ରେଷ୍ଟୁରାଣ୍ଟରେ ଆଇସିଏସ୍ଇ ବହି ବିକ୍ରିକୁ ନେଇ ଛାତ୍ର କଂଗ୍ରେସର କଡ଼ା ବିରୋଧ

ରାଉରକେଲା: ରେଷ୍ଟୁରାଣ୍ଟରେ ଆଇସିଏସ୍ଇ ବହି ବିକ୍ରିକୁ ନେଇ କଡ଼ା ବିରୋଧ କରିଛି ସୁନ୍ଦରଗଡ଼ ଜିଲ୍ଲାର ଛାତ୍ର କଂଗ୍ରେସ। ସଭାପତି ସୂର୍ଯ୍ୟକାନ୍ତ ବାରିକଙ୍କ ନେତୃତ୍ବରେ ସେକ୍ଟର-୪ରେ ଥିବା ରେଷ୍ଟୁରାଣ୍ଟ ଦ ଷ୍ଟାଣ୍ଡାର୍ଡକୁ ଏକ ପ୍ରତିନିଧି ମଣ୍ଡଳି ଯାଇ ସେଠାରେ ଅବୈଧ ଭାବରେ ବିକ୍ରି କରାଯାଉଥିବା ଆଇସିଏସ୍ଇ ବହି ବିକ୍ରିକୁ ବିରୋଧ କରିଥିଲେ। ସେଠାରେ ବହି ବିକ୍ରି କରୁଥିବା ମ୍ୟାନେଜର ଏବଂ କର୍ମଚାରୀଙ୍କୁ କ’ଣ ପାଇଁ ଏକ ରେଷ୍ଟୁରାଣ୍ଟରେ ବହି ବିକ୍ରି କରାଯାଉଛି ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ଏହା ସହ କିଏ ଏବଂ କେଉଁ ସଂସ୍ଥା ରେଷ୍ଟୁରାଣ୍ଟ ରେସ୍ତୋରାଁରେ ବହି ବିକ୍ରି ପାଇଁ ଅନୁମତି ଦେଇଛନ୍ତି ଏବଂ ବହିରେ କୌଣସି ନିର୍ଦ୍ଧାରିତ ମୂଲ୍ୟ ନଥାଇ କିଭଳି ବହିଗୁଡ଼ିକୁ ବିକ୍ରି କରାଯାଉଛି, ସେ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଶ୍ନ ରଖାଯାଇଥିଲା। ତେବେ ଛାତ୍ର କଂଗ୍ରେସର ଏଭଳି ବିରୋଧ ପରେ ଏବେ ଦ ଷ୍ଟାଣ୍ଡାର୍ଡ ଆଣ୍ଡ ରେଷ୍ଟୁରାଣ୍ଟରେ ବହି ବିକ୍ରିକୁ ବନ୍ଦ କରିଦିଆଯାଇଛି।

ସଭାପତି ସୂର୍ଯ୍ୟକାନ୍ତ ବାରିକଙ୍କ କହିବା ମୁତାବକ, ପୁସ୍ତକ ନେବା ପାଇଁ ଆସିଥିବା ଅଭିଭାବକ ଏବଂ ଛାତ୍ର-ଛାତ୍ରୀ ଆମ ପାଖରେ ନିଜ ନିଜର ଅସନ୍ତୋଷ ଜାହିର କରିଥିଲେ। ବିଦ୍ୟାଳୟ ପ୍ରଶାସନ ଏହିଠାରୁ ବହି କିଣିବା ପାଇଁ ବାଧ୍ୟ କରିବା ସହ ନିର୍ଦ୍ଧାରିତ ସମୟରେ ବହି ନକିଣିଲେ ତୁମ ପିଲାମାନେ ପାଠ ପଢ଼ି ପାରିବେ ନାହିଁ ବୋଲି ସେମାନଙ୍କୁ ଧମକ ଦେଇଥିଲେ। ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି କି, ବିଦ୍ୟାଳୟ ପ୍ରଶାସନ, ପବ୍ଲିଶର ଏବଂ ପୁସ୍ତକ ବ୍ୟବସାୟୀଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଗଠନ ହୋଇଛି। ଏହାକୁ ଛାତ୍ର କଂଗ୍ରେସ ବିରୋଧ କରିବା ସହ ଆଗକୁ ଏହା ବନ୍ଦ ନହେଲେ ରାଉରକେଲାବାସୀଙ୍କ ସ୍ବାର୍ଥ ପାଇଁ ଆମେ ରାଜରାସ୍ତାକୁ ଓହ୍ଲାଇବୁ।

ମିଳିଥିବା ସୂଚନା ମୁତାବକ, ରାଉରକେଲାରେ ୨୦ରୁ ଅଧିକ ଆଇସିଏସ୍ଇ ପରିଚାଳନାଧିନ ଇଂରାଜୀ ମାଧ୍ୟମିକ ସ୍କୁଲ ଥିବା ବେଳେ ସେଠାରେ ପ୍ରାୟ ୨୫-୩୦,୦୦୦ ଛାତ୍ର-ଛାତ୍ରୀ ପାଠ ପଢ଼ୁଛନ୍ତି। ପ୍ରଥମେ ବିଦ୍ୟାଳୟରେ ବହି ବିକ୍ରି ହେଉଥିବା ବେଳେ ନିର୍ଦ୍ଧାରିତ ମୂଲ୍ୟଠାରୁ ସ୍କୁଲର ପ୍ରଧାନଶିକ୍ଷକ ଅଧିକ ମୂଲ୍ୟ ନେଉଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଥିଲେ। ଏଭଳି ଅଭିଯୋଗ ପରେ ଜିଲ୍ଲାପାଳ ସ୍କୁଲରେ ବହି ବିକ୍ରି କରିବାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ବହି ଦୋକାନରୁ ବହି କିଣିବା ପାଇଁ କହିଥିଲେ। ଏହି ନିୟମ ଲାଗୁ ହେବା ପରେ ରାଉରକେଲାର ଜଣେ ବହି ଦୋକାନୀ ବିଦ୍ୟାଳୟ ପ୍ରଶାସନ ଏବଂ ପବ୍ଲିଶରଙ୍କୁ ହାତ କରି ଏକାକୀ ସବୁ ବହି ବିକିବାର ଠିକା ନେଇଥିଲେ। ଏକା ସାଙ୍ଗରେ ୩୦,୦୦୦ହଜାର ପିଲାଙ୍କୁ ବହି ଯୋଗାଇବାର ଦାୟିତ୍ବ ନେଇଥିବାରୁ ନିଜ ବହି ଦୋକାନରେ ନ ବିକି ସେ ସେକ୍ଟର-୪ରେ ଥିବା ଦ ଷ୍ଟାଣ୍ଡାର୍ଡ ଆଣ୍ଡ ରେଷ୍ଟୁରାଣ୍ଟରେ ବହି ବିକ୍ରି କରୁଥିଲେ ବୋଲି ଜଣା ପଡ଼ିଛି। ଅନ୍ୟ ସ୍ଥାନରେ ମିଳୁଥିବା ସିବିଏସଇ ବହିକୁ ଦୋକାନୀମାନେ ୧୫-୨୦ପ୍ରତିଶତ ରିହାତିରେ ବିକ୍ରି କରୁଥିବା ବେଳେ ବହି ଦୋକାନୀଜଣଙ୍କ କୌଣସି ରିହାତି ନ ଦେଇ ରେଷ୍ଟୁରାଣ୍ଟରେ ବହି ବିକ୍ରି କରୁଥିବାରୁ ଏହାକୁ ବିରୋଧ କରିଥିଲେ ଅଭିଭାବକ।  ୩ଦିନ ସେକ୍ଟର-୪ରେ ଥିବା ଦ ଷ୍ଟାଣ୍ଡାର୍ଡ ରେଷ୍ଟୁରାଣ୍ଟରେ ବହି ବିକ୍ରି ହୋଇ ଆସୁଥିବା ବେଳେ ଆଜି ଏହାକୁ ବନ୍ଦ କରିଛି ଛାତ୍ର କଂଗ୍ରେସ।

ସମ୍ବନ୍ଧିତ ଖବର