ଅନଧିକୃତ ବସ୍ତି ହଟାଇବା ଆରଏସପି ପାଇଁ ଆହ୍ବାନ

ଉଚ୍ଛେଦ ପାଇଁ ଗଲେ ପଥର ମାଡ଼, ତୀବ୍ର ବିରୋଧ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ସହରାଞ୍ଚଳରେ ଥିବା ଅନଧିକୃତ ବସ୍ତି ଏବେ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗତ ଏକ ଦଶନ୍ଧି ଭିତରେ ଏଭଳି ଏକାଧିକ ବସ୍ତି ଗଢ଼ିଉଠିଛି; ଯାହାକୁ ଉଚ୍ଛେଦ କରିବା ଦିବାସ୍ବପ୍ନ ପାଲଟିଗଲାଣି। ସ୍ଥିତି ଏମିତି ଯେ, ଉଚ୍ଛେଦ କରିବାକୁ ଯାଇଥିବା ଆର୍‌ଏସ୍‌ପି ଲ୍ୟାଣ୍ଡଗାର୍ଡଙ୍କୁ ମାଡ଼ ଖାଇବାକୁ ପଡ଼ୁଛି। ଖଣ୍ଡା ବୁଲିବାଠାରୁ ଆରମ୍ଭକରି ପଥର ମାଡ଼ହେବା ପର୍ଯ୍ୟନ୍ତ; ଏସବୁର ସମ୍ମୁଖୀନ ହୋଇସାରିଲେଣି କର୍ମଚାରୀ। ବିଡ଼ମ୍ବନା, ବସ୍ତି ସ୍ଥାପନ ହେବା ଦିନଠାରୁ ଏହାକୁ ଜବରଦଖଲମୁକ୍ତ କରାଯାଉନି। ପ୍ରଥମେ ଖୋଲାସ୍ଥାନରେ ନୂଆ ବସ୍ତି ସ୍ଥାପନ ପାଇଁ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ସୁଯୋଗ ଦେଇ ସମସ୍ୟାକୁ ଆହ୍ବାନ କରୁଛନ୍ତି।

ଆମ୍ବାଗାନରେ ଗଢ଼ିଉଠିଛି ଗଣେଶ ବସ୍ତି। ସହରର ଏକ ପ୍ରମୁଖ ତଥା ଗହଳିପୂର୍ଣ୍ଣ ଇଲାକାରେ ରାସ୍ତା କଡ଼କୁ ଲାଗି ଏହି ବସ୍ତି ସ୍ଥାପନ ହେବାପରେ ବୁଦ୍ଧିଜୀବୀଙ୍କ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଥିଲା। ତଥାପି ଆରମ୍ଭରୁ ଏଠାରେ ଜବରଦଖଲମୁକ୍ତ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା। ଗତ ୨୦୨୧ ମସିହା ମାର୍ଚ୍ଚ ୨୧ ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରାଉରକେଲା ଗସ୍ତ ଅବସରରେ ଏହା କାରଖାନା କର୍ତ୍ତୃପକ୍ଷଙ୍କ ପାଇଁ ସମସ୍ୟା ରୂପେ ଉଭାହୋଇଥିଲା। ରାଷ୍ଟ୍ରପତି ଉକ୍ତ ରାସ୍ତା ଦେଇ ସଭାସ୍ଥଳ ଯିବାକୁ ଥିବାରୁ ରାସ୍ତାକଡ଼ରେ ଲୁହା ହୋର୍ଡିଂ ବସାଇ ବସ୍ତି ଲୁଚାଇବାର ସାମୟିକ ବ୍ୟବସ୍ଥା କରାଯାଇଥିଲା। ଶେଷରେ ଉକ୍ତ ବସ୍ତି ଉଚ୍ଛେଦ ପାଇଁ କର୍ତ୍ତୃପକ୍ଷ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ସ୍ଥାନୀୟ ବାସନ୍ଦାଙ୍କୁ ଅବଗତ କରାଯିବା ସହ ଅନ୍ୟତ୍ର ବସ୍ତି ସ୍ଥାପନ ପାଇଁ ନୂଆ ଜାଗା ଯୋଗାଇଦେଇଥିଲେ। ଏହି କ୍ରମରେ ଦୁଇ ଦିନ ପୂର୍ବେ ଆର୍‌ଏସ୍‌ପି ଲ୍ୟାଣ୍ଡ୍‌ଗାର୍ଡ ବସ୍ତିରେ ପହଞ୍ଚି ବସ୍ତି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ; କିନ୍ତୁ ସେମାନଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସ୍ଥାନୀୟ ବସ୍ତିବାସୀ ଉଚ୍ଛେଦ ପ୍ରକ୍ରିୟାକୁ କଡ଼ା ବିରୋଧ କରିବାରୁ ଦୀର୍ଘ ସମୟଧରି ଅସନ୍ତୋଷ ଜାରି ରହିଥିଲା। ଶେଷରେ ଆର୍‌ଏସ୍‌ପି କର୍ମଚାରୀ ନିରାଶ ହୋଇ ଫେରିଆସିଥିଲେ।

ଉଲ୍ଲେଖଯୋଗ୍ୟ, କେବଳ ଏହି ଗୋଟିଏ ଘଟଣା ନୁହେଁ, ବରଂ ବିଗତ ଦିନରେ ଏଭଳି ଏକାଧିକ ଘଟଣାର ନଜିର ରହିଛି। ୨୦୧୯ ମସିହାରେ ଫର୍ଟିଲାଇଜର ହସପିଟାଲ ସମ୍ମୁଖରୁ ଜବରଦଖଲ ଉଚ୍ଛେଦବେଳେ ଖଣ୍ଡା ବୁଲିଥିଲା। ଜମି ଜବରଦଖଲକରି ଘର ନିର୍ମାଣ କରୁଥିବା ବ୍ୟକ୍ତି ଖଣ୍ଡା ଧରି କାରଖାନା କର୍ମଚାରୀଙ୍କୁ ଘଉଡ଼ାଇଥିଲେ। ସେହିଭଳି ବନ୍ଧମୁଣ୍ଡା ତିଲକାନଗରରେ ଜବରଦଖଲ ଉଚ୍ଛେଦ କରିବାକୁ ଯାଇଥିବା କର୍ମଚାରୀଙ୍କ ଉପରକୁ ପଥର ମାଡ଼ ହୋଇଥିଲା। ୨୦୧୯ ମସିହାରେ ଆର୍‌ଏସ୍‌ପି ମୁଖ୍ୟ ଗେଟ୍‌ ସମ୍ମୁଖରେ ପାର୍କ ନିର୍ମାଣ ପାଇଁ ଯାଇଥିବାବେଳେ ତାଙ୍କ ଉପରକୁ ପଥର ମାଡ଼ ହୋଇଥିଲା। ଠିକ୍‌ ସେତିକିବେଳେ କାରଖାନାରୁ ଜେନେରାଲ ସିଫ୍ଟ ଡ୍ୟୁଟି ସାରି ଘରକୁ ଫେରୁଥିବା କର୍ମଚାରୀଙ୍କୁ ପଥର ବାଜିଥିଲା। ୨୦୧୮ରେ ଫର୍ଟିଲାଇଜର ଲୋକନାଥ ମାର୍କେଟରେ ଅନଧିକୃତ ଦୋକାନ ଗୃହ ପଛରେ ବାସଗୃହ ନିର୍ମାଣ ଉଚ୍ଛେଦ କରିବାକୁ ଯାଇଥିବା କର୍ମଚାରୀଙ୍କୁ ପଥର ମାଡ଼ ହେବାସହ ବାଡ଼ି ଧରି ମାଡ଼ ମାରିବାକୁ ଦୌଡ଼ାଇଥିଲା ଜବରଦଖଲକାରୀ। ସେହିଭଳି ସେକ୍ଟର-୨୦ ଖଟାଲ ବସ୍ତିରେ ୫/୬ ଥର ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏମିତିକି ପଥର ମାଡ଼ ହେବାରୁ ଜଣେ ପୂର୍ବତନ ଡିଜିଏମ୍‌ ମଧ୍ୟ ଆହତ ହୋଇଥିଲେ।

ପ୍ରକାଶଥାଉକି, ଆର୍‌ଏସ୍‌ପି ସହରାଞ୍ଚଳରେ ୨୩୬ଟି ରେକର୍ଡଭୁକ୍ତ ବସ୍ତି ରହିଛି। ଏସବୁ ଅଞ୍ଚଳକୁ ପାଣି, ବିତ୍ୟୁତ ବ୍ୟବସ୍ଥା ଆଦି ସରକାରୀ ସୁବିଧା ପହଞ୍ଚାଯାଇଛି। ଏତଦ୍‌ବ୍ୟତୀତ ପ୍ରାୟ ୭୦/୮୦ ଅନଧିକୃତ ବସ୍ତି ମଧ୍ୟ ରହିଛି। ଏହି ଅନଧିକୃତ ବସ୍ତି ସ୍ଥାପନରେ ସ୍ଥାନୀୟ ରାଜନେତାଙ୍କ ପ୍ରମୁଖ ଭୂମିକା ରହିଛି। ଭୋଟ୍‌ ଲାଳସାରେ ଏମାନଙ୍କୁ ଅନୈତିକ ସମର୍ଥନ କରୁଛନ୍ତି। ଏମିତିକି ବିଧାୟକ ପାଣ୍ଠିରୁ ଅନୁଦାନ ଦେଇ ରାସ୍ତା, ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା କରାଯାଉଛି। କିନ୍ତୁ କର୍ମଚାରୀଙ୍କୁ ଆକ୍ରମଣ ହେବା ସମୟରେ ରାଜନେତାଙ୍କ ଦେଖାଦର୍ଶନ ମିଳୁନି। ଉଚ୍ଛେଦ ପ୍ରକ୍ରିୟାରେ ସହଯୋଗ କରିବାକୁ ନିବେଦନ କରିବାକୁ ବି କୁଣ୍ଠା ପ୍ରକାଶ କରୁଛନ୍ତି। ଏ ଦିଗରେ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେଇ ସମସ୍ତ ଅନଧିକୃତ ବସ୍ତି ଉଚ୍ଛେଦ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର