ବୋଟ୍‌ କିଣାବିକା ଓ ମରାମତି କେଳେଙ୍କାରୀ : ଏସ୍‌ଆର୍‌ସିଙ୍କ ତଦନ୍ତ ନିର୍ଦେଶ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବଦଳି

ଯାଜପୁରରୋଡ୍‌ : ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ସହାୟତା ପାଇଁ ରାଜ୍ୟ ସରକାରଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ବୋଟ୍‌(ଲଞ୍ଚ୍‌) ସେବା ନାମରେ କୋଟି କୋଟି ଟଙ୍କା ହରିଲୁଟ୍‌ ଚାଲିଛି। ବୋଟ୍‌ ଡ୍ରାଇଭର ଓ ଖଲାସୀ ନିଯୁକ୍ତି ଠାରୁ ଆରମ୍ଭ କରି ବୋଟ୍‌(ଲଞ୍ଚ) ମରାମତି ଓ ନିଲାମରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି।

ଏ ସଂପର୍କରେ ଗତ କିଛିଦିନ ତଳେ ‘ସମ୍ବାଦ’ରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଏହି ଘଟଣାକୁ ସ୍ୱତନ୍ତ୍ର ରିଲିଫ୍‌ କମିସନ(ଏସ୍‌ଆରସି) ଗୁରୁତ୍ୱର ସହ ଗ୍ରହଣ କରିବା ସହିତ ତଦନ୍ତ ନିର୍ଦେଶ ଦେଇଛନ୍ତି। ଏସ୍‌ଆର୍‌ସିଙ୍କ ତଦନ୍ତ ନିର୍ଦେଶ ପରେ ଅସାଧୁ କର୍ମଚାରୀମାନେ ଏବେ ଛାନିଆ ହୋଇପଡ଼ିଛନ୍ତି।

‘ସମ୍ବାଦ’ ଅନୁସନ୍ଧାନ ଟିମ୍‌ର ହସ୍ତଗତ ହୋଇଥିବା ତଥ୍ୟ ମୁତାବକ ଲକ୍ଷ ଲକ୍ଷ ଟଙ୍କାରେ କ୍ରୟ ହୋଇଥିବା ଏକାଧିକ ବୋଟ୍‌ କାର୍ଯ୍ୟରେ ଲାଗୁନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସ୍ଥାନରେ ପଡ଼ି ଖତ ଖାଉଛି। ୪୦ ଲକ୍ଷ ଟଙ୍କାର ବୋଟ୍‌ ମାତ୍ର ୪ ହଜାର ଟଙ୍କାରେ ବିକ୍ରି କରିଦିଆଯାଇଛି। ନିଲାମ କାରବାରରେ ଫିକ୍ସିଂ କରି କୋଟି କୋଟି ଟଙ୍କା ଅଧିକାରୀ ଓ କର୍ମଚାରୀଙ୍କ ଅସାଧୁ ମେଣ୍ଟ ହାତେଇ ନେଇଛନ୍ତି।

ହସ୍ତଗତ ହୋଇଥିବା ତଥ୍ୟ ମୁତାବକ ବାଣପୁର(ବାଲୁଗାଁ) ତହସିଲଦାରଙ୍କ ଅଧୀନରେ ଥିବା ସୋଲାରି ମୋଟର୍‌ ଲଞ୍ଚ, କୃଷ୍ଣପ୍ରସାଦ ତହସିଲ ଅଧୀନରେ ଥିବା ପ୍ରାଚୀ, ଅସ୍ତରଙ୍ଗ ବିଡ଼ିଓଙ୍କ ଅଧୀନରେ ଥିବା ରତନଚିରା, ରାଜନଗର ତହସିଲ ଅଧୀନରେ ଥିବା ଅଳକା ମୋଟର୍‌ ଲଞ୍ଚ, ନିଶ୍ଚନ୍ତକୋଇଲି ବିଡ଼ିଓ ଅଧୀନ ଏଚଡ଼ି-୩, ବିଡ଼ିଓ କୋରେଇ ଅଧୀନ ଏମସିସି -୧, କଟକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ସୁବର୍ଣ୍ଣରେଖା ମୋଟର ଲଞ୍ଚ, ଆଳି ବିଡ଼ିଓଙ୍କ ଅଧୀନରେ ଥିବା ମୋଟର ଲଞ୍ଚ ଭାଲେରି, ମାର୍ଶାଘାଇ ବିଡ଼ିଓଙ୍କ ଅଧୀନ ଭାର୍ଗବୀ ମୋଟର ଲଞ୍ଚ ନିଲାମ ହୋଇଯାଇଛି।

ଏଥିସହିତ ଋଷିକୁଲ୍ୟା(ଅସ୍ତରଙ୍ଗ), ମହାନଦୀ ଓ ବିରୁପା (ମହାକାଳପଡ଼ା),ଦେବୀ(ରସୁଲପୁର), ଦୟା ଓ କନ୍ଦଳ (ବଡ଼ଚଣା), ନାଗାବଳୀ, ଖରସ୍ରୋତା ଓ ଶଙ୍ଖ(ଚାନ୍ଦବାଲି), ବୈତରଣୀ(ପଟ୍ଟାମୁଣ୍ଡାଇ) ଓ କୋଇଲି(ଆଳି), କାଠଯୋଡ଼ି(ରାଜନଗର) ଓ ଧାମରା(ବରୀ) ମାତ୍ର ୪ ହଜାରରୁ ୮ହଜାର ଟଙ୍କାରେ ନିଲାମ କରାଯାଇଛି। ଏପରି ନିଲାମ ହୋଇଥିବା ବୋଟ୍‌ ଗୁଡ଼ିକରେ ମଧ୍ୟ ମରାମତି ଆଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ଦର୍ଶାଯାଇ ହରିଲୁଟ୍‌ କରାଯାଇଛି। ଏବେବି ଏହି କାରବାର ଚାଲିଛି।

ଅନ୍ୟପକ୍ଷରେ, ଏହି ଘଟଣାରେ କଟକରେ ଥିବା ଷ୍ଟେଟ୍‌ ପୋର୍ଟ୍‌ ଇଜିନିୟରିଂ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ(ଏଏମଇ) ଅମରଜିତ୍‌ ବେହେରାଙ୍କୁ ବଦଳି କରି ଦିଆଯାଇଛି। ତାଙ୍କୁ କୋରାପୁଟ ଜିଲ୍ଲାର ଆମ୍ବାଗୁଡ଼ାକୁ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର