ହାତୀ ଆକ୍ରମଣରେ ବ୍ୟବସାୟୀ ମୃତ

ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ରୁପାପଦର ଗ୍ରାମ ନିକଟରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଚାଲକମ୍ବା ଗ୍ରାମର ଗଦାଧର ସେନାପତି (୫୫ ବର୍ଷ) ବୋଲି ଜଣାପଡ଼ିଛି। ଅସାବଧାନତା କାରଣରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଚାଲକାମ୍ବା ଗ୍ରାମର ଗଦାଧର ସେନାପତି ନିଜ ଗ୍ରାମରେ ବ୍ୟବସାୟ କରି ନିଜ ଗୁଜରାଣ ମେଣ୍ଟାଉଥିଲେ। ଗୁଣପୁରରୁ ପରିବା କିଣି ଘରକୁ ଫେରିବା ସମୟରେ ରୁପାପଦର ଗ୍ରାମ ନିକଟରେ ହାତୀପଲ ବୁଲାବୁଲି କରୁଥିବା ଖବର ପାଇଥିଲେ। କୌତୂହଳ ହେବାରୁ ହାତୀପଲକୁ ଦେଖିବା ପାଇଁ ଯାଇଥିଲେ। ଅନ୍ୟମାନଙ୍କ ସହ ହାତୀପଲକୁ ଘୋଉଡ଼ାଇବା ପାଇଁ ଗୋଡ଼ାଇଥିଲେ। କିନ୍ତୁ ହାତୀପଲ ହଠାତ୍‌ ଉଗ୍ର ହୋଇଯାଇଥିଲେ ଏବଂ ପଛକୁ ଫେରି ଗୋଡ଼ାଇବା ଆରମ୍ଭ କରିଥିଲେ। ତେଣୁ ଲୋକେ ପ୍ରାଣ ବିକଳରେ ଦୌଡ଼ିଥିବା ବେଳେ ଦୁର୍ଭାଗ୍ୟବଶତଃ ଗଦାଧର ତଳେ ପଡ଼ିଯାଇଥିଲେ। ଏହାପରେ ହାତୀପଲର କବଳରେ ପଡ଼ି ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲି ଯାଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର