୨୯ ଯାଏ ‘ଲକ୍‌ ଡାଉନ୍‌’; ୫ଟି ଜିଲ୍ଲା, ୮ଟି ସହର ପାଇଁ କଟକଣା

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
୨୨ ସକାଳ ୭ଟାରୁ ୨୯ ରାତି ୯ଟା ଯାଏ କଟକଣା
କଟକଣା ନ ମାନିଲେ କଠୋର କା‌ର୍ଯ୍ୟାନୁ‌ଷ୍ଠାନ
ସହଯୋଗ କରିବାକୁ ସରକାରଙ୍କ ନିବେଦନ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉପକୂଳ ଅଞ୍ଚଳର ସମ୍ପୂର୍ଣ୍ଣ ୫ଟି ଜିଲ୍ଲା ଓ ୮ଟି ସହରରେ ୮ ଦିନ ପାଇଁ ‘ଲକ୍‌ ଡାଉନ୍’ ହେବ। ୨୨ ତାରିଖ ସକାଳ ୭ଟାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ବନ୍ଦ ହେବାକୁ ଥିବା ୫ଟି ଜିଲ୍ଲା ହେଲେ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ। ୭ଟି ସହର ହେଲେ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍‌ ଓ ଯାଜପୁର ଟାଉନ୍।

ଗତ କିଛି ଦିନ ମଧ୍ୟରେ ବିଦେଶରୁ ପ୍ରାୟ ୩୨୦୦ ଲୋକ ଓଡ଼ିଶାକୁ ଫେରିଛନ୍ତି। ‌େସମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଏହି ଜିଲ୍ଲାଗୁଡ଼ିକରେ ଅଛନ୍ତି। କରୋନା ମୁକାବିଲା ପାଇଁ ଆଗାମୀ ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଏହିସବୁ ଅଞ୍ଚଳରେ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ ପାଇଁ ବାହାରକୁ ଯାଇ ହେବ।

ତେବେ ଏଭଳି କଟକଣା (ଲକ୍ ଡାଉନ୍)ରୁ ବିମାନବନ୍ଦର, ରେଳ ଷ୍ଟେସନ୍, ବସ୍‌ଷ୍ଟାଣ୍ଡ୍‌କୁ ବାଦ୍ ଦିଆଯାଇଛି। ଏହି ସମୟରେ ବସ୍, ଟ୍ରେନ୍, ବିମାନ ସେବା ସହିତ ଗ୍ରୋସରି ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, କ୍ଷୀର, ପେଟ୍ରୋଲ ପମ୍ପ ଓ ଔଷଧ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲ୍‌ସେଲ୍‌ ମାର୍କେଟ୍‌ ମଧ୍ୟ ଖୋଲା ରହିବ। ସେହିପରି ଏସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍‌, ପୌର ସେବା, ପୁଲିସ, ଅଗ୍ନିଶମ ସେବା, ଓଡ୍ରାଫ୍‌, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ। ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ।

୫ଟି ଜିଲ୍ଲା ଓ ୮ଟି ସହରରେ ସାମାଜିକ ସୁରକ୍ଷା ପେନ୍‌ସନ୍ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସାମଗ୍ରୀର ବିତରଣ କାର୍ଯ୍ୟ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ସ୍ଥାନୀୟ ପରିସ୍ଥିତିକୁ ଆକଳନ କରି ଜିଲ୍ଲାପାଳମାନେ ଯେ କୌଣସି ସେବା ଓ କ୍ଷେତ୍ରକୁ ବାଦ୍ ଦେଇପାରିବେ କିମ୍ବା ଯୋଗ କରିପାରିବେ। ଘରୋଇ କମ୍ପାନିଗୁଡ଼ିକ କର୍ମଚାରୀଙ୍କ ପାଇଁ ଘରୁ କାମ କରିବାର ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି। ଯଦି ସେମାନେ ଏହା ନ କରନ୍ତି, ତେବେ ସେମାନଙ୍କର ବର୍ତ୍ତମାନ ବ୍ୟବସ୍ଥା ଚାଲୁ ରଖିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ଠାରୁ ପ୍ରମାଣପତ୍ର ଆଣିବାକୁ ହେବ। କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବା କରିବା ନିମନ୍ତେ ନିୟୋଜିତ ସମସ୍ତ ଘରୋଇ ସେବା ପ୍ରଦାନକାରୀଙ୍କୁ ଜରୁରୀକାଳୀନ ସେବାର ଅନ୍ତର୍ଭୁକ୍ତ କରାଯାଇଛି।

ରାଜ୍ୟବାସୀଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର। ପ୍ରତିଟି ଓଡ଼ିଆଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ। ମୋର ଅନୁରୋଧ, ସରକାରଙ୍କ ନିଷ୍ପତ୍ତିରେ ଆପଣମାନେ ସହଯୋଗ କରନ୍ତୁ। ନିଜର, ନିଜ ପରିବାରର ଓ ବନ୍ଧୁମାନଙ୍କ ମଙ୍ଗଳ ପାଇଁ ଘରେ ରୁହନ୍ତୁ। ଏହି ଭାଇରସ୍‌କୁ ଘରେ ପଶିବାକୁ ଦିଅନ୍ତୁ ନାହିଁ। ଘରେ ରହିଲେ ଆପଣ ଓ ଆପଣଙ୍କ ପରିବାର ସୁରକ୍ଷିତ ରହିପାରିବେ।

ମୁଖ୍ୟମନ୍ତ୍ରୀ ଏ କଥା ବି ଚେତାଇ ଦେଇଛନ୍ତି, ଲୋକଙ୍କ ସ୍ବାର୍ଥ ପାଇଁ ସରକାର ଏହି କଟକଣା ଜାରି କରିଛନ୍ତି। କଟକଣାକୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ, ତା’ ବିରୋଧରେ କଠୋର ପଦକ୍ଷେପ ନିଆଯିବ। ଏଥି ପାଇଁ ପୁଲିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଗତ ଦୁଇ ମାସ ମଧ୍ୟରେ ଦୁନିଆ ବଦଳିଯାଇଛି। ରାଜନୀତି, ଅର୍ଥନୀତି ସବୁ କିଛି ପଛରେ ପକାଇ ସ୍ବାସ୍ଥ୍ୟ ସମସ୍ୟା ସାରା ବିଶ୍ବ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି। ଚୀନ ଓ ସାଉଥ କୋରିଆ ଠାରୁ ଆରମ୍ଭ କରି ନିକଟରେ ଆମେରିକା, ବ୍ରିଟେନ ଓ ଅନ୍ୟ ୟୁରୋପୀୟ ‌େଦଶଗୁଡ଼ିକ ପାଇଁ କରୋନା ଭାଇରସ୍‌ ଗୁରୁତର ସମସ୍ୟା ସୃଷ୍ଟି କରିଛି। ବର୍ତ୍ତମାନ ଏହି ଭାଇରସ୍‌ ଭାରତରେ ମଧ୍ୟ ପହଞ୍ଚିଯାଇଛି। ଭାରତରେ କୋଭିଡ୍‌-୧୯ ରୋଗୀଙ୍କ ସଂଖ୍ୟା ବଢ଼ୁୂଛି। ଏହି ଭାଇରସ୍‌ ବାହାରୁ ଆସିଛି ଓ ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। କେବଳ ସଚେତନତା ଦ୍ବାରା ହିଁ ଏହାକୁ ରୋକାଯାଇପାରିବ। ଏହି ସଚେତନତାର ରଣନୀତିକୁ ପାଳନ କରି ଚୀନର ଉହାନ ପ୍ରଦେଶ କରୋନା ଭାଇରସ୍‌କୁ ହରାଇ ଦେଇପାରିଛି। ବର୍ତ୍ତମାନ ସମୟ ଆସିଛି ଆମେ ମଧ୍ୟ ଏହି ରଣନୀତିକୁ ଆପଣାଇବା। ଘରେ ରହିବା। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରକୁ ଯିବା। ତା’ ହେଲେ ଆମେ ଏହି ଯୁଦ୍ଧ ଜିତିପାରିବା।

ପୁଲିସ୍‌ ସବୁ ସ୍ଥାନରେ କଟକଣାକୁ କାର୍ଯ୍ୟକାରୀ କରିପାରିବ ନାହିଁ। ନିଜ ଜୀବନ ରକ୍ଷା କରିବାର ଦାୟିତ୍ବ ନିଜକୁ ନେବାକୁ ପଡ଼ିବ। ବିଶେଷ କରି ସରପଞ୍ଚ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଲକ୍ ଡାଉନ୍ ଉପ‌େର ନଜର ରଖିବା ସହ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର