କଦଳୀ ଗଛକଟାରୁ ମହାଭାରତ: ଆଇତଳଙ୍ଗରେ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ବାଲିପାଟଣା: ଝିମିଟି ଖେଳରୁ ମହାଭାରତ ଭଳି ସାଧାରଣ କଦଳୀ ଗଛ କଟାକୁ ନେଇ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ବାଲିପାଟଣା ଥାନା ଅନ୍ତର୍ଗତ ଆଇତଳଙ୍ଗ ଗ୍ରାମରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ଏଥିରେ ଉଭୟ ପକ୍ଷରୁ ମୋଟ ୧୧ଜଣ ଆହତ ହୋଇଛନ୍ତି। ‌ସେମାନଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ସମେତ ୫ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣାକୁ ନେଇ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର‌ରେ ବି ତୀବ୍ର ଉତ୍ତେଜନା ଦେଖା ଦେଇଥିଲା।

ପୂରା ହସ୍ପିଟାଲ ରଣକ୍ଷେତ୍ର ପାଲଟି ଯାଇଥିଲା। ପିସିଆର୍‌ ପୁଲିସ ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ‌ରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ବି ସେମାନେ ପରସ୍ପରକୁ ମାରପିଟ୍‌ କରିଥିଲେ। ଏଥିରେ ଜଣଙ୍କର ମୁଣ୍ଡ ଫାଟି ଯାଇଥିଲା। ତେବେ ଅଳ୍ପସଂଖ୍ୟକ ପୁଲିସ୍‌ କର୍ମଚାରୀ ଥିବାରୁ ଗଣ୍ଡଗୋଳକୁ ନିୟନ୍ତ୍ରଣ କରି ପାରିନଥିଲେ। ଖବର ପାଇ ଥାନାଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା।

ସୂଚନା ଅନୁସାରେ, ତୁରିନ୍ତିରା ପଞ୍ଚାୟତ ଆଇତଳଙ୍ଗ ପଞ୍ଚାୟତ ପୋଖରୀ ନିଲାମ ସୁରଭି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ମିଳିଛି। ପୂର୍ବରୁ ମହାନ୍ତି ପରିବାର ନିଲାମ ନେଉଥିଲେ। ସେ ସମୟରେ ମାଛ ଚାଷ ଏବଂ ପୋଖରୀ ସୀମାରେ କଦଳୀ ଗଛ ଲଗାଇଥିଲେ। ତେବେ ସୁରଭି ଗ୍ରୁପ୍‌ ହାତକୁ ଯିବା ପରେ ପୋଖରୀ ହୁଡ଼ାରେ ଉନ୍ନତଧରଣର ଚାଷ କରିବା ପାଇଁ ବାଡ଼ ବନ୍ଦୀ କରିବା ସହ କଦଳୀ ଗଛଗୁଡ଼ିକୁ କାଟି ସଫା କରି ଦିଆଯାଇଥିଲା। ଏହାକୁ ନେଇ ବିବାଦ ଦେଖାଦେବାରୁ ମଧ୍ୟାହ୍ନ‌‌ରେ ଥାନାରେ ଅଭିଯୋଗ ହୋଇଥିଲା।

ଏହାର କିଛି ସମୟ ପରେ ଗାଁରେ ଦୁଇଗୋଷ୍ଠୀ ମଧ୍ୟରେ ପ୍ରଥମେ କଥା କଟାକଟି ପରେ ଉଗ୍ରରୂପ ନେଇ ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା। ଦୁଇ ପକ୍ଷ ପରସ୍ପରକୁ ମାରପିଟ୍‌ କରିଥିଲେ। ଆହତମାନେ ହେଲେ, ପୂର୍ଣ୍ଣଚନ୍ଦ୍ର ଜେନା, ସୁରେଶ ଜେନା, ପଙ୍କଜ ଜେନା, ଚିତ୍ତରଞ୍ଜନ ଜେନା, ବଂଶୀଧର ଦାସ, ଉର୍ମିଳା ଦାସ, ବଳରାମ ମହାନ୍ତି, କୈଳାସ ମହାନ୍ତି, କବିତା ମହାନ୍ତି, ଧନଞ୍ଜୟ ମହାନ୍ତି, ରାଜଲକ୍ଷ୍ମୀ ମହାନ୍ତି ପ୍ରମୁଖ। ତେବେ ଶେଷ ଖବର ଲେଖା ହେବା ବେଳକୁ ଏ ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିଲା।

ସମ୍ବନ୍ଧିତ ଖବର