ବର୍ଷୀୟାନ୍‌ ବିଜେପି ନେତା କିସୁନଙ୍କ ପରଲୋକ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବିଜେପିର ଭୀଷ୍ମ ପିତାମହ ଭାବେ ପରିଚିତ ତଥା ଜିଲ୍ଲାରେ ବିଜେପିର ମୁଖ୍ୟ ସଂସ୍ଥାପକ ଓ ପାନପୋଷ ସାଙ୍ଗଠନିକ ଜିଲ୍ଲା ବିଜେପିର ପ୍ରଥମ ସଭାପତି କିସୁନ ପ୍ରସାଦ ସାହୁଙ୍କର ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ବିଜେପି ମହଲରେ ଶୋକର ଛାୟା ଖେଳିଯାଇଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡର ସାଂସଦ ଜୁଏଲ ଓରାମ ଶ୍ରୀ ସାହୁଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସ୍ବର୍ଗତ କିସୁନ ପ୍ରସାଦ ସାହୁ ତାଙ୍କର ରାଜନୀତି ଗୁରୁ ଥିଲେ। ସ୍ବର୍ଗତ ସାହୁଙ୍କୁ ସୁନ୍ଦରଗଡ଼ ଜିଲ୍ଲା ବିଜେପିର ପିତାମହ ଭୀଷ୍ମ ଭାବେ ଅଭିହିତ କରି ଜୁଏଲ କହିଛନ୍ତି, ଜନସଂଘରୁ ଆରମ୍ଭ କରି ବିଜେପି ସଂଗଠନ ଅଭିବୃଦ୍ଧିରେ ତାଙ୍କର ଅବଦାନ ଅତୁଳନୀୟ l ଉଲ୍ଲେଖଯୋଗ୍ୟ ଯେ, ରାଉରକେଲା ପୌରପାଳିକାର ଜଣେ କାଉନସିଲର ଭାବେ ହେଉ, ଅଥବା ରାଜ୍ୟ ଅର୍ବାନ ଡେଭଲପମେଣ୍ଟ କର୍ପୋରେସନ୍‌ର ଚେୟାରମ୍ୟାନ୍‌ ଭାବେ; ସବୁଠି ନିଜର ଶାନ୍ତ ସ୍ବଭାବ ଓ ମଧୁର ଭାଷଣ ପାଇଁ ବେଶ୍‌ ଲୋକପ୍ରିୟ ଓ ଗ୍ରହଣୀୟ ଥିଲେ। ତାଙ୍କର ମରଶରୀରକୁ ଭୁବନେଶ୍ବରରୁ ରାଉରକେଲା ଅଣାଯାଉଛି। ଆସନ୍ତକାଲି (ଶୁକ୍ରବାର) ବେଦବ୍ୟାସ ଶ୍ମଶାନ ଘାଟରେ ତାଙ୍କର ଅନ୍ତ୍ୟେଷ୍ଟ୍ରି କ୍ରିୟା ହେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର