କେନ୍ଦ୍ର ସପକ୍ଷରେ ବିଜେପିର ଯୁକ୍ତି : ଟିକସ କମାନ୍ତୁ ରାଜ୍ୟ ସରକାର

ଅସ୍ତିତ୍ବ ବଞ୍ଚାଇବାକୁ କଂଗ୍ରେସର ବନ୍ଦ ଡାକରା

ଭୁବନେଶ୍ବର : ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପାଇଁ କଂଗ୍ରେସ ଆନ୍ଦୋଳନ କରୁନାହିଁ। ବରଂ ଦଳର ଅସ୍ତିତ୍ବ ବଞ୍ଚାଇବାକୁ ଓଡ଼ିଶା ବନ୍ଦ ଡାକରା ଦେଇଛି। ରାଜ୍ୟବ୍ୟାପି କଂଗ୍ରେସ ବନ୍ଦ ପାଳନକୁ ନେଇ ବିଜେପି ଏଭଳି ପ୍ରତିକ୍ରିୟା ରଖିଛି। ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆକ୍ଷେପ କରି କହିଛନ୍ତି, ରାଜ୍ୟରେ ଭୋଟ ପ୍ରତିଶତ କମିବା ଓ ଦଳର ଅନ୍ତଃକନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଏହା କଂଗ୍ରେସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏହି ଅଡ଼ୁଆରୁ ମୁକୁଳିବା ପାଇଁ ଲୋକଙ୍କ ସ୍ବାର୍ଥ ପାଇଁ ଦଳ ମିଛ ଆନ୍ଦୋଳନ ଚଳାଇଛି।

ସେ କହିଥିଲେ ଯେ ଅଶୋଧିତ ତୈଳ ଦର ଅନ୍ତରାଷ୍ଟ୍ରୀୟ ବଜାରରେ ଯେତିକି କମିଲା ସେହି ମୂଲ୍ୟର ଦରରେ ଖାଉଟିମାନଙ୍କୁ ପେଟ୍ରୋଲ ଓ ଡିଜେଲ ଉପଲବ୍ଧ କରିବା ପାଇଁ ଦାବି କରିବା ସମ୍ପୂର୍ଣ୍ଣ ଅମୂଳକ। ଏହାର ୩ଟି କାରଣ ରହିଛି। ପ୍ରଥମଟି ହେଲା ଅଶୋଧିତ ତୈଳ ମୂଲ୍ୟ କମିଥିଲେ ବି ପରିବହନ ଓ ବିଶୋଧନ ଖର୍ଚ୍ଚ କମିନାହିଁ। ପେଟ୍ରୋଲ ଓ ଡିଜେଲ ଉତ୍ପାଦନରୁ କେନ୍ଦ୍ର ସରକାରଙ୍କୁ ମିଳୁଥିବା ଅର୍ଥ କୌଣସି ସ୍ବିସ୍‌ ବ୍ୟାଙ୍କ କିମ୍ବା ପାନାମା ପେପରକୁ ଯାଉନାହିଁ। ସେଗୁଡ଼ିକ ଜନକଲ୍ୟାଣକାରୀ ଯୋଜନାରେ ଖର୍ଚ୍ଚ ହେଉଛି। ଦ୍ବିତୀୟ କାରଣ ହେଉଛି, ମୋଦୀ ସରକାରଙ୍କ ପ୍ରାଥମିକତା ଦେଶର ସାଧାରଣ ଓ ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା, ମୁଦ୍ରା ଯୋଜନାରେ ଋଣ, ସ୍ବଚ୍ଛ ଭାରତ, ଉଜ୍ଜ୍ବଳା ଯୋଜନା ଗ୍ୟାସ୍‌, ସବୁ ଘରକୁ ବିଜୁଳି, ପାଣି, ପାଇଖାନା, ରାସ୍ତା ଇତ୍ୟାଦି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ବିପୁଳ ଅର୍ଥ ଯୋଗାଇ ଦେଉଛନ୍ତି। ତୃତୀୟ କାରଣଟି ହେଲା ରାଜ୍ୟ ସରକାର କେନ୍ଦ୍ରୀୟ ଟିକସରୁ ୪୧ ପ୍ରତିଶତ ଅଂଶ ପାଉଥିବାବେଳେ ପୂର୍ବରୁ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲରୁ ୨୬ ପ୍ରତିଶତ ଟିକସ ଆଦାୟ କରୁଥିଲେ। ଏବେ କିନ୍ତୁ ରାଜ୍ୟ ସରକାର ଡିଜେଲରେ ୨୮ ପ୍ରତିଶତ ଓ ପେଟ୍ରୋଲରେ ୩୨ ପ୍ରତିଶତ ଟିକସ ବସାଇଛନ୍ତି। ଯେଉଁଥିପାଇଁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଦର ଅହେତୁକ ବୃଦ୍ଧି ପାଇଛି। ଯଦି ଓଡ଼ିଶା ଲୋକଙ୍କ ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି, ତାହେଲେ ପଡ଼ୋଶୀ ରାଜ୍ୟପରି ଓଡ଼ିଶା ସରକାର ଟିକସ କମ କରନ୍ତୁ।

ଶ୍ରୀମତୀ ସାମନ୍ତସିଂହାର ଆହୁରି ଦର୍ଶାଇଥିଲେ, ମୋଦୀ ସରକାର କରୋନା କାଳରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଓଡ଼ିଶାର ୪୫ ଲକ୍ଷ ୩୪ ହଜାର ହିତାଧିକାରୀଙ୍କୁ ୫୭୧.୭୨ କୋଟି ଖର୍ଚ୍ଚରେ ମାଗଣା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ପ୍ରଦାନ କରିଛନ୍ତି। ଟିକସ ଅର୍ଥକୁ କେନ୍ଦ୍ର ସରକାର ଜନକଲ୍ୟାଣକାରୀ କାର୍ଯ୍ୟରେ ଲଗାଉଛନ୍ତି। ବିକଶିତ ରାଷ୍ଟ୍ର ଯଥା ଫ୍ରାନ୍‌ସ୍‌, ଜର୍ମାନୀ, ଇଟାଲି, ସ୍ପେନ୍‌, ବ୍ରିଟେନ୍‌ଠାରୁ ଭାରତରେ ପେଟ୍ରୋଲ ଓ ଡିଜେଲ୍‌ ଦର କମ୍‌ ରହିଛି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଥିଲେ।

ସମ୍ବନ୍ଧିତ ଖବର