ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ର‍୍ୟାଙ୍କିଙ୍ଗ୍ : ଇଞ୍ଜିନିୟରିଂ ଓ ଟେକ୍ନୋଲୋଜିରେ ଓଡ଼ିଶାରୁ ୪ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ରୢାଙ୍କିଙ୍ଗ୍‌-୨୦୨୦ର ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ବିଭାଗ‌ର‌େ ଶ୍ରେଷ୍ଠ ଅନୁଷ୍ଠାନର ତାଲିକା ପ୍ରକାଶ ପାଇଛି। ଏଥିରେ ବିଶ୍ବର ୧୦୦୮ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ଯେଉଁଥିରେ ଭାରତର ୪୩ଟି ଶିକ୍ଷାନୁଷ୍ଠାନ ରହିଛି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ(ଆଇଆଇଏସ୍‌) ଭାରତର ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ବିଶ୍ବର ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି। ଏହା ୯୯ତମ ସ୍ଥାନରେ ରହିଥିବା ବେଳେ ଆଇଆଇଟି ବମ୍ବେ ଓ ଆଇଆଇଟି ଦିଲ୍ଲୀ ୧୫୧ରୁ ୧୭୫ ରୢାଙ୍କ୍‌ ମଧ୍ୟରେ ରହିଛନ୍ତି। ଏହାବ୍ୟତୀତ ଆଇଆଇଟି ଖଡ଼ଗପୁର ଓ ଆଇଆଇଟି ମାଡ୍ରାସ ୨୦୧-୨୫୦ ମଧ୍ୟରେ, ଆଇଆଇଟି କାନପୁର ୨୫୧-୩୦୦ ରୢାଙ୍କ୍‌ ମଧ୍ୟରେ ସ୍ଥାନ ହାସଲ କରିଛି।

ବିଶ୍ବ ବିଶ୍ବବିଦ୍ୟାଳୟ ରୢାଙ୍କିଙ୍ଗ୍‌ ପରି ଏହି ତାଲିକାରେ ବି ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ଆଇଆଇଟି ଭୁବନେଶ୍ବର, ଏନ୍‌ଆଇଟି ରାଉରକେଲା ଓ ସୋଆ ଡିମ୍‌ଡ ବିଶ୍ବବିଦ୍ୟାଳୟ ୬୦୧-୮୦୦ ରୢାଙ୍କ୍‌ ମଧ୍ୟରେ ସ୍ଥାନ ପାଇଛନ୍ତି। ପ୍ରଥମ ଥର ପାଇଁ ସୋଆ ବିଶ୍ବବିଦ୍ୟାଳୟ ଏହି ତାଲିକାରେ ସ୍ଥାନ ହାସଲ କରିଛି। କିଟ୍‌ ବିଶ୍ବବିଦ୍ୟାଳୟ ୮୦୧+ ରୢାଙ୍କ୍‌ରେ ରହିଛି। ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି କ୍ଷେତ୍ରରେ ପ୍ରକାଶ କରାଯାଇଥିବା ଏହି ତାଲିକାର ତଥ୍ୟ ହାସଲ କରିବା ପାଇଁ ୧୩ଟି ପାରଦର୍ଶିତା ମାପଦଣ୍ଡ ନିର୍ଦ୍ଧାରଣ କରାଯାଇଥିଲା। ଏଥିରେ ଶିକ୍ଷାଦାନ (ଶୈକ୍ଷିକ ବାତାବରଣ), ଗବେଷଣା ସମ୍ବଳିତ ଲେଖା(ଗବେଷଣାର ପ୍ରଭାବ), ଅନ୍ତର୍ଜାତୀୟ ଦୃଷ୍ଟିଭଙ୍ଗୀ(କର୍ମଚାରୀ,ଛାତ୍ରଛାତ୍ରୀ ଓ ଗବେଷଣା) ଏବଂ ଶିଳ୍ପକ୍ଷେତ୍ରର ଆୟ ଆଦି ରହିଥିଲା।

ସମ୍ବନ୍ଧିତ ଖବର