୨୧ରେ ‘ଓଡ଼ିଶା ବନ୍ଦ’କୁ ବିଜେପି, କଂଗ୍ରେସର ସମର୍ଥନ

ନବନିର୍ମାଣ କୃଷକ ସଂଗଠନ ବନ୍ଦ ଡାକରା ଦେଇଛି, ଆଇନଗତ ପଦକ୍ଷେପ ନିଆଯିବ: ରାଜ୍ୟ ସରକାର

ଭୁବନେଶ୍ବର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତା ୨୧ ତାରିଖରେ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। ବନ୍ଦକୁ ଗତକାଲି ବିଜେପି ନୈତିକ ସମର୍ଥନ କରିଥିଲା ବେଳେ ଆଜି କଂଗ୍ରେସ ବି ସମର୍ଥନ କରିବ ବୋଲି କହିଛି। ଉଭୟ ଦଳ ସିଧାସଳଖ ବନ୍ଦ ପାଳନ କରିବେ ନାହିଁ। କିନ୍ତୁ ସଂଗଠନର ଏହି ଡାକରାକୁ ସମର୍ଥନ କରିବେ। ଅପର ପକ୍ଷରେ ୨୨ ତାରିଖରେ ମାଟ୍ରିକ୍ ପରୀକ୍ଷା ଥିବାରୁ ପ୍ରସ୍ତାବିତ ବନ୍ଦରୁ ଓହରିଯିବାକୁ ଗତକାଲି ସରକାର ଅନୁରୋଧ କରିଥିଲେ। ପରୀକ୍ଷା ସଂକ୍ରାନ୍ତରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ସମସ୍ତ କେନ୍ଦ୍ରକୁ ପୂର୍ବ ଦିନ ଅର୍ଥାତ ୨୧ ତାରିଖରେ ପଠାଯିବାର ବ୍ୟବସ୍ଥା କରାଯାଇଛି। ପ୍ରାୟ ୬ ଲକ୍ଷ ପରୀକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ପରୀକ୍ଷା କେନ୍ଦ୍ରକୁ ଯାତାୟତ କରିବେ। ଏଣୁ ପରୀକ୍ଷାର୍ଥୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ନବନିର୍ମାଣ କୃଷକ ସଂଗଠନ ବନ୍ଦ ଡାକରାରୁ ନିବୃତ୍ତ ରହିବାକୁ ଗୃହ ବିଭାଗ ଅନୁରୋଧ କରିଥିଲା। ତେବେ ସଂଗଠନ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା। ମାଟ୍ରିକ୍ ପରୀକ୍ଷା ସହ ସଂପୃକ୍ତ ଗାଡ଼ି ଓ ଆମ୍ବୁଲାନ୍ସକୁ ବନ୍ଦରୁ ବାଦ୍ ଦିଆଯିବ ବୋଲି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ। ପୂର୍ବ ଘୋଷଣା ଅନୁଯାୟୀ ସଂଗଠନ ବନ୍ଦ ପାଳନ କରିବ ବୋଲି ସେ ରୋକ୍‌ଠୋକ୍ ଜଣାଇଦେଇଛନ୍ତି। ସରକାରଙ୍କ ଅନୁରୋଧକୁ ସଂଗଠନ ପ୍ରତ୍ୟାଖ୍ୟାନ କଲା ପରେ ଆଜି ରାତିରେ ଗୃହ ବିଭାଗ ପକ୍ଷରୁ ପୁଣି ଏକ ପ୍ରେସ୍ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି, ସରକାରଙ୍କ ଅନୁରୋଧ ସତ୍ତ୍ବେ ଯଦି ସଂଗଠନ ବନ୍ଦ ଯୋଜନା ଜାରି ରଖିବାକୁ ଅଟଳ ରୁହନ୍ତି, ତେବେ ମାଟ୍ରିକ ପରୀକ୍ଷା ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ବାଧ୍ୟ ହେବେ। ସଂଗଠନର କର୍ମକର୍ତ୍ତାମାନେ ସାଧାରଣ ଜନତା ଓ ଛାତ୍ର ସମାଜ ସମ୍ମୁଖୀନ ହେବାକୁ ଥିବା ସମସ୍ତ ଅସୁବିଧାର ଗୁରୁତ୍ବକୁ ହୃଦୟଙ୍ଗମ କରି ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ବନ୍ଦ ଡାକରାକୁ ପ୍ରତ୍ୟାହାର କରିବେ ବୋଲି ସରକାର ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର