ଅନ୍ଧବିଶ୍ୱାସ ନେଲା ଜୀବନ : ଗୁଣି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

ପୁଲିସର ଖୋଳତାଡ଼, ୨ ସନ୍ଦିଗ୍ଧ ଅଟକ

ମାଲକାନଗିରି : ଅନ୍ଧବିଶ୍ବାସରୁ ନୃଶଂସକାଣ୍ଡ। ଘର ବାହାରକୁ ଟାଣି ଆଣି ଦମ୍ପତିଙ୍କୁ ନିର୍ମମ ହତ୍ୟା। ମାଲକାନଗିରି ବ୍ଲକ ଚାଲାଣ୍ଡଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ପେଣ୍ଡାଲଗୁଡ଼ା ଗାଁରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖବର ପାଇ ଆଜି ସକାଳେ ମାଲକାନଗିରି ପୁଲିସ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ଦୁଇ ସନ୍ଦିଗ୍ଧଙ୍କୁ ପୁଲିସ ଥାନାକୁ ଉଠାଇ ଆଣିଛି। ଅନ୍ୟପଟେ ଗାଁରେ ଖେଳି ଯାଇଛି କୋକୁଆ ଭୟ।

ସୂଚନା ଅନୁଯାୟୀ, ଗାଁର ମୁକ୍କା ମାଡ଼କାମୀ କିଛିଦିନ ତଳେ ଅସୁସ୍ଥ ହେଲେ। ତାଙ୍କ ଗୋଡ଼ ଅସ୍ବାଭାବିକ ଭାବେ ଫୁଲିବାରେ ଲାଗିଥିଲା। ସେହିପରି ଲାଖମା ମାଡ଼କାମୀଙ୍କ ପତ୍ନୀ ମଧ୍ୟ ଅସୁସ୍ଥ ହୋଇଥିଲେ ଏବଂ ଗୋଡ଼ ଫୁଲି ଯାଇଥିଲା। ଅନ୍ୟପକ୍ଷରେ ଗତବର୍ଷ ଲାଖମା ମାଡ଼କାମୀଙ୍କ ଝିଅର ଅସ୍ବାଭାବିକ ମୃତ୍ୟୁ ହୋଇଥିଲା। ଯାହାକୁ ସହଜରେ ଗ୍ରାମବାସୀ ଗ୍ରହଣ କରିପାରି ନଥିବାବେଳେ କେହି ଗୁଣିଗାରେଡ଼ି କରୁଥିବା ସନ୍ଦେହ କରିଥିଲେ। ଏହାପରେ ଗାଁର ସୋମା ମାଢ଼ିଙ୍କ ସମସ୍ତ ଗତିବିଧି ଉପରେ ନଜର ରଖିବା ଆରମ୍ଭ କରିଥିଲେ। ଆନ୍ଧବିଶ୍ବାସ ଏତେମାତ୍ରରେ କବଳିତ କରିଥିଲା ଯେ, ଶେଷରେ ସୋମାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାଦ୍ବାରା ଗାଁର ମଙ୍ଗଳ ହେବ ବୋଲି ହତ୍ୟାକାରୀମାନେ ବିଶ୍ବାସ କରୁଥିଲେ। ଗତକାଲି ରାତିରେ ହତ୍ୟାକାରୀଙ୍କୁ ସେହି ସୁଯୋଗ ମିଳିଥିଲା। ସେମାନେ ସୋମା ମାଢ଼ି (୫୦)ଙ୍କୁ ଘରୁ ଟାଣି ଆଣି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସ୍ବାମୀଙ୍କୁ ଆକ୍ରମଣ ହେବା ଦେଖି ପତ୍ନୀ ଶୁକ୍ରି ମାଢ଼ି (୪୫) ହସ୍ତକ୍ଷେପ କରିବାରୁ ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଘର ବାହାରେ ଦମ୍ପତିଙ୍କୁ ନୃଶଂସ ଭାବେ ହତ୍ୟା କରି ଅଭିଯୁକ୍ତମାନେ ଚାଲିଯାଇଥିଲେ। ଆଜି ସକାଳେ ଖବର ପାଇ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଶବ ଜବତ କରି ବ୍ୟବଚ୍ଛେଦ ପରେ ସଂପର୍କୀୟଙ୍କୁ ହସ୍ତାନ୍ତର କରିଛି। ପ୍ରାଥମିକ ତଦନ୍ତ ପରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଗ୍ରାମବାସୀଙ୍କୁ ପଚରାଉଚୁରା କରିବାରୁ ଦୁଇ ସନ୍ଦିଗ୍ଧଙ୍କ ବିଷୟରେ ଜଣାପଡ଼ିଥିଲା। ଉଭୟଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କୁ ଚିହ୍ନଟ ପ୍ରକ୍ରିୟା ସହ ଅନ୍ୟାନ୍ୟ ପ୍ରମାଣ ପୁଲିସ ଯୋଗାଡ଼ କରୁଛି। ଅତିଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର