ମହାନଦୀ ପୋଲରେ ବସ୍‌ ଦୁର୍ଘଟଣା : ଆଜି ନଈ ଭିତରକୁ ଯିବ ତଦନ୍ତ ଟିମ୍

କଟକ : ମହାନଦୀ ପୋଲ ଉପରୁ ଗତକାଲି ସଂଧ୍ୟାରେ ଖସି ପଡ଼ିଥିବା ବସ୍‌ ‘ଜଗନ୍ନାଥ’ର ଡ୍ରାଇଭର ଖଗେଶ୍ବର ମୁଦୁଲିଙ୍କ ବିରୋଧରେ ଜଗତପୁର ଥାନାରେ ମାମଲା ରୁଜୁ ହୋଇଛି। ଜଗତପୁର ତରୋଳ ଅଞ୍ଚଳର ପ୍ରତ୍ୟକ୍ଷଦର୍ଶୀ କୁଳମଣି ବେହେରାଙ୍କ ଅଭିଯୋଗ ଆଧାରରେ ପୁଲିସ ଦଫା ୨୭୯, ୩୩୭, ୩୩୮, ୩୦୪(ଏ)ରେ ଏକ ମାମଲା(କେସ୍‌ ନ˚ ୩୪୩) ରୁଜୁ କରିଛି। ଗାଡ଼ି ଦ୍ରୁତ ଗତିରେ ଆସିବା ଫଳରେ ମଇଁଷିକୁ ଧକ୍କା ଦେଇ ପୋଲରୁ ତଳକୁ ଖସିପଡ଼ିଥିବା ଶ୍ରୀ ବେହେରା ଏତଲାରେ ଦର୍ଶାଇଛନ୍ତି। ଅନ୍ୟପଟେ କଟକ ଆର‌୍‌ଟିଓଙ୍କ ପକ୍ଷରୁ ଆଜି ଗାଡ଼ିର ଫିଟ୍‌ନେସ୍‌, ବୀମା, ଟ୍ୟାକ୍ସ ଏବ˚ ଡ୍ରାଇଭରଙ୍କ ଡ୍ରାଇଭି˚ ଲାଇସେନ୍ସ(ଡିଏଲ୍‌) ସ˚କ୍ରାନ୍ତ ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଛି।

ଗତକାଲିର ଏହି ମର୍ମନ୍ତୁଦ ଦୁର୍ଘଟଣା ସଂପର୍କରେ ତଦନ୍ତ ପାଇଁ ରାଧାକ୍ରିଷ୍ଣନ୍‌ କମିଟିର ନିର୍ଦ୍ଦେଶ ଆଧାରରେ ଏକ କମିଟି ଗଠନ କରାଯାଇଛି। ଏଥିରେ ରୋଡ୍‌ ସେଫଟି ଅଫିସର ଭାବେ ଜୁନିଅର‌୍‌ ଏମ୍‌ଭିଆଇ, ଘଟଣାର ତଦନ୍ତ କରୁଥିବା ଜଗତପୁର ଥାନାର ତଦନ୍ତକାରୀ ଅଧିକାରୀ ଏବ˚ ଏନ୍‌ଏଚ୍‌ଆଇର ଅଧିକାରୀ ସାମିଲ ହୋଇଛନ୍ତି। ଆଜି ପ୍ରାଥମିକ ପର୍ଯ୍ୟାୟରେ ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଇଛି। ଆସନ୍ତାକାଲି କମିଟି ମହାନଦୀ ଭିତରକୁ ଯାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିବ। ଏନ୍‌ଏଚ୍‌ଆଇ ପକ୍ଷରୁ ଦୁର୍ଘଟଣା ପାଇଁ ରାସ୍ତାର କୌଣସି ତ୍ରୁଟି ରହିଛି କି ନାହିଁ, ସେ ନେଇ ଅନୁଧ୍ୟାନ କରାଯିବ। ଏମ୍‌ଭିଆଇ ଗାଡ଼ିର କୌଣସି ଯାନ୍ତ୍ରୀକ ତ୍ରୁଟି ପାଇଁ ଏ ପ୍ରକାର ଦୁର୍ଘଟଣା ଘଟିଛି କି ନାହିଁ, ସେ ସମ୍ପର୍କରେ ଯାଞ୍ଚ କରିବ। ସେହିପରି ପୁଲିସ ଆହତ ଯାତ୍ରୀଙ୍କୁ ପଚରାଉଚରା କରି ଗାଡ଼ି ଚାଳକ ନିଶାଗ୍ରସ୍ତ ଥିଲେ କି ନାହିଁ, ସେ ସମ୍ପର୍କରେ ବୟାନ ରେକର୍ଡ କରିବାକୁ ନିଷ୍ପତ୍ତି ନେଇଛି। କମିଟି ତଦନ୍ତ ରିପୋର୍ଟ ଆର‌୍‌ଟିଓଙ୍କ ମାଧ୍ୟମରେ ଏସ୍‌ଟିଏ(ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥରିଟି)ରେ ଥିବା ରୋଡ୍‌ ସେଫ୍ଟି ସେଲ୍‌ର ଯୁଗ୍ମ କମିସନରଙ୍କ ନିକଟରେ ଦାଖଲ କରାଯିବ। ଆଜି ପ୍ରାଥମିକ ଭାବେ ଆର‌୍‌ଟିଓଙ୍କ ପକ୍ଷରୁ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କୁ ଦୁର୍ଘଟଣାର କାରଣ ସମ୍ପର୍କରେ ପଚରାଉଚରା କରାଯାଇଛି। ଏସି ଗାଡ଼ିରେ ଯାତ୍ରୀମାନେ ଥିବାରୁ ଝରକା ଗ୍ଲାସ ବନ୍ଦ ଥିଲା। ତେଣୁ ଗାଡ଼ି କେତେ ସ୍ପିଡ୍‌ରେ ଆସୁଥିଲା, ସହଜରେ ଯାତ୍ରୀମାନେ ଆକଳନ କରିପାରୁନଥିବା କହିଛନ୍ତି।

ଦୁର୍ଘଟଣାକୁ ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସ˚ଘ ସଭାପତି ଦେବେନ୍ଦ୍ର ସାହୁ କିନ୍ତୁ ପ୍ରଶ୍ନ ଉଠାଇଛନ୍ତି। ମହାନଦୀର ଉକ୍ତ ପୋଲ ଉପରେ ଆଦୌ ଷ୍ଟ୍ରିଟ୍‌ ଲାଇଟ୍‌ ନଥିବା ବେଳେ କମ୍‌ ସ୍ପିଡ୍‌ରେ ଗାଡ଼ି ଚାଳନା ପାଇଁ ସାଇନ୍‌ ଏଜ୍‌ ନଥିବା କହିଛନ୍ତି। ଉକ୍ତ ପୁରୁଣା ପୋଲ ଉପରେ ଗତକାଲିର ଦୁର୍ଘଟଣାକୁ ମିଶାଇଲେ ଯାତ୍ରୀବାହୀ ବସ୍‌ ୪ ଥର ଦୁର୍ଘଟଣା ଘଟାଇଛି। ପୋଲରେ କୌଣସି ତ୍ରୁଟି ଥିବା ସନ୍ଦେହ କରାଯାଉଛି। ପୋଲକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବନ୍ଦ କରି ତାହାର ଯାଞ୍ଚ କରନ୍ତୁ ବୋଲି ଶ୍ରୀ ସାହୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର