ପ୍ରେମିକାକୁ ହତ୍ୟା କରି ପୋଖରୀ ହୁଡ଼ାରେ ପୋତିଦେଲା ପ୍ରେମିକ

୪ ଦିନ ପରେ ଗଳିତ ଶବ ଉଦ୍ଧାର, ପ୍ରେମିକ ଅଟକ

ବ୍ରହ୍ମଗିରି : ପ୍ରଥମେ ପ୍ରେମ। ତାପରେ ବିବାହର ପ୍ରତିଶ୍ରୁତି। ହେଲେ ଶେଷରେ ପ୍ରେମିକାକୁ ତା’ ଘରୁ ନେଇ ଗାଁଠାରୁ ୩ କିଲୋମିଟର ଦୂର ଚିଲିକା ଭିତରେ ହତ୍ୟା କରି ପୋଖରୀ ହୁଡ଼ାରେ ପୋତିଦେଲା ପ୍ରେମିକ। ଚାରିଦିନ ପରେ ଆଜି ପୁଲିସ ପୋତାଯାଇଥିବା ସ୍ଥାନରୁ ‌ପ୍ରେମିକାର ଗଳିତ ଶବ ଜବତ କରିବା ସହ ଅଭିଯୁକ୍ତ ପ୍ରେମିକକୁ ଅଟକ ରଖିଛି। ଏମିତି ଏକ ଲୋମଟାଙ୍କୁରା ଘଟଣା ଆଜି ବ୍ରହ୍ମଗିରିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କୁସୁବେଣ୍ଟି ପଞ୍ଚାୟତ ଶ୍ରୀକରପୁର ଗାଁର ରମେଶ ଚନ୍ଦ୍ର ମହାପାତ୍ରଙ୍କ ଝିଅ ଦୀପିକା ମହାପାତ୍ର(୧୯) ଓ ସେହି ଗାଁର ଦାମୋଦର ସାହୁଙ୍କ ପୁଅ ସୁଜିତ ସାହୁଙ୍କ(୨୨) ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ଏହି କଥା ଉଭୟ ପରିବାର ମଧ୍ୟ ଜାଣିଥିଲେ। ଚାରିଦିନ ପୂର୍ବେ ସୁଜିତ ରାତିରେ ଦୀପିକାଙ୍କୁ ଘରୁ ନେଇ ପଳାଇଥିଲା। ଝିଅ ଯିବା ପରେ ତାଙ୍କ ପରିବାର ନିଶ୍ଚିତ ହୋଇ ଯାଇଥିଲେ ସୁଜିତ ହିଁ ଦୀପିକାଙ୍କୁ ନେଇଛି। ତେବେ ଗତକାଲି ସୁଜିତ ଆସି ଗାଁରେ ବୁଲାବୁଲି କରୁଥିବା ଦୀପିକାଙ୍କ ଘର ଲୋକେ ଦେଖିବାକୁ ପାଇଥିଲେ। କିନ୍ତୁ ଦୀପିକା ଘରକୁ ଆସି ନଥିବାରୁ ତାଙ୍କ ପରିବାର ଲୋକେ ସନ୍ଧ୍ୟାରେ ଗ୍ରାମସଭା ଡାକିଥିଲେ। ସୁଜିତଙ୍କ ପରିବାରକୁ ମଧ୍ୟ ଉକ୍ତ ସଭାକୁ ଡକା ଯାଇଥିଲା। ସଭାରେ ସୁଜିତର ବଡ଼ଭାଇ କହିଥିଲେ ସୁଜିତ, ଦୀପିକାକୁ ମାରି ପୋଖରୀ ହୁଡ଼ାରେ ପୋତି ଦେଇଛି। ଏହା ପରେ ଗାଁଲୋକଙ୍କ ପରାମର୍ଶ ଅନୁଯାୟୀ ଦୀପିକାଙ୍କ ବାପା ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ପୁଲିସ ୧୧୭/୨୦ରେ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲା। ରାତି ତମାମ ପୁଲିସ ଓ ଗାଁ’ ଲୋକେ ଦୀପିକାଙ୍କ ଶବକୁ ଖୋଜାଖୋଜି କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା।

ଆଜି ଦିନ ୧୧ଟା ବେଳେ ବ୍ରହ୍ମଗିରି ପୁଲିସ ସୁଜିତକୁ କାବୁ କରିବା ପରେ ସେ ଦୀପିକାକୁ ହତ୍ୟା କରି ପୋଖରୀ ହୁଡ଼ାରେ ପୋତି ଦେଇଥିବା ସ୍ବୀକାର କରିଥିଲା। ସଦର ଏସ୍‌ଡିପିଓ, ବ୍ରହ୍ମଗିରି ଆଇଆଇସିଙ୍କ ସହିତ ବ୍ରହ୍ମଗିରି ଥାନାର ୫ ଅଫିସର ଓ ପୁଲିସ ଫୋର୍ସ ସୁଜିତକୁ ସାଙ୍ଗରେ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ଶ୍ରୀକରପୁରଠାରୁ ୩ କିଲୋମିଟର ଦୁର କୁସୁବେଣ୍ଟି–ତଳମାଳ ରାସ୍ତାର ବାଲିଘାଇ ଶଙ୍ଖଠାରୁ ଚିଲିକା ଦଣ୍ତା ଭିତରେ ଏକ କିଲୋମିଟର ମଧ୍ୟରେ ଥିବା ଏକ ପୋଖରୀ ହୁଡ଼ାରେ ୫ ଫୁଟ୍‌ ତଳେ ଦୀପିକାକୁ ପୋତିଥିବା ସୁଜିତ ପୁଲିସକୁ ଦେଖାଇଥିଲା। ପରେ ମାଜିଷ୍ଟ୍ରେଟ୍‌ ହେମନ୍ତ କୁମାର ଭାରିମଲ୍ଲଙ୍କ ଉପସ୍ଥିତିରେ ମାଟି ଖୋଳା ଆରମ୍ଭ ହୋଇଥିଲା। ଦୁଇ ଘଣ୍ଟା ଧରି ମାଟି ଖୋଳା ହେବା ପରେ ପୋଖରୀ ହୁଡ଼ା ଭିତରୁ ଦୀପିକାଙ୍କ ହାତଗୋଡ଼ ବନ୍ଧା ଗଳିତ ଶବକୁ ପୁଲିସ ଉଦ୍ଧାର କରିଥିଲା। ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇବା ସହ ଅଭିଯୁକ୍ତ ସୁଜିତକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ ଶବର ହାତଗୋଡ଼ ବନ୍ଧା ହୋଇଥିବା ବେଳେ ଗାଁଠାରୁ ଏତେ ଦୂରରେ ପୁଣି ପୋଖରୀ ହୁଡ଼ାରେ ପୋତା ହେବା ଘଟଣା ସନ୍ଦେହ ସୃଷ୍ଟି କରିଛି। ଏହି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର