ଦଳ ଛାଡ଼ିବା ପରେ ବିଜୟ, ଦିଲ୍ଲୀପଙ୍କୁ ବିଜେପିର ସମାଲୋଚନା : ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳ ଛାଡିଛନ୍ତି

ଭୁବନେଶ୍ୱର: ଦଳ ଛାଡ଼ିବା ପରେ ବିଜେପି ପକ୍ଷରୁ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ କଡ଼ା ସମାଲୋଚନା କରିଛି ବିଜେପି। ବିଜେପି ଉପସଭାପତି ସମୀର ମହାନ୍ତି ଉଭୟଙ୍କର ଅନ୍ୟମାନଙ୍କ ସହିତ ମିଶି କାମ କରିବାର ଅଭ୍ୟାସ ନ ଥିବାରୁ ସେମାନେ ନିଜକୁ ଦଳର ମିଳିତ ନେତୃତ୍ୱ ସହିତ ସାଲିସ କରି ପାରିଲେ ନାହିଁ ବୋଲି କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ବିଜେପି  ଉପସଭାପତି ସମୀର ମହାନ୍ତି ।

ଦଳ ଛାଡିଥିବାରୁ ଉଭୟ ନେତାଙ୍କୁ ଶୁଭେଚ୍ଛା ଜଣାଇଛି ବିଜେପି । ଉଭୟ ନେତା ଦଳ ଛାଡିବା ନେଇ ବହୁ-ପୂର୍ବରୁ ପ୍ରସ୍ତୁତି କରିଥିଲେ । ତେଣୁ ଏଥିରେ ଚିନ୍ତା କରିବାର ଆବଶ୍ୟକ ନାହିଁ ବୋଲି ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମୋଦି ସରକାର ଆସିବା ପରେ ଅନେକ ବିକାଶ ହୋଇଛି । କେବଳ ବିକାଶ ନୁହେଁ, ବରଂ ରାଉରକେଲା ଆଜି ସ୍ମାର୍ଟସିଟି ହୋଇପାରିଛି। ତେଣୁ ସରକାର କାମ କଲେନାହିଁ ବୋଲି କହିବା ଠିକ ନୁହେଁ।

ଉଭୟ ନେତା ଦୀର୍ଘ ଦିନ ହେଲା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ । ତେଣୁ ପୂର୍ବରୁ ହିଁ ଜଣାଥିଲା କି ସେମାନେ ଦଳ ଛାଡିବେ । ତେବେ ଦଳ ଛାଡିଥିବାରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨ ନେତା ଘର କଥା ଘରେ ନରଖି ବହାରେ କହୁଥିଲେ । ଆଉ ବର୍ତମାନ ସମୟରେ ବ୍ୟକ୍ତିଗତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦଳରୁ ଆଜି ଇସ୍ତଫା ଦେଇଛନ୍ତି । ଏହାସହ ବିଜୟ ବାବୁ ଦଳରେ ଗୋଷ୍ଠୀ ସୃଷ୍ଟି କରୁଥିଲେ । ଗୋଷ୍ଠୀ ସୃଷ୍ଟି କରିବା ବିଜୟଙ୍କ ଡିଏନଏରେ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସମୀର ।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ  ଗୋଟିଏ ଇସ୍ତଫାପତ୍ରରେ ଦସ୍ତଖତ କରି ଏହାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ପଠାଇ ଦେଇଛନ୍ତି। ନିଜ ଇସ୍ତଫା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ବିଜୟ ମହାପାତ୍ର କହିଛନ୍ତି ଯେ ବିଜେପି ଦଳର ଓଡ଼ିଶାର ସ୍ୱାର୍ଥ ରକ୍ଷା ପ୍ରତି ଆନ୍ତରିକତା କିମ୍ବା ନିଷ୍ଠା ନାହିଁ। ତେଣୁ ସେ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର