ମେଣ୍ଡରାଜ୍‌ପୁର ବସ୍‌ ଟ୍ରାଜେଡ଼ିକୁ ବର୍ଷେ ପୂରିବ, ୮୦ ବର୍ଷୀୟ ଜେଜେମା କାନ୍ଧରେ ଦୁଇ ନାତୁଣୀଙ୍କ ବୋଝ

ବ୍ରହ୍ମପୁର/ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଣ୍ଡରାଜପୁର ଛକରେ ଘଟିଥିବା ଛାତିଥରା ବସ୍‌ ଟ୍ରାଜେଡ଼ିକୁ ବର୍ଷେ ପୂରିବାକୁ ଯାଉଛି। ଏହି ଘଟଣା ଏବେ ବି ଲୋକଙ୍କ ମନରୁ ଯାଉନି। ଦୁଃଖ କଷ୍ଟ ଦୂର ହୋଇନି। ବେସାହାରା ହୋଇ ଯାଇଥିବା ଦୁଇ ଭଉଣୀ ଏବେ ବି ମାଆଙ୍କୁ ଝୁରି ହେଉଛନ୍ତି। ଆଉ ୮୦ ବର୍ଷୀୟ ଜେଜେମା ଚନ୍ଦ୍ରମାଙ୍କୁ ଦୁଇ ନାତୁଣୀଙ୍କ ଲାଳନପାଳନ ଓ ବିବାହ ଚିନ୍ତା ଏବେ ଘାରିଛି।

ଡଙ୍କଲପାଡ଼ୁ ଗ୍ରାମର ବି.ଚିନ୍ନେୟା ରେଡ୍ଡୀ। ପ୍ରାୟ ୧୦ବର୍ଷ ତଳେ ରୋଗରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଚିନ୍ନେୟାଙ୍କ ଅକାଳ ବିୟୋଗ ପରେ ପରିବାରବର୍ଗ ଭାଙ୍ଗି ପଡ଼ିଥିଲେ। କିନ୍ତୁ ଦୁଇ ଝିଅ ବି.ଦ୍ରୌପଦୀ ଓ ‌ବି.ଜ୍ୟୋସ୍ନା ମାଆ ପାପାମ୍ମାଙ୍କୁ ସାହସ ଦେଉଥିଲେ। ଦୁଇ ଝିଅଙ୍କ ମୁହଁକୁ ଚାହିଁ ପାପାମ୍ମା ଓ ଶାଶୂ ବି. ଚନ୍ଦ୍ରମା ଜୀବନ ସଂଘର୍ଷରେ ଆଗେଇ ଚାଲିଥିଲେ। ପରିବାର ସୁଖଦୁଃଖରେ ଚାଲିଥିଲା। ୨୦୨୦ ମସିହା ଫେବ୍ରୁଆରି ୯ତାରିଖରେ ପରିବାର ଉପରେ ଘୋଟି ଆସିଲା କଳାବାଦଲ। ଡଙ୍କଲପାଡ଼ୁ ଗ୍ରାମର ୟୁ.ସନ୍ନ୍ୟାସୀଙ୍କ ପୁଅ ଅଶୋକଙ୍କ ନିର୍ବନ୍ଧ ଭୋଜିରେ ଯୋଗଦେବା ସହ ବରଯାତ୍ରୀଙ୍କ ସହ ଚିକରଡ଼ା ବସ୍‌ରେ ବାହାରିଥିଲେ ପାପାମ୍ମା। ଘର ଠାରୁ ମାତ୍ର ୨କିମି ଦୂର ମେଣ୍ଡରାଜ୍‌ପୁର ଛକରେ ମୃତ୍ୟୁ ଛକିଥିଲା। ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବସ୍‌ କରେଣ୍ଟ ଚାର୍ଜ ହେବା ସହ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା। ସେଥିରେ ପାପାମ୍ମାଙ୍କ ଜୀବନ ଚାଲିଗଲା। ଦୁଇଝିଅ ଦ୍ରୌପଦୀ ଓ ଜ୍ୟୋସ୍ନା ମାଆଙ୍କୁ ହରାଇ ବେସାହାରା ହୋଇଗଲେ। ଦୁଇ ଭଉଣୀ ଏବେ ଜେଜେମାଆ ଚନ୍ଦ୍ରମାଙ୍କ ଉପରେ ବୋଝ।

ଦୁଇ ନାତୁଣୀଙ୍କୁ ନେଇ କିଭଳି ଚଳ‌ିବେ ଓ ସେମାନଙ୍କ ବାହାଘର କିଭଳି କରିବେ ଏବେ ସେହି ଚିନ୍ତାରେ ଦିନ କାଟୁଛନ୍ତି ଚନ୍ଦ୍ରମା। ପାପାମ୍ମାଙ୍କ ବିୟୋଗ ପରେ ପ୍ରଶାସନ ପକ୍ଷରୁ ଦୁଇ ଭଉଣୀଙ୍କ ପାଠପଢ଼ା ଲାଗି ରାମଚନ୍ଦ୍ରପୁର ବିଦ୍ୟାଳୟରେ ବ୍ୟବସ୍ଥା କରାଯାଇଥିଲା। ଦ୍ରୌପଦୀ ଦଶମରେ ପଢୁଥିବା ବେଳେ ମାର୍ଚ୍ଚରୁ କରୋନା କଟକଣା ଲାଗି ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ଏହାପର ଠାରୁ ସ୍କୁଲ ବନ୍ଦ ରହିଥିବା ବେଳେ ଏମାନଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଯାଇଛି। ମାସକୁ ମିଳୁଥିବା ଟଙ୍କିକିଆ ଚାଉଳ ୧୫ କିଲୋ ଓ ଚନ୍ଦ୍ରମାଙ୍କୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ୫ଶହ ଟଙ୍କାରେ ପରିବାର ଚଳୁଛି। ଦୁଇ ନାତୁଶୀଙ୍କୁ କିଭଳି ବାହା କରିବେ ସେହି ଚିନ୍ତାରେ ଦିନ କାଟୁଛନ୍ତି ଚନ୍ଦ୍ରମା। ପାପାମ୍ମାଙ୍କ ମୃତ୍ୟୁ ପରେ ଘୋଷଣା ହୋଇଥିବା ସରକାରୀ ସହାୟତା ୪ଲକ୍ଷ ଟଙ୍କା ମିଳିଥିବା ‌ଜଣାପଡ଼ିଛି।

ସମ୍ବନ୍ଧିତ ଖବର