ତିତ୍‌ଲି ପ୍ରଭାବିତଙ୍କ ପାଖରେ ପ୍ରଶାସନ ଅପହଞ୍ଚ: ବିଜେପି

କ୍ଷତିଗ୍ରସ୍ତ ଅଞ୍ଚଳ‌େର ସରଜିମନ୍ ତଦନ୍ତ

ଭୁବନେଶ୍ବର : ତିତଲି ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ ଓ ରିଲିଫ୍ କାର୍ଯ୍ୟର ତଦାରଖ କରିବା ସହ ସରଜମିନ୍ ତଦନ୍ତ କରି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭୁବନେଶ୍ବର ଫେରି ଆସିଛନ୍ତି। ଏହି ପ୍ରତିନିଧି ଦଳର ସଦସ୍ୟମାନେ ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତିତଲି କ୍ଷୟକ୍ଷତି ଓ ପରବର୍ତ୍ତୀ ଥଇଥାନ କାର୍ଯ୍ୟରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ଉପରେ ପ୍ରଶ୍ନ ଉଠାଇବା ସହ ସରକାରଙ୍କ ସବୁ କାର୍ଯ୍ୟ ବିଫଳ ହୋଇଛି ବୋଲି ଆରୋପ ଲଗାଇଛି ବିଜେପି।

ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଲେ, ରାଜ୍ୟ ସରକାର ଜିରୋ କାଜୁଆଲିଟି କଥା କହି ୭୦ରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇବାରେ ବିଫଳ ହୋଇଥିଲେ। ରିଲିଫ୍ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଯାଇ କୋଟି କୋଟି ଟଙ୍କା ହେର୍‌ଫେର୍ କରିବା ସହ ଦଳୀୟ ଭିତ୍ତି‌େର ରିଲିଫ୍ ବଣ୍ଟନ କରାଯାଇଛି। ଏବେ ବି ଅନେକ ସ୍ଥାନରେ ରିଲିଫ୍ ପହଞ୍ଚି ପାରି ନାହିଁ। ଗମନାଗମନ କ୍ଷେତ୍ରରେ ସୁଧାର ଆସି ନାହିଁ। ଚାଷୀମାନଙ୍କ ଫସଲର ଠିକ୍ କ୍ଷୟକ୍ଷତି ଆକଳନ କରାଯାଇ ନାହିଁ। ଘର ଭାଙ୍ଗିଯାଇଥିବାରୁ ଲୋକମାନେ ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବୁରୁତାଲ ଗ୍ରାମରେ ଘରଗୁଡ଼ିକ କ୍ଷତି ହୋଇଥିବା ସହ ସ୍କୁଲ୍ ଘର କ୍ଷତିଗ୍ରସ୍ତ ହୋଇଛି। ଏବେ ବି ଗ୍ରାମବାସୀମାନେ ପଲିଥିନ୍ ଟାଣି ରହୁଛନ୍ତି। ଭୂସ୍ଖଳନ ଯୋଗୁ ବୁରତାଲ, ଅଙ୍କୁଲି ଓ ତୁମ୍ଭା ଗ୍ରାମରେ ୧୧ ଜଣ ମୃତ୍ୟୁବରଣ କରିଥିଲେ ମଧ୍ୟ ସେମାନଙ୍କୁ ଏ ଯାଏ ସରକାରୀ ସହାୟତା ଦିଆଯାଇ ନାହିଁ। ସେହିପରି ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍‌ର ମାଦ ଗାଁକୁ ସମ୍ପୂର୍ଣ୍ଣ ଭାସିଯାଇଥିଲା ବେଳେ ଗ୍ରାମବାସୀମା‌ନେ ସ୍କୁଲ୍ ଘରକୁ ନିଜର ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରୁଛନ୍ତି। ରାଜ୍ୟ ସରକାର ଯୋଗାଉଥିବା ଚାଉଳ ସମୁଦ୍ରକୁ ଶଙ୍ଖେ। ଗାଁର ୧୫ଟି ପରିବାରର ରେସନ୍ କାର୍ଡ ନ ଥିବାରୁ ଖାଦ୍ୟ ଯୋଗାଣରୁ ବଞ୍ଚିତ ଅଛନ୍ତି। ବାତ୍ୟାରେ ସମସ୍ତ ଗୃହ ଭାଙ୍ଗିଯାଇଛି ଓ ଅନେକ ଗାଈ, ଛେଳି ମରିଯାଇଥିଲା ବେଳେ ସେମାନଙ୍କୁ ଏଯାବତ୍ କୌଣସି ସହାୟତା ଯୋଗାଇ ଦିଆଯାଇ ନାହିଁ। ରାୟଗଡ଼ ବ୍ଲକ୍‌ କାଇପୁର ପଞ୍ଚାୟତ ମାଧବ ଗାଁରେ ଘରଗୁଡ଼ିକ ଭାଙ୍ଗିଯାଇଥିବାରୁ ସମସ୍ତ ଗ୍ରାମବାସୀ ପଲିଥିନ୍ ତଳେ ବସବାସ କରୁଛନ୍ତି। ଜଳା ଗାଁରେ ଘର ସବୁ ଭାଙ୍ଗିଯାଇଛି। କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ ଏ ପର୍ଯ୍ୟନ୍ତ ସେ ଅଞ୍ଚଳକୁ ଯାଇ ନାହାନ୍ତି। ଗୋଟିଏ ପଟେ ରାଜ୍ୟ ସରକାର କ୍ଷତିଗ୍ରସ୍ତଙ୍କୁ ଅର୍ଥ ପ୍ରଦାନ କରାଯାଇଛି ବୋଲି କହୁଥିବା ବେଳେ ଅନ୍ୟ ପଟେ କ୍ଷତିପୂରଣ ଅର୍ଥ ପାଇ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କେଉଁମାନଙ୍କୁ କେତେ ଅର୍ଥ କ୍ଷତିପୂରଣ ବାବଦରେ ପ୍ରଦାନ କରାଯାଇଛି, ତାହା ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟ କରନ୍ତୁ। ସେହିପରି ଭାଙ୍ଗିଯାଇଥିବା ଘରଗୁଡ଼ିକ କେବେ ସୁଦ୍ଧା ନିର୍ମାଣ ସରିବ ଓ ପଶୁଧନ ସମ୍ପତ୍ତିର କ୍ଷତିପୂରଣ କେବେ ସୁଦ୍ଧା ଭରଣା ହେବ, ତାହା ମଧ୍ୟ ସରକାର ସ୍ପଷ୍ଟ କରିବାକୁ ବିଜେପି ଦାବି କରିଛି।

ଶ୍ରୀ ପୁରୋହିତ ଆହୁରି ଅଭିଯୋଗ କରିଛନ୍ତି, ବିଧାନସଭାରେ ୨୪ ତାରିଖ ଦିନ ତିତଲି ସମ୍ପର୍କରେ ଦୁଇ ଘଣ୍ଟା ଆଲୋଚନା କରାଯିବାର ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆଲୋଚନା ନ କରି ସରକାରୀ ଦଳ ଓ ବିରୋଧୀ ଦଳ ଏକାଠି ହୋଇ ବିଧାନସଭା ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର