ଧାମନଗରରେ ବିଜେପି ଜିତିଲା, ଉପନିର୍ବାଚନ ଜିତିଲେ ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ: ଧାମନଗର ଉପନିର୍ବାଚନରେ ପୁଣି ପଦ୍ମ ଫୁଟିଛି। ଧାମନଗରବାସୀ ଭାରତୀୟ ଜନତା ପାର୍ଟି (ବିଜେପି)ଉପରେ ଭରସା ରଖିଛନ୍ତି। ଏଠାକାର ମତଦାତାମାନେ ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାୟ ୧୦,୦୦୦  ଅଧିକ ଭୋଟ ଦେଇ ବିଜୟୀ କରାଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ୨୦୧୯ ସାଧାରଣ ନିର୍ବାଚନରେ ବିଷ୍ଣୁ ସେଠୀଙ୍କୁ ୮୦,୧୧୧ ଖଣ୍ଡ ଭୋଟ୍‌ ମିଳିଥିଲା। ନିକଟତମ ପ୍ରାର୍ଥୀ ରାଜେନ୍ଦ୍ର ଦାସ (ବିଜେଡି)ଙ୍କୁ ୭୫,୪୮୬ ଖଣ୍ଡ ଭୋଟ ମିଳିଥିଲା। ବିଷ୍ଣୁ ସେଠୀ ୪୬୨୫ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏଥର ତାଙ୍କ ପୁତ୍ର ତଥ‌ା ବିଜେପି ପ୍ରାର୍ଥୀ ଗତ ବିଜୟ ବ୍ୟବଧାନର ଦୁଇ ଗୁଣ  ଭୋଟରେ ବିଜୟୀ ହୋଇଛନ୍ତି।

ସୂଚନା ଅନୁସାରେ ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ୮୦,୩୫୧ ଖଣ୍ଡ ଭୋଟ୍‌ ମିଳିଛି। ସୂର୍ଯ୍ୟବଂଶୀଙ୍କ ନିକଟତମ ପ୍ରାର୍ଥୀ ତଥା ବିଜୁ ଜନତା ଦଳ (ବିଜେଡି)ର ଅବନ୍ତୀ ଦାସଙ୍କୁ ୭୦,୪୭୦ ଖଣ୍ଡ ଭୋଟ୍‌ ମିଳିଛି। ସୂର୍ଯ୍ୟବଂଶୀ ସୂରଜ ୯୮୮୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେଡି ପାର୍ଥୀ ଅବନ୍ତୀ ଦାସଙ୍କୁ ପରାସ୍ତ କରିଥିବା ସୂଚନା ମିଳିଛି। ଏହି ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୮୧୫୩ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ କଂଗ୍ରେସର ବାବା ହରେକୃଷ୍ଣ ସେଠୀଙ୍କୁ ୩୫୬୧ ଖଣ୍ଡ ଭୋଟ୍‌ ମିଳିଛି। ସେହିପରି ସ୍ବାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ୪୯୭ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ନୋଟାକୁ ୬୫୦ ଖଣ୍ଡ ଭୋଟ୍‌ ଯାଇଛି। ୧୮ ରାଉଣ୍ଡ ଗଣତି ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଳୋହାନୀ ଏହି ସୂଚନା ଦେଇଛନ୍ତି। ତେବେ ଭିଭିପାଟ ଗଣତି ପରେ ଚୂଡ଼ାନ୍ତ ଫଳାଫଳ ଘୋଷଣା ହେବ।

ସୂଚନାଯୋଗ୍ୟ, ଗତ ୩ ତାରିଖ ଦିନ ଧାମନଗରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାର ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା। ଭୋଟ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପକ୍ଷରେ ଜନାଦେଶ ଆସିଥିଲା। ଅର୍ଥାତ ଭୋଟଗଣତିର ବିଭିନ୍ନ ରାଉଣ୍ଡରେ ବିଜେପିକୁ ଅଧିକ ଭୋଟ୍‌ ମିଳୁଥିବାର ପରିଲକ୍ଷିତ ହେଉଥିଲା ଏବଂ ଶେଷରେ ବିଜେପିକୁ ଅଧିକ ଭୋଟ ମିଳିବା ସହିତ ବିଜୟ ହାସଲ ମଧ୍ୟ ହୋଇଛି।

ସମ୍ବନ୍ଧିତ ଖବର