ବିଜେପୁର ହତ୍ୟାକାଣ୍ଡରେ ବିଜେଡିର ସଂପୃକ୍ତି ଅଛି: ବିଜେପି
ସ୍ବଚ୍ଛ ଭାରତ ମିସନ୍ର ବିଜେପୁର ବ୍ଲକ୍ ସଂଯୋଜକ ହତ୍ୟା ଘଟଣା
ଭୁବନେଶ୍ବର : ବିଜେପୁର ଉପନିର୍ବାଚନକୁ ଆଉ କିଛି ଦିନ ବାକି ଥିଲା ବେଳେ ବିଜେଡି ଗୁଣ୍ଡାମାନେ ନିର୍ବାଚନ ଜିତିବାକୁ ଲୋକମାନଙ୍କୁ ଭୟଭୀତ କରାଇବା ଆରମ୍ଭ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଦୁଇ ଦିନ ତଳେ ସ୍ବଚ୍ଛ ଭାରତ ମିସନ୍ର ବିଜେପୁର ବ୍ଲକ୍ ସଂଯୋଜକ ତାରେଣୀସେନ ମହଲାଙ୍କ ହତ୍ୟା ଘଟଣାରେ ବିଜେଡିର ସଂପୃକ୍ତି ରହିଛି ବୋଲି ବିଜେପି ସିଧାସଳଖ ଆରୋପ ଲଗାଇଛି। ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା ପାଇଁ ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଦଳ ବିଜେପୁରରେ ଗଣହତ୍ୟା କରୁଛି ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଲେ, ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅହିଂସା କଥା କହୁଥିବା ବେଳେ ଅନ୍ୟ ପଟେ ତାଙ୍କ ଦଳର ନେତାଙ୍କ ନିର୍ଦ୍ଦେଶରେ କର୍ମୀମାନେ ରାଜନୈତିକ ହିଂସା କରି ଭୋଟ୍ ହାତେଇବାକୁ ଅପଚେଷ୍ଟା କରୁଛନ୍ତି। ମିଥ୍ୟା ବିଲ୍କୁ ପାସ୍ ନ କରିବାରୁ ତାରେଣୀସେନ୍ଙ୍କୁ ହତ୍ୟା କରାଗଲା। ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ବର ଉଠାଇଲେ ମୃତ୍ୟୁଦଣ୍ଡ ମିଳୁଛି। ଯେଉଁ ହତ୍ୟାକାରୀମାନଙ୍କୁ ଏସ୍ପି ଠିକାଦାର ବୋଲି ଗଣମାଧ୍ୟମରେ କହିଲେ, ସେମାନେ ବିଜୁ ଯୁବ ବାହିନୀର ସଦସ୍ୟ ନୁହନ୍ତି କି ? ମୁଖ୍ୟମନ୍ତ୍ରୀ ‘୫ ଟି’ର ଡିଣ୍ଡିମ ପିଟୁଥିଲା ବେଳେ ଏଠି କେଉଁ ଟ୍ରାନ୍ସପରେନ୍ସି କାର୍ଯ୍ୟ କଲା ? ତାରେଣୀସେନ ମହଲାଙ୍କ ପରିବାରକୁ ବରଗଡ଼ର ସାଂସଦ ସୁରେଶ ପୂଜାରୀ ଭେଟିଛନ୍ତି। କିନ୍ତୁ ସରକାରୀ ଦଳର କେହି ଯାଇ ନାହାନ୍ତି। ରାଜ୍ୟ ସରକାର ସଚ୍ଚୋଟ କର୍ମଚାରୀଙ୍କୁ କିପରି ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ଦୋଷୀମାନଙ୍କୁ ଫାଶୀ ଦଣ୍ଡ ଦିଆଯିବା ସହ ପତ୍ନୀଙ୍କୁ ଚାକିରି ଓ ପରିବାରକୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ବିଜେପି ଦାବି କରିଛି।