ଢେଙ୍କାନାଳ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା: ପୁରୁଣା ନା ନୂଆ ମୁହଁ ? ଦ୍ବନ୍ଦ୍ବରେ ୩ ଦଳ

ଅନୁଗୁଳ: ପୁରୁଣାଙ୍କୁ ପୁଣି ଭରସା କରିବେ ? ନା, ନୂଆ ଚେହେରା ସହ ନିର୍ବାଚନକୁ ଓହ୍ଲାଇବେ। ଢେଙ୍କାନାଳ ଲୋକସଭା ଆସନ ନେଇ ଏମିତି ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ଏପଟେ ଆଶାୟୀଙ୍କ ସଂଖ୍ୟା ଲମ୍ବୁଥିବାରୁ କାହାକୁ କାଟିବେ, କାହାକୁ ରଖିବେ ସେଥିନେଇ ବି ସମସ୍ୟା ବଢ଼ିବାରେ ଲାଗିଛି। ପ୍ରାର୍ଥୀ ଚୟନ ନେଇ ଅଡ଼ୁଆ ତୁଟୁ ନ ଥିବାରୁ ‌ଏହି ଆସନର ରାଜନୈତିକ ଚିତ୍ର ଗୋଳମାଳିଆ ହେବାରେ ଲାଗିଛି। କର୍ମୀମାନେ ଦ୍ବନ୍ଦ୍ବରେ, ନେତାମାନେ ବି ଚିନ୍ତାରେ ପଡ଼ିଛନ୍ତି। ଢେଙ୍କାନାଳ ଜିଲ୍ଲାର ୪ଟି ଓ ଅନୁଗୁଳ ଜିଲ୍ଲାର ୩ଟି ଆସନକୁ ନେଇ ଗଠିତ ଢେଙ୍କାନାଳ ଲୋକସଭା ଆସନ ୨୦୦୪ରୁ ବିଜେଡି ଦଖଲରେ ରହିଛି। ୨୦୧୯ରେ ଏଠାରେ ଦ୍ବିତୀୟସ୍ଥାନରେ ଥିଲା ବିଜେପି, ତୃତୀୟସ୍ଥାନରେ ଥିଲା କଂଗ୍ରେସ।

ହେଲେ ୨୦୨୪ରେ କାହାକୁ କିଏ ପ୍ରାର୍ଥୀ କରିବେ, ତାହା ଉପରୁ ଏଯାଏଁ ପରଦା ଉଠିନାହିଁ। ସାଂସଦ ମହେଶ ସାହୁଙ୍କର ଅଧିକାଂଶ ବିଧାୟକଙ୍କ ସହ ଭଲ ସଂପର୍କ ନ ଥିବାରୁ ଏଥର ତାଙ୍କୁ ପୁଣି ଟିକେଟ୍‌ ମିଳିବା ସମ୍ଭାବନା କମ୍‌ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ମହେଶଙ୍କୁ ବିଧାନସଭା ପ୍ରାର୍ଥୀ କରି ଦଳ ତାଙ୍କ ବଦଳରେ ଦଳ ନୂଆ ଚେହେରା ଦେଇପାରେ। ପର୍ଜଙ୍ଗ ବିଧାୟକ ନୃସିଂହ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ କିମ୍ବା ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଭିତରୁ ଦଳ କାହାକୁ ଲୋକସଭା ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଆଉ ଗୋଟିଏ ମହଲ କହୁଛନ୍ତି ଯେ ନେତାଙ୍କ ବଦଳରେ ଜଣେ ପ୍ରଶାସକଙ୍କୁ ପ୍ରାର୍ଥୀ କରାଯାଇପାରେ। କିନ୍ତୁ ମହେଶ ଜୋର୍‌ ଦେଇ କହିଛନ୍ତି ଯେ ସେ ହିଁ ପୁଣି ଥରେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେ ଓ ଲଢ଼ିବେ। ବିଜେଡି ସହ ମେଣ୍ଟ ଭାଙ୍ଗିବା ପରେ ‌ବିଜେପି ଏହି ଆସନରେ ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣିଙ୍କୁ ଭରସା କରି ଆସିଛି। ୨୦୦୯ରୁ କ୍ରମାଗତ ଭାବେ ସେ ଦଳର ଭୋଟ୍‌ ହାର ବଢ଼ାଇ ଚାଲିଛନ୍ତି, କିନ୍ତୁ ଜିତିପାରିନାହାନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଏଥର ସେ ଲଢ଼ିବେ ନାହିଁ ବୋଲି ସଙ୍କେତ ଦେଇଛନ୍ତି। ଏପଟେ ଦୀର୍ଘଦିନ ଧରି ଏହି ଆସନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫୋକସ୍‌ରେ ରଖିଥିଲେ ହେଁ ଏବେ ସମ୍ବଲପୁରମୁହାଁ ହେବା ପରେ ଦଳ ପୁଣି ରୁଦ୍ରଙ୍କୁ ଭରସା କରିବ ନା ନୂଆ ମୁହଁ ଦେବ ସେ ନେଇ ଚର୍ଚ୍ଚା ହେଉଛି। ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦଳା ଠାକୁର ପ୍ରଧାନ ଓ ଅନ୍ୟ ଜଣେ ଶିଳ୍ପପତିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସାଂସଦ ଥିବା କେ.ପି. ସିଂହଦେଓ ଗତ ୨୦୧୯ ନିର୍ବାଚନରେ ମାତ୍ର ୮୦,୩୪୯ ଖଣ୍ଡ ଭୋଟ ପାଇଥିଲେ। ସେହିଦିନରୁ ସେ ଆଉ ସଂଗଠନ ସହ ସଂପର୍କରେ ନାହାନ୍ତି। ଦଳର ଅଧିକାଂଶ କାର୍ଯ୍ୟକ୍ରମକୁ ବି ଆସୁନାହାନ୍ତି। ତେଣୁ ସେ ପୁଣି ପ୍ରାର୍ଥୀ ହେବା ସମ୍ଭାବନା କମ୍‌। ତାଙ୍କ ବଦଳରେ ଅନ୍ୟ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ଖୋଜିବା କଂଗ୍ରେସ ପାଇଁ ଚିନ୍ତା ବଢ଼ାଇଛି। ବରିଷ୍ଠ ନେତ୍ରୀ ସସ୍ମିତା ବେହେରା କିମ୍ବା ଅନୁଗୁଳ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ରଙ୍କ ଭିତରୁ ଦଳ କାହାକୁ ଏହି ଆସନରେ ଟିକେଟ ଦେଇପାରେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏପଟେ କେପିଙ୍କ ପରିବାର ଭିତରୁ ମଧ୍ୟ ଆଶାୟୀ ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର