ଜନତା କର୍ଫ୍ୟୁ ପାଇଁ ଆଜି ଗଡ଼ିବନି ବସ୍‌, ଅଟୋ, ଟ୍ୟାକ୍ସି : ୪୦୦ ସରକାରୀ ଓ ୧୪ ହଜାର ଘରୋଇ ବସ୍‌ ସେବା ବନ୍ଦ ରହିବ

ବନ୍ଦକୁ ନିଖିଳ ଓଡ଼ିଶା ଅଟୋ ଚାଳକ ଓ ଟାକ୍‌ସି ମହାସଂଘର ସମର୍ଥନ

ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଆସନ୍ତାକାଲି ସାରାଦେଶ ଜନତା କର୍ଫ୍ୟୁ ପାଳନ କରୁଛି। ସକାଳ ୭ଟାରୁ ରାତି ପର୍ଯ୍ୟନ୍ତ କେହି ଘରୁ ନ ବହାରିବାକୁ ଶ୍ରୀ ମୋଦୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ରବିବାର ଦିନ ପରିବହନ ସେବା ଯୋଗାଉଥିବା କୌଣସି ବି ଯାନବାହାନ ଗଡ଼ିବ ନାହିଁ। ସରକାରୀ, ବେସରକାରୀ, ଅଟୋଚାଳକ ଓ ଟାକ୍‌ସି ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ରାଜ୍ୟରେ ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଥିବା ପ୍ରାୟ ୪୦୦ ବସ୍ ସେବା ବନ୍ଦ ରହିବ। ରବିବାର ସକାଳ ୭ଟାରୁ ରାତି ପର୍ଯ୍ୟନ୍ତ ବସ୍‌ ସେବା ଗୁଡ଼ିକ ଚଳାଚଳ କରିବ ନାହିଁ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଲେ ଯେ ଜନତା କର୍ଫ୍ୟୁକୁ ସଂଘ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ଏଥିପାଇଁ ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍‌ ବନ୍ଦ ରହିବ। ଯଦି ଦୂର ଦୂରାନ୍ତକୁ ଯାଇଥିବା ବସ୍‌ଗୁଡ଼ିକ ଭିତରୁ କୌଣସି ବସ୍‌ ଆଜି ରାତି ସୁଦ୍ଧା ବସ୍‌ ଷ୍ଟାଣ୍ଡକୁ ଫେରି ନ ଆସିବ ତା ହେଲେ ସେହି ବସ୍‌ଟି ଆସନ୍ତାକାଲି ଯେଉଁଠି ଥିବ, ସେହିଠାରେ ହିଁ ରହିବ। ସୋମବାର ଗାଡ଼ି ଚଳାଚଳ ସ୍ବାଭାବିକ ହେବ।

ରବିବାର ଜନତା କର୍ଫ୍ୟୁକୁ ସଫଳ କରିବା ପାଇଁ ନିଖିଳ ଓଡ଼ିଶା ଅଟୋଚାଳକ ଓ ନିଖିଳ ଓଡ଼ିଶା କାର୍‌ ଓ ଟାକ୍‌ସି ଚାଳକ ମହାସଂଘ ନିଷ୍ପତ୍ତି ନେଇଛି। ଶନିବାର ଉଭୟ ସଂଘର ପ୍ରତିନିଧିମାନେ ସଭାପତି ତଥା ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କ ଘରେ ପୃଥକ୍‌ ଭାବେ ବୈଠକ କରି ଗାଡ଼ି ନ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ବୈଠକ ପରେ ଶ୍ରୀ ସିଂହ ସୂଚନା ଦେଇ କହିଥିଲେ, ୨୨ ତାରିଖ ଦିନ ରାଜ୍ୟରେ ଥିବା ୧ ଲକ୍ଷ ୫୦ ହଜାର ଅଟୋଚାଳକ ସେମାନଙ୍କ ପରିବହନ ସେବା ବନ୍ଦ ରଖିବେ। ଏହାସହିତ ପ୍ରାୟ ୮ ଲକ୍ଷ କାର୍‌ ଟାକ୍‌ସି ଚାଳକ ମଧ୍ୟ ଯାତ୍ରୀ ସେବା ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

କରୋନା ରୋଗରୁ ନିଜକୁ ଦୂରରେ ରଖିବା ସହ ଅନ୍ୟମାନଙ୍କୁ ସୁସ୍ଥ ବାତାବରଣ ଦେବା ପାଇଁ ଟାକ୍‌ସି ଚାଳକ ମହାସଂଘ ନିଷ୍ପତ୍ତି ନେଇଛି। ଏହାସହିତ ଆସନ୍ତା ଦିନରେ କରୋନା ସତର୍କତା ସ୍ବରୂପ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଅନ୍ୟ ଦିନମାନଙ୍କରେ ଯୁଗ୍ମ ଓ ଅଯୁଗ୍ମ ନମ୍ବର ଆଧାରରେ ଟାକ୍‌ସି ଓ କାର୍‌ ଚଳାଚଳ କରିବ ବୋଲି ଶ୍ରୀ ସିଂହ କହିଥିଲେ।

ସମ୍ବନ୍ଧିତ ଖବର