ଆଜି ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ମହାସମାବେଶ : ଯୋଗଦେବେ ୫୦ ହଜାରରୁ ଅଧିକ ଶିକ୍ଷକ, ଅଧ୍ୟାପକ

ଭୁବନେଶ୍ୱର : ଗୁରୁବାର ପୁଣିଥରେ ମହାସମାବେଶ କରିବ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଲୋୟର ପିଏମ୍‌ଜିରେ ୫୦ ହଜାରରୁ ଅଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ସମେତ ବହୁ ଜନସାଧାରଣ ଏଥିରେ ସାମିଲ ହେବେ। ଗତ ତିନି ଦିନ ଧରି ୬୭୯୯ ପଞ୍ଚାୟତରେ ହୋଇଥିବା ସଚେତନତା ସମାବେଶର ପ୍ରତିଫଳନ ଗୁରୁବାର ଦେଖିବାକୁ ମିଳିବ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ଗତ ତିନି ଦିନ ଧରି ଶିକ୍ଷକ ଓ ଅଧ୍ୟାପକମାନେ ଗାଁକୁ ଗାଁ ବୁଲି ‘ଶିକ୍ଷା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ନାରା ଦେଇ ଲୋକଙ୍କ ସହଯୋଗ ଲୋଡ଼ିଥିଲେ। ଗ୍ରାମାଞ୍ଚଳ ଓ ସହରତଳି ଅଞ୍ଚଳରେ ଗଢି ଉଠିଥିବା ସ୍କୁଲ କଲେଜଗୁଡ଼ିକୁ ଭାଙ୍ଗିଦେବା ପାଇଁ ସରକାର ଯେଉଁ ଗୁପ୍ତ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି ସେ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଛି। ଏବେ ପୁଣିଥରେ ଗାନ୍ଧିମାର୍ଗ ଜନସମୁଦ୍ର ପାଲଟିବ। ଓଡ଼ିଶାର ବୁଦ୍ଧିଜୀବୀ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମିଳିତ ମଞ୍ଚ ଅଭିଯୋଗ କରିଛି ଯେ ଓଡ଼ିଶା ଏପରି ଏକ ରାଜ୍ୟ ଯେଉଁଠି ଶିକ୍ଷକ ଓ ଅଧ୍ୟାପକମାନେ ୩୬ ଦିନ ଧରି ରାସ୍ତାରେ ରାତି କାଟୁଛନ୍ତି। ଶିକ୍ଷକ ଓ ଅଧ୍ୟାପକଙ୍କୁ ମୁଣ୍ଡାମୁଣ୍ଡି ଦରମା ଦେଇ ଶୋଷଣ କରାଯାଉଛି। ୩୦ ବର୍ଷ ଚାକିରି କଲା ପରେ ମଧ୍ୟ ଭବିଷ୍ୟତ ପାଇଁ ପେନ୍‌ସନ୍‌ ମିଳୁନି। ହକ୍‌ ପାଇଁ ଶିକ୍ଷକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ ମଧ୍ୟ କିଛି ଫରକ ପଡ଼ୁନି। ଲକ୍ଷାଧିକ ପିଲା ପାଠପଢାରୁ ବଞ୍ଚିତ ହେଉଥିଲେ ମଧ୍ୟ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନି। ଏଭଳି ଚରମ ଅନ୍ୟାୟ କଥା ଓଡ଼ିଶାର ଜନସାଧାରଣ ବୁଝିବାକୁ ଆରମ୍ଭ କଲେଣି। ‘ଆମ ଗାଁ ଆମ ବିକାଶ’ ଏକ କୁମ୍ଭୀର କାନ୍ଦଣା ବୋଲି ଲୋକେ ହୁଦ୍‌ବୋଧ କଲେଣି। ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଏହାର ଫଳ ଭୋଗିବାକୁ ପଡ଼ିବ ବୋଲି ମଞ୍ଚର ସଭାପତି ପ୍ରକାଶ ଚନ୍ଦ୍ର ଜେନା, ଅଟଳ ବିହାରୀ ବଳ, ଶତାବୁଦ୍ଦିନ୍‌ ଅହମ୍ମଦ, ପ୍ରିୟରଞ୍ଜନ ରଥ, ଶଙ୍କର କୁମାର ସୁବୁଦ୍ଧି, ନରେନ୍ଦ୍ର ନାଥ ବସ୍ତିଆ, ଆଦିତ୍ୟ ପ୍ରସାଦ ରଥ, ସୁବାସ କୁମାର ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର