ରବି ଧାନ କିଣାବିକାରେ ଅବ୍ୟବସ୍ଥା ଅଭିଯୋଗ ଆଣିଲା ବିଜେପି

ଧାନ ବିକ୍ରି ପାଇଁ ସମୀକ୍ଷା ବୈଠକ ଡାକନ୍ତୁ ମୁଖ୍ୟମନ୍ତ୍ରୀ : ପ୍ରଦୀପ ପୁରୋହିତ

ଭୁବନେଶ୍ୱର : ଚଳିତ ମାସ ୫ ତାରିଖରୁ ରବି ଧାନ କ୍ରୟ ପାଇଁ ରାଜ୍ୟରେ ମଣ୍ଡି ବ୍ୟବସ୍ଥା ଚାଲୁ ହୋଇଥିବା ବେଳେ ଧାନ କିଣାବିକା ଆରମ୍ଭରୁ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି। ଏହି କାରଣରୁ ଅନ୍ୟ କୈାଣସି ଉପାୟ ନ ପାଇ ବର୍ତ୍ତମାନ ଖୋଲା ବଜାରରେ ମାତ୍ର ୧୦୦୦ ଟଙ୍କା ପ୍ରତି କ୍ବିଣ୍ଟାଲରେ ଧାନ ବିକ୍ରି କରିବା ପାଇଁ ଚାଷୀ ବାଧ୍ୟ ହେଉଛି ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି।

ଶ୍ରୀ ପୁରୋହିତ କହିଛନ୍ତି ଯେ ରାଜ୍ୟ ସରକାର ଯେତେ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଯୋଗାଇ ଦେଇଥିଲେ, ତାହା ମଧ୍ୟରୁ ପାଖାପାଖି ୧୦ ରୁ ୨୦ ପ୍ରତିଶତ ଭାଗଚାଷୀଙ୍କ ଟୋକନ୍‌ର ସମୟସୀମା ସରିଗଲାଣି । ମିଲର୍ସମାନଙ୍କ ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନ ଥିବାରୁ ମିଲର୍ସମାନେ ନିଜ ଇଚ୍ଛା ମୁତାବକ ମଣ୍ଡିରୁ ଧାନ ଉଠାଉଛନ୍ତି ଏବଂ ପ୍ରତି କ୍ୱିଣ୍ଟାଲ୍‌ରେ ୫ ରୁ ୬ କେଜି ଧାନ କଟ୍‌ନି ଛଟ୍‌ନି କରୁଛନ୍ତି। ଧାନ ସରକାର କିଣୁଛନ୍ତି ନା ମିଲର୍ସ କିଣୁଛନ୍ତି ବୋଲି ଚାଷୀଙ୍କ ମନରେ ଦ୍ୱନ୍ଦ୍ବ ସୃଷ୍ଟି ହୋଇଛି । ଟୋକନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଦେଖା ଦେଇଛି । ଡିପ୍ ବୋରୱେଲରେ ଚାଷୀ କରୁଥିବା ଚାଷ ଅଢ଼େଇ ଏକର ଜମିର ଧାନ ୬୪ କ୍ୱିଣ୍ଟାଲ କିଣିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ୮୦ ପ୍ରତିଶତ ଡିପ୍ ବୋରୱେଲ ଚାଷୀଙ୍କ ଟୋକନ୍‌ରେ ବ୍ୟାପକ ଅବ୍ୟବସ୍ଥା ହୋଇଛି । ସରକାର ଚାଷୀଙ୍କୁ ଯୋଗାଇ ଦେଇଥିବା ଟୋକନ୍‌ରେ ୧ କ୍ୱିଣ୍ଟାଲ, ୨ କ୍ୱିଣ୍ଟାଲ, ୫ କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଚିଠି ଆସିଥିବାରୁ ଚାଷୀମାନେ ହତାଶ ହୋଇ ପଡ଼ିଛନ୍ତି। ବରଗଡ, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, କେନ୍ଦୁଝର, ନୂଆପଡ଼ା ଆଦି ବହୁ ଜିଲ୍ଲାରେ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଯଦି ପ୍ରକୃତରେ ଚାଷୀ ପ୍ରତି ଓଡ଼ିଶା ସରକାରଙ୍କ ଦରଦ ଅଛି, ତେବେ ମୁଖ୍ୟମନ୍ତ୍ରୀ ଖାଦ୍ୟ ଯୋଗାଣ ବିଭାଗର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରି ଧାନ କିଣାବିକାରେ ଶୋଷିତ ଚାଷୀଙ୍କୁ ଏଥିରୁ ସୁରକ୍ଷା ଦେବାର ବ୍ୟବସ୍ଥା କରିବାକୁ ଶ୍ରୀ ପୁରୋହିତ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର