ଜିଲ୍ଲାପାଳଙ୍କ ଗାଡ଼ି ଭଙ୍ଗାରୁଜା ଘଟଣା: ୯ ଜଣଙ୍କୁ ଗିରଫ କଲା ପୁଲିସ

ବାରିପଦା/କୁଳିଅଣା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍‌ ଭଗବାନପୁର ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ନେଇ ଗତକାଲି ରାସ୍ତାରୋକ ସମୟରେ ଜିଲ୍ଲାପାଳଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା‌। ଏହି ଘଟଣାରେ ଆଜି ୯ ଜଣ ଗ୍ରାମବାସୀଙ୍କୁ ଗିରଫ କରାଯାଇଛି ବୋଲି ବାରିପଦା ସଦର ଥାନାରେ ଗଣମାଧ୍ୟମକୁ ବାରିପଦା ଏସ୍‌ଡିପିଓ କେକେ ହରିପ୍ରସାଦ କହିଛନ୍ତି। ଗିରଫ ଗ୍ରାମବାସୀ ହେଲେ; ବାଲିମୁଣ୍ଡଳ ଗାଁ’ର ଆଶିଷ କୁମାର ସାହୁ, ବଡ଼ନୂଆଗାଁ ଗାଁ’ର ସଂଜୟ କୁମାର ସେଠୀ, ବିନେଶ ବାରିକ, ନୀଳକମଳ ବାରିକ, ଅର୍ଜୁନ ସେଠୀ, ଭଗବାନପୁର ଗାଁ’ର ସୁନାରାମ ହାଁସଦା ଓ ନରସିଂହ ମୁର୍ମୁ, ସାନ‌ସୌରୀ ଗାଁ’ର ଜାନୁ ହାଁସଦା ଏବଂ ମାଛକନ୍ଦଣ ଗାଁ’ର ସର୍ବେଶ୍ବର ସିଂ। ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଏସ୍‌ପି ସୁରେଶ ପାତ୍ର କହିଛନ୍ତି। ସୂଚନା ଥାଉକି ଭଗବାନପୁର ପଞ୍ଚାୟତ କାର୍ଯ୍ୟାଳୟ ନୂତନ ଗୃହ ବଡ଼ନୂଆଗାଁ ଦୋଳ ମଣ୍ଡପ ନିକଟରେ ନିର୍ମାଣ ପାଇଁ ପ୍ରଶାସନ ସ୍ଥିର କରିଥିଲା। ହେଲେ ଅନ୍ୟ ଜାଗାରେ ନୂତନ ଗୃହ ନିର୍ମାଣ ପାଇଁ ୬ଟି ୱାର୍ଡବାସୀ ଦାବି କରି ଆସୁଥିଲେ।

ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ପ୍ରଶାସନ ସ୍ଥିର କରିଥିବା ସ୍ଥାନରେ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାକୁ ନେଇ ବିରୋଧ କରି ଆସୁଥିବା ଗ୍ରାମବାସୀ ଶେଷରେ ସୌରୀ ଛକ ଜାତୀୟ ରାଜପଥରେ ରାସ୍ତାରୋକ କରିଥିଲେ। ରାସ୍ତାରୋକ ହେବାର ୨-୩ ଘଣ୍ଟା ପରେ ବି ପୁଲିସ କି ପ୍ରାଶାସନିକ ଅଧିକାରୀ; କେହି ଘଟଣାସ୍ଥଳରେ ପହଞ୍ଚି ନ ଥିଲେ। ଯାହାକୁ ‌ନେଇ ଲୋକେ ତାତି ଥିବା ବେଳେ ସେହି ବାଟ ଦେଇ ଯାଉଥିବା ଜିଲ୍ଲାପାଳଙ୍କ ଗାଡ଼ିକୁ ଅଟକାଇଥିଲେ।

ଜିଲ୍ଲାପାଳ ବିନୀତ ଭରଦ୍ବାଜ ଗାଡ଼ିରୁ ଓହ୍ଲାଇ ବୁଝାସୁଝା କରୁଥିଲେ। ଲୋକମାନେ ବି ବୁଝିବା ଅବସ୍ଥାକୁ ଆସିଯାଇଥିଲେ। ସେପଟେ ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ସବୁ ଗଡ଼ବଡ଼ କରିଦେଲେ। ଲୋକଙ୍କୁ ଭୟଭୀତ କରାଇବାକୁ ଯାଇ ସେ ପକେଟ୍‌ରୁ ପିସ୍ତଲ ବାହାର କରିଥିଲେ। ଏହା ଦେଖି ଲୋକମାନେ ଅଧିକ ତାତି ଯାଇଥିଲେ। ତା’ପରେ ଜିଲ୍ଲାପାଳଙ୍କ ଗାଡ଼ି ଉପରକୁ ଢେଲା ମାଡ଼ ହୋଇଥିଲା। ଯଦି ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ପିସ୍ତଲ ଦେଖାଇ ନ ଥା’ନ୍ତେ, ତେବେ ଏଭଳି ଘଟଣା ଆଦୌ ଘଟି ନ ଥା’ନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ କହିଛନ୍ତି। ତେବେ ସୁରକ୍ଷା ଅଧିକାରୀ ପକେଟ୍‌ରୁ ପିସ୍ତଲ କାଢ଼ିବା ଭିଡିଓ ଭାଇରାଲ୍‌ ହେଉଥିବା ବେଳେ ପୁଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି।

ସମ୍ବନ୍ଧିତ ଖବର