ମେଡିକାଲ୍‌ କଲେଜ୍‌ ପାଇଁ ଜମି ଯୋଗାଇଦେବ ବିଏସ୍‌ଇଟି

ଭଦ୍ରକ: ଯଦି କୌଣସି ଘରୋଇ ସଂସ୍ଥା ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଆଗଭର ହେବେ, ତେବେ ବରପଦା ସ୍କୁଲ ଅଫ ଇଂଜିନିୟରିଂ ଏଣ୍ଡ ଟେକ୍ନୋଲଜି (ବିଏସଇଟି) ସୋସାଇଟି  ଜମି ଓ ଭିତ୍ତିଭୂମି ଯୋଗାଇ ଦେବ। ବୁଧବାର ଥାନା ଛକ ନିକଟସ୍ଥ ବାସଭବନରେ ସୋସାଇଟିର ସଭାପତି ତଥା ବିଜେଡି ରାଜ୍ୟ ସଂପାଦକ ଇଂ.ପ୍ରୟାସକାନ୍ତୀ ସାମଲ ଏହି କଥା କହିଛନ୍ତି। ଇଂ. ସାମଲ କହିଥିଲେ ଯେ ବରପଦାସ୍ଥିତ ବିଏସଇଟି ଓ ବି.ଅାଇ.ଇ.ଟି.(ଭଦ୍ରକ ଇନଷ୍ଟିଚ୍ୟୁଟ୍ ଅଫ ଇଂଜିନିୟରିଂ ଏଣ୍ଡ ଟେକ୍ନୋଲଜି) ରାଜ୍ୟର ଏକ ପ୍ରମୁଖ ପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନ।

ଏଠାରେ ପୂର୍ବରୁ ବହୁ ଛାତ୍ର ପାଠପଢ଼ି ଦେଶ ତଥା ଦେଶ ବାହାରେ ବହୁ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ। ଏହି ଅନୁଷ୍ଠାନର ଯଥେଷ୍ଟ ଭିତ୍ତିଭୂମି ରହିଛି। ଯଦି କୌଣସି ବଡ଼ ସଂସ୍ଥା ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଆଗ୍ରହୀ ହେବେ ତେବେ ଭଦ୍ରକବାସୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସୋସାଇଟି ଏଥିନିମନ୍ତେ ଜମି ଓ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ସାମଲ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୋସାଇଟିର ସଂପାଦକ ମିହିର ମହାନ୍ତି, ଡିଗ୍ରି ବିଭାଗର ଅଧ୍ୟକ୍ଷ ପ୍ର. ମୋହନ ଚନ୍ଦ୍ର ପଣ୍ଡା, ଡ଼ିପ୍ଲୋମା ବିଭାଗର ଅଧ୍ୟକ୍ଷ ପ୍ର. ଗଙ୍ଗାଧର ଧଳ, ସୋସାଇଟିର କାର୍ଯ୍ୟକାରୀ ସଦସ୍ୟ ପ୍ରବୀର ଜେନା, ଇଂ.ପ୍ରିୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର