସଂପାଦକ, ସାଂଗଠନିକ ଜିଲ୍ଲାର ସମସ୍ତ ଜିଲ୍ଲା ସଭାପତି, ସମସ୍ତ ଜୋନ୍ ସଭାପତି ଯୋଗଦେବେ। ବିଜୁ ଯୁବ ଦନକା ଦଳର ନବକଳେବର ପରେ ଏହା ପ୍ରଥମ କାର୍ଯ୍ୟକାରିଣୀ ବୈଠକ। ତୃଣମୂଳସ୍ତରରେ ଯୁବ ସଂଗଠନକୁ ସୁସଙ୍ଗଠିତ କରାଯାଇ ବିଜେଡି ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ବିସ୍ତୃତ ଆଲୋଚନା ସହିତ ପ୍ରସ୍ତାବ ଗ୍ରହଣ କରାଯିବ ବୋଲି ବିଜେଡି ରାଜ୍ୟ ସାଧାରଣ ସଂପାଦକ (ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର