କଟକରେ ଗଠନ ହେଲା ୨୮ ରାପିଡ ରେସପନ୍ସ ଟିମ୍, ବାହାରୁ ଆସିଥିବା ୩୮୯ ଜଣଙ୍କ ଉପରେ ନଜର

୩ରୁ ୬ ବର୍ଷ ଶିଶୁଙ୍କ ଖାଦ୍ୟ ପାଇଁ ଘରେ ଯୋଗାଇ ଦିଆଯିବ ୩ ମାସର ରାସନ୍

କଟକ:  କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲାରେ ଗଠନ ହୋଇଛି ୨୮ଟି ରାପିଡ୍ ରେସପନ୍ସ ଟିମ୍। କଟକ ମହାନଗର ନିଗମ ଅଞ୍ଚଳରେ ଏଭଳି ୩ଟି ଟିମ୍ କାର୍ଯ୍ୟ କରିବ। ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ଜିଲ୍ଲାର ଗ୍ରାମାଞ୍ଚଳରେ ୧୨ ଜଣ ଅଧିକାରୀ ଏବଂ ମହାନଗର ନିଗମ ଅଞ୍ଚଳରେ ୮ ଜଣ ଅଧିକାରୀଙ୍କୁ ନିୟୋଜନ କରାଯାଇଛି। ବାହାରୁ ଆସି ଏଠାରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟେଲିଫୋନରେ ଯୋଗାଯୋଗ ହୋଇଛି କି ନାହିଁ, ମେଡିକାଲ ଟିମ୍ ତାଙ୍କ ପାଖରେ ପହଁଚିଛି କି ନାହିଁ ଏବଂ ସେମାନେ ସୁରକ୍ଷିତ ଅଛନ୍ତି କି ନାହିଁ ସେ ସଂପର୍କରେ ଏହି ଟିମ୍ ନିୟମିତ ଅନୁଧ୍ୟାନ କରିବ। ବର୍ତ୍ତିମାନ ସୁଦ୍ଧା କଟକ ଜିଲ୍ଲାକୁ ବାହାରୁ ଆସିଥିବା ୩୮୯ ଜଣ ବ୍ୟକ୍ତି ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଉଛି। ଅତିରିକ୍ତ ଜିଲ୍ଲାପାଳ, ସିଏମସି କମିସନର, ପି.ଡି.ଡିଆରଡିଏ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଉପଜିଲ୍ଲାପାଳଙ୍କ ସମେତ ନିୟୋଜିତ ବରିଷ୍ଠ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ଚାଲୁ ରହିବ। ଜିଲ୍ଲାପାଳ ସମସ୍ତ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବେ। ଏହି ବ୍ୟବସ୍ଥା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ (ମୋବାଇଲ ନମ୍ବର: ୦୬୭୧-୨୩୦୫୭୮୧) କାର୍ଯ୍ୟ କରୁଛି।

କରୋନା ମୁକାବିଲା ପାଇଁ ଆଜି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏକ ଜରୁରୀ ବୈଠକ ଡକାଇ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୁପ ରାଜ୍ୟ ବାହାରୁ ଆସିଥିବା ଏବଂ ଆଗକୁ ଯେଉଁମାନେ ଆସିବେ, ସେମାନଙ୍କ ସଂପର୍କରେ ସୂଚନା ପାଇଲେ ତୁରନ୍ତ ପଦକ୍ଷେପ ନେବାକୁ ସିଏମସି କମିଶନର, ପି.ଡି.ଡିଆରଡିଏ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଡିପିଏମଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତା ୩ ମାସ ପାଇଁ ଚାଉଳ, ଗହମ ଏବଂ କରୋସିନି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବାର ବ୍ୟବସ୍ଥା କରିବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ୩ରୁ ୬ ବର୍ଷ ବୟସ୍କ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆ ଏବଂ ରନ୍ଧା ଖାଦ୍ୟ ପାଇଁ ସମସ୍ତ ରାସନ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ହିତାଧିକାରୀମାନଙ୍କ ଘରେ ସିଧାସଳଖ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ସମାଜ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଅନୁସୂଚିତ ଜାତି ଓ ଜନଜାତି ଆଶ୍ରମ ସ୍କୁଲର ସମସ୍ତ ହଷ୍ଟେଲ ଗୁଡିକ ଚଳିତ ମାସ ୨୫ ତାରିଖରୁ ବନ୍ଦ ଘୋଷଣା କରାଯାଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଘରକୁ ଫେରିବା ପୂର୍ବରୁ ଆଗାମୀ ୩ ମାସ ପାଇଁ ମେଣ୍ଟେନାନ୍ସ ଓ ପ୍ରି ମାଟ୍ରିକ ସ୍କଲାରସିପ ବାବଦକୁ ୨୨୫୦ଟଙ୍କା ଓ ୨୪୦୦ ଟଙ୍କା ଏକକାଳୀନ ସେମାନଙ୍କର ଅଭିଭାବକମାନଙ୍କୁ ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଛି। ସେହିପରି ଘରକୁ ଯାଉଥିବା ପିଲାମାନେ ଗହଳି ସ୍ଥାନକୁ ନଯିବା, ପରିଷ୍କାର ପରିଚ୍ଛନ୍ନ ପ୍ରତି ଅଭିଭାବକ ମାନେ ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜିଲ୍ଲାର ୨୪ଟି ଆଶ୍ରମ ସ୍କୁଲର ୩୫୮୧ ଜଣ ହଷ୍ଟେଲରେ ରହୁଥିବା ବାଳକ ବାଳିକାଙ୍କୁ ଯଥାକ୍ରମେ ମାସକୁ ୭୫୦ ଟଙ୍କା ଏବଂ ୮୦୦ ଟଙ୍କା ହାରରେ ୩ ମାସ ପାଇଁ ଅର୍ଥ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର